ଜଗତସିଂହପୁର: ଚାଷୀ ଜୀବନ ହାରିବା ଘଟଣାକୁ ନେଇ ବିକ୍ଷୋଭ । ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ତଣ୍ଡିକୁଳ ପଂଚାୟତର ସରଣା ଗାଁର ଯୁବ ଚାଷୀ କୁର୍ତ୍ତିବାସ ସ୍ୱାଇଁଙ୍କ ଜୀବନ ହାରିବା ଘଟଣାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ରାସ୍ତା ରୋକ କରିବା ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଛି ।
ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ
ଅଦିନିଆ ବର୍ଷାରେ ଉଜୁଡା ଧାନକୁ ଦେଖି ଜଗତସିଂହପୁର ଜିଲ୍ଲାର ବାଲିକୁଦା ତହସିଲ ଅନ୍ତର୍ଗତ ତଣ୍ଡିକୁଳ ପଞ୍ଚାୟତର ସରଣା ଗାଁର ଯୁବ ଚାଷୀ କୃର୍ତ୍ତିବାସ ସ୍ୱାଇଁ ଜୀବନ ହାରିବ ଘଟଣା ତେଜିବାରେ ଲାଗିଛି । ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜଗତସିଂହପୁର ସହରର ମୁଖ୍ୟ ରାସ୍ତାକୁ ଅବରୋଧ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ରାସ୍ତା ଉପରେ ବସି ମୃତ ଚାଷୀ କୃର୍ତ୍ତିବାସ ସ୍ୱାଇଁଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଓ ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦେବାକୁ ଦାବି କରିଥିଲେ ।
ମୃତ ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି
ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ଆବାହକ ଶେଷଦେବ ନନ୍ଦ କହିଛନ୍ତି," ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଋଣ କରି ଚାଷୀଟିଏ ଚାଷ କରି ଜମିରେ ମାସ ମାସ ଧରି ଖଟି, ଉତ୍ପାଦନ ସମୟରେ ଯଦି ଏହିଭଳି ପରିସ୍ଥିତି ସୃଷ୍ଟି ହୁଏ ତେବେ ଚାଷୀଟି ଆତ୍ମହତ୍ୟା କରିବ । ରାଜ୍ୟ ସରକାର ତୁରନ୍ତ ରିଲିଫ କୋର୍ଡର ସଂଶୋଧନ କରି କ୍ଷତିଗ୍ରସ୍ତ ଚାଷୀ ଓ ଭାଗଚାଷୀଙ୍କୁ ଚିହ୍ନଟ କରି ସହାୟତା ଯୋଗାଇ ଦିଅନ୍ତୁ । ବାଲିକୁଦା ବ୍ଲକର ଯେଉଁ ଯୁବ ଚାଷୀଜଣଙ୍କ ଧାନ ନଷ୍ଟ ହୋଇଯିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି, ରାଜ୍ୟ ସରକାର ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 10 ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ସହ ମୃତ ଚାଷୀର ପତ୍ନୀଙ୍କୁ ସରକାରୀ ଚାକିରି ପ୍ରଦାନ କରନ୍ତୁ ।"
ଏହାମଧ୍ୟ ପଢନ୍ତୁ... ଫସଲ ଉଜୁଡି ଯିବାରୁ ଚାଷୀ ଜୀବନ ହାରିଥିବା ଅଭିଯୋଗ, ପରିବାରକୁ ଭେଟିଲେ ନବୀନ |
ଗାଡି ଚଳାଚଳ ବାଧାପ୍ରାପ୍ତ
ଜଗତସିଂହପୁର ମୁଖ୍ୟରାସ୍ତା ଅବରୋଧ ଯୋଗୁ ସହରରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ଜଗତସିଂହପୁର ତହସିଲଦାର ତାରିଣୀ ପ୍ରସାଦ ରାୟ ପହଞ୍ଚି ନବ ନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ତେବେ ତୁରନ୍ତ କ୍ଷତିପୂରଣ ଦାବିରେ ସଂଗଠନ ଅଟଳ ରହିଛି ।
ଇଟିଭି ଭାରତ, ଜଗତସିଂହପୁର