ଅଯୋଧ୍ୟାରେ ବିରାଜିଲେ ରାମଲାଲା; ରାମନାମରେ କମ୍ପିଲା ମାଲକାନଗିରି
Published : Jan 23, 2024, 7:25 AM IST
Malkangiri celebrated Ram temple inauguration: ମାଲକାନଗିରି: 500 ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ଦିବ୍ୟ ମୂହୁର୍ତ୍ତରେ ଅଯୋଧ୍ୟା ଭବ୍ୟ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶ ଉତ୍ସବମୁଖର ହୋଇଉଠିଥିଲା । ପୁରଠୁ ପଲ୍ଲୀ ସବୁଠି ରାମଲାଲାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ମାଲକାନଗିରି ଜିଲ୍ଲାରେ ମଧ୍ୟ ଗ୍ରାମାଞ୍ଚଳଠୁ ନେଇ ସହର ପର୍ଯ୍ୟନ୍ତ ରାମଲାଲାଙ୍କୁ ସ୍ୱାଗତ କରାଯାଇଥିଲା । ଗ୍ରାମାଞ୍ଚଳରୁ ସହର ଯାଏ ଏକ ବିରାଟ ଶୋଭାଯାତ୍ରା ବାହାରି ଶ୍ରୀରାମଙ୍କର ଜୟ ଜୟକାର କରିଥିଲେ ଶତାଧିକ ପୁରୁଷ ଓ ମହିଳା ।
ସେହିଭଳି କୁଡୁମୁଲୁଗୁମାଠାରେ ଏକ ନୂତନ ଶ୍ରୀରାମଙ୍କ ଅସ୍ଥାୟୀ ମନ୍ଦିର କରି ସେଠାରେ ଶ୍ରୀରାମ, ଲକ୍ଷ୍ମଣ, ମାତା ଶୀତା ଓ ଭକ୍ତ ହନୁମାନଙ୍କ ପିତ୍ତଳ ବିଗ୍ରହଗୁଡିକୁ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଅନ୍ୟପଟେ ଗୋବିନ୍ଦପାଲି, ମାଥିଲି, ପାଙ୍ଗାମ, ବାଳିମେଳା, ଚିତ୍ରକୁଣ୍ଡା, କାଲିମେଳା, ପଡିଆ, ମଟୁ, ପଟେରୁଠାରେ ମଧ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି । ସେହିଭଳି ବଣ୍ଡାଘାଟିର ସୀତାକୁଣ୍ଡ ସ୍ଥିତ ରାମ ମନ୍ଦିର ଠାରେଉତ୍ସବ ପାଳନ କରାଯାଇଛି । ଏଥିସହ ମାଲକାନଗିରି ସହରରେ ଥିବା ରାମ ଭକ୍ତ ହନୁମାନଙ୍କ ମନ୍ଦିର ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ରାମମନ୍ଦିରଠାରେ ପହଞ୍ଚିଥିଲେ ହଜାର ହଜାର ସଂଖ୍ୟାରେ ଜିଲ୍ଲାର ରାମଭକ୍ତ । ମହିଳା ପୁରୁଷ ଏବଂ କୁନି କୁନି ପିଲାମାନେ ରାମନାମରେ ଝୁମି ଉଠିଥିଲେ । ଏହାସହ ସହରରେ ଥିବା ସମସ୍ତ ମନ୍ଦିରଗୁଡିକରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।
ଇଟିଭି ଭାରତ, ମାଲକାନିଗିରି