ଭିତରକନିକା ଜାତୀୟ ଉଦ୍ୟାନ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ ଆରମ୍ଭ - BHITARKANIKA ECO RETREAT
Published : Dec 1, 2024, 10:40 PM IST
କେନ୍ଦ୍ରାପଡ଼ା: ବହୁ ବାଦ ବିବାଦ ପରେ ଆଜି ଠାରୁ ଭିତରକନିକା ଜାତୀୟ ଉଦ୍ୟାନ ପେଣ୍ଠ ବେଳାଭୂମିରେ ଆରମ୍ଭ ହୋଇଛି ଇକୋ-ରିଟ୍ରିଟ । ସାମାଜିକ କର୍ମୀ ଆଳୟ ସାମନ୍ତରାୟ ଏହାର ସ୍ଥାନାନ୍ତର ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଚିଠି ଲେଖିବା ପରେ ବିବାଦ ଦେଖା ଦେଇଥିଲା । ଏହି ଚିଠିରେ ଆଳୟ ଉଲ୍ଲେଖ କରିଥିଲେ,"ଗହୀରମଥା ସାମୁଦ୍ରିକ ଅଞ୍ଚଳ ଅଧିନ ପେଣ୍ଠ ବେଳାଭୂମିକୁ ନଭେମ୍ବର ମାସ ଆରମ୍ଭରୁ ମେ' ମାସ ଶେଷ ପର୍ଯ୍ୟନ୍ତ ଅଲିଭ ରିଡଲେ କଇଁଛ ଅଣ୍ଡାଦେବାକୁ ଆସୁଥିବା ବେଳେ ଏହି ଇକୋ ରିଟ୍ରିଟ ଯୋଗୁଁ ପରିବେଶ ପ୍ରଦୂଷିତ ହେବ । ଏହା ସଙ୍ଗେସଙ୍ଗେ ଉଚ୍ଚ କ୍ଷମତା ସମ୍ପନ୍ନ ଲାଇଟ ଓ ଯନ୍ତ୍ରଚାଳିତ ବୋଟ ବ୍ୟବହାର କାରଣରୁ ବିଶେଷ କରି ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତାଜନକ" ବୋଲି ଦର୍ଶାଇ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସରକାରଙ୍କ ବନ୍ୟପ୍ରାଣୀ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ନଭେମ୍ବର ୧୨ ତାରିଖରେ ଚିଠି ଲେଖିଥିଲେ ।
ତେବେ ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟର ଉଦଘାଟନ ହୋଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ଏହାକୁ ଉଦଘାଟନ କରିଛନ୍ତି । ବିଧାୟକଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହାକୁ ପୂର୍ବ ବର୍ଷ ଅପେକ୍ଷା ଆହୁରି ଆକର୍ଷଣୀୟ କରିବା ଲାଗି ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ପୁରା ଦମରେ ଲାଗିପଡିଛନ୍ତି । ଆକର୍ଷଣୀୟ ପାର୍କ ସହ ଅସ୍ଥାୟୀ ଶୀତତାପ ନିୟନ୍ତ୍ରିତ ତମ୍ବୁ, ଭିୟୁ ପଏଣ୍ଟ ସହ ନାନାରକମର ସୁସଜ୍ଜିତ ଚକମକ ଆଲୋକରେ ସଜେଇ ହେଇଛି ରାଜନଗରର ପେଣ୍ଠ ବେଳାଭୂମି । ବେଳାଭୂମିରେ ନିର୍ମାଣ ହୋଇଥିବା ୩୦ଟି କଟେଜରେ ଦେଶ ବିଦେଶର ପର୍ଯ୍ୟଟକମାନେ ରହି ପଞ୍ଚ ତାରକା ହୋଟେଲର ଅନୁଭୂତି ସାଉଁଟି ପାରିବେ । ଭିତରକନିକାରେ ଥିବା ବିଭିନ୍ନ ପ୍ରକାରର ପଶୁ ପକ୍ଷୀଙ୍କୁ ଦେଖିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ବୋଲି ଅତିଥି କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଭୁବନେଶ୍ୱର ପ୍ରଧାନ ହେବେ ନୂଆ କଂସ ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମହୋତ୍ସବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ |
ଇଟିଭି ଭାରତ, କେନ୍ଦ୍ରାପଡା