ଅମିନ ପରୀକ୍ଷାରେ ଦୁର୍ନୀତି ! ସରକାରଙ୍କୁ ଟାର୍ଗେଟ କଲେ ପରୀକ୍ଷାର୍ଥୀ - OSSSC EXAM IRREGULARITIES
Published : Oct 4, 2024, 3:15 PM IST
STUDENTS PROTEST: କଟକ: ସାରା ରାଜ୍ୟରେ ଚାଲୁଥିବା ଆରଆଇ ଏବଂ ଅମିନ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ । ଏହି ଘଟଣାରେ ନ୍ୟାୟ ପାଇବା ପାଇଁ ଷ୍ଟୁଡେଣ୍ଟ୍ ଏଗେନଷ୍ଟ କରପ୍ସନ ସଂଗଠନ ପକ୍ଷରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶହଶହ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଛାତ୍ରଛାତ୍ରୀମାନେ ନେତାଜୀ ବସ ଟର୍ମିନାଲରେ ଥିବା ଲାଇବ୍ରେରୀ ନିକଟରୁ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି ।ପରୀକ୍ଷାର୍ଥୀ କହିଛନ୍ତି," ତୁରନ୍ତ ସରକାର ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରନ୍ତୁ । ଏହାଛଡା ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ପୂର୍ବରୁ କଳା ତାଲିକାଭୁକ୍ତ ଥିବାବେଳେ କିପରି ସେ ସଂସ୍ଥା ପରୀକ୍ଷା କରୁଛି । "
ଏହାବ୍ୟତୀତ କଟକ, ଭୁବନେଶ୍ୱର ଭଳି ସ୍ଥାନରେ ଘରୁ ଟଙ୍କା ନ ଆଣି ନିଜେ ଟ୍ୟୁସନ କରି ଏହି ପରୀକ୍ଷା ପାଇଁ ପାଠ ପଢିଥିଲେ ଛାତ୍ରଛାତ୍ରୀ । ପରୀକ୍ଷାରେ ଏପରି ଦୁର୍ନୀତି କରିବା ପରୀକ୍ଷାର୍ଥୀମାନଙ୍କୁ ଦେଇଛି ଶକ୍ତ ଝଟକା । କାହିଁକି ନା ଅନେକ ବର୍ଷ ଧରି ପାଠ ପଢି ଚାକରି କରିବା ପାଇଁ ସହର ରହିଛନ୍ତି ଏମାନେ । ହେଲେ ସରକାରଙ୍କ ଏଭଳି ପରୀକ୍ଷା ପରିଚାଳନା ନୀତି ପାଇଁ ଭବିଷ୍ୟତ ଅନ୍ଧାର ହୋଇଥିବା କହିଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ ଏହି ପରୀକ୍ଷାକୁ ବାତିଲ କରିବା ସହ ଆଉ ଥରେ ପରୀକ୍ଷା କରଯାଉ । ଏପରିକି ଭଲ ଅନୁଷ୍ଠାନରେ ପରୀକ୍ଷା କରାଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ ।
ଇଟିଭି ଭାରତ,କଟକ