ରଥଖଳା ହାଲଚାଲ: 3 ରଥର ୯ଟି ଲେଖାଏଁ ଚଉଦ ନାହାକା ନିର୍ମାଣ ସହ 4ଟି ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ - Ratha Yatra 2024 - RATHA YATRA 2024
Published : Jun 16, 2024, 5:30 PM IST
Ratha Yatra 2024: ପୁରୀ: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ଅଳ୍ପଦିନ ବାକି । ଏପଟେ ଜୋରଦାର ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଆଜି 3 ରଥରେ 2ଟି ଲେଖାଏଁ ଗରଗରା ଉଠି କଣ୍ଟା ପଡ଼ିବା କାର୍ଯ୍ୟ ସମ୍ପନ୍ନ ହୋଇଛି । 3 ରଥର ୯ଟି ଲେଖାଏଁ ଚଉଦ ନାହାକା ନିର୍ମାଣ ସହ 4ଟି ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଛି । ରୂପକାର ସେବକମାନେ 3 ରଥର ସିଂହାସନ ମୁହାଁଟିରେ ଚିତ୍ର ଖୋଦେଇ ସହ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଗୟଳ କଣ୍ଟା, ଯୋକା କଣ୍ଟା ଏବଂ ଚନାକ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।
ଗତକାଲି (ଶନିବାର) 3 ରଥର ଦିଗ ନିର୍ଣ୍ଣୟ ପୂର୍ବକ ଚକ ଅଖ ଖଞ୍ଜା ବା ଚକ ଥାକ ଶେଷ ହୋଇ 3 ରଥର ଦଣ୍ଡା ଫ୍ରେମରେ ବିଭିନ୍ନ ଅଂଶ ଖଞ୍ଜା କାର୍ଯ୍ୟ କରାଯାଇ ନମ୍ବରିଂ ପରେ ଦଣ୍ଡା ଫ୍ରେମ ଖୋଲାଯାଇଥିଲା । ରଥ ମୁଖ୍ୟ ମହାରଣାଙ୍କ ଦ୍ଵାରା ଅନୁକୂଳ ପୂଜା ପରେ ଦଣ୍ଡା ଗୁଡ଼ିକ ଅଖ ଉପରେ ଖଞ୍ଜିବା ପାଇଁ ମାପ ଚିହ୍ନ ଦେବା ପରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକମାନେ 3 ରଥ ଅଖ ଉପରକୁ ଦଣ୍ଡା ଉଠାଇଥିଲେ । ଦଣ୍ଡା ପଡ଼ିବା ପରେ ମହାରଣା ସେବକମାନେ 3 ରଥର 'ଦଣ୍ଡା ଗୋଳେଇ' କାର୍ଯ୍ୟ କରିଥିଲେ । ରଥର ଦଣ୍ଡାକୁ ଅଖ ସହ ଖଞ୍ଜାଯାଇ ପାଞ୍ଚ ଦଣ୍ଡା ଆଗ ଓ ପଛରେ ମୁହାଁଟ ସଂଯୋଗ ହୋଇ ଆଗ ମୁହାଁଟରେ 5ଟି ସାଲ ଗୁଜ ଏବଂ ପଛ ମୁହାଁଟରେ 3ଟି ଜଳଯନ୍ତ୍ର ଏବଂ 2ଟି ସାଲ ଗୁଜ ଉଠି ଗୁଜ ଉପରେ ବିରାଡ଼ି ପଡ଼ିଥିଲା ।
ଏହାସହ କୁଡୁକା ସଂଯୋଗ ପରେ କତା ଦଉଡିରେ ଟାଣ ଦେଇ ବାନ୍ଧେଣି କରାଯାଇଥିଲା । ଏହାପରେ ଅନୁକୂଳ ପୂଜା ପୂର୍ବକ ଓଝା ସେବକମାନେ ମୁଖ୍ୟ ମହାରଣା, ମୁଖ୍ୟ ଭୋଇ ସେବକଙ୍କ ଉପସ୍ଥିତିରେ ତିନି ରଥ ଅଖ ଉପରେ ଦଣ୍ଡା ଫ୍ରେମ ମଜବୁତ ପାଇଁ କଣ୍ଟା ବାଡିଆ କାର୍ଯ୍ୟ ଶେଷ କରିଥିଲେ । ତେବେ ରଥଯାତ୍ରା ପାଖେଇ ଆସୁଥିବାବେଳେ ଯୁଦ୍ଧକାଳୀନ ଭିତିରେ ରଥର ନିର୍ମାଣ କାର୍ଯ୍ୟ ଚାଲିଛି । ରଥଖଳାରେ ରୂପକାର ସେବକମାନେ ରଥ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।
ଇଟିଭି ଭାରତ, ପୁରୀ