ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ - SUNA BESHA OF NILAMADHAB
Published : Jan 13, 2025, 10:51 PM IST
ନୟାଗଡ଼: ପବିତ୍ର ପୌଷ ପୂର୍ଣ୍ଣିମା ଏବଂ ସୁନାବେଶ ପାଇଁ ଉତ୍ସବ ମୁଖର ହୋଇଛି ନୟାଗଡ଼ କଣ୍ଟିଲୋ ନୀଳମାଧବଙ୍କ ପୀଠ । ସୁସଜ୍ଜିତ ସୁନାବେଶରେ ପ୍ରଭୁ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବିଧି ଅନୁଯାୟୀ ପ୍ରଭୁ ନୀଳମାଧବଙ୍କ ପାଖରେ ସକାଳୁ ସ୍ଵତନ୍ତ୍ର ନୀତି କରାଯିବା ପରେ ପୁଷ୍ୟାଭିଷେକ ଓ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ପାରମ୍ପରିକ ଅଳଙ୍କାର ସହିତ ଚଳିତ ବର୍ଷ ପୂଜକ ସମାଜ ଏବଂ ମନ୍ଦିର ପ୍ରଶାସନ ସହଯୋଗରେ ତିଆରି ହୋଇଥିବା ୧ କିଲୋ ଓଜନର ନୂତନ ପ୍ରଭୁଙ୍କ ଶ୍ରୀପୟରକୁ ପ୍ରଭୁ ନୀଳମାଧବଙ୍କ ପାଖରେ ଲାଗି କରାଯାଇଛି । ଏଥିପାଇଁ ଦେବୋତ୍ତର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ସକାଳୁ ପ୍ରଭୁ ନୀଳମାଧବଙ୍କ ପହୁଡ଼ ଖୋଲାଯିବା ପରେ ୫ଟାରେ ମଙ୍ଗଳ ପୂର୍ଣ୍ଣାହୁତି, ସର୍ବସାଧାରଣ ଆଳତି, ମୈଲମ, ୫.୩୦ରେ ବଲ୍ଲଭ, ୭ଟା ପ୍ରାତଃଧୂପ, ୮ଟାରେ ମହାସ୍ନାନ ନୀତି କରାଯିବା ପରେ ଶ୍ରୀଜିଉଙ୍କୁ ବିଭିନ୍ନ ସ୍ବର୍ଣ୍ଣା ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା । ଅପରାହ୍ନରେ ବେଢ଼ା ପରିକ୍ରମା ପରେ ସର୍ବ ସାହଣମେଳା ଦର୍ଶନ ଆରମ୍ଭ ହୋଇଥିଲା । ରାତି ୯ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ ପାଇଁ ମନ୍ଦିର ଖୋଲା ରହିଥିଲା ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟାରେ ନୀଳମାଧବ ମନ୍ଦିର ପୂଜକ ସମାଜ ପକ୍ଷରୁ ସିଂହଦ୍ବାର ସ୍ଥିତ ସିଂହ ରାସମଣ୍ଡପ ପରିସରରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ଭଜନସନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇଛି । ନୀଳମାଧବଙ୍କ ନବନିର୍ମିତ ଶ୍ରୀପୟର ଏବଂ ସୁନାବେଶ ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗି ରହିଥିବାରୁ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ନୂଆବର୍ଷରେ ସୁନାବେଶରେ ଦର୍ଶନ ଦେଲେ ମା' ତାରିଣୀ ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ବିଜୟାଦଶମୀ, ସୁନାବେଶରେ ଦର୍ଶନ ଦେବେ ମହାବାହୁ |
ଇଟିଭି ଭାରତ, ନୟାଗଡ଼