ଦଣ୍ଡାଧର ପର୍ଯ୍ୟଟନ ସ୍ଥଳୀ ଲୋକାର୍ପିତ, ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ - DANDADHAR TOURISM SITE
Published : Dec 24, 2024, 10:09 AM IST
ଢେଙ୍କାନାଳ: ଲୋକାର୍ପିତ ହେଲା ଦଣ୍ଡାଧର ପର୍ଯ୍ୟଟନ ସ୍ଥଳୀ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ ଦଣ୍ଡାଧର ପର୍ଯ୍ୟଟନ ସ୍ଥଳୀକୁ ଲୋକାର୍ପିତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ୫ କୋଟି ୬ ଲକ୍ଷ ଟଙ୍କା ଖର୍ଚ୍ଚା କରାଯାଇ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା, ଶିଶୁ କ୍ରୀଡ଼ା କ୍ଷେତ୍ର, ଭୋଜି ପିଣ୍ଡି, ଚଲାରାସ୍ତା, ଶୌଚାଳୟ, ଫୁଡ୍ ପ୍ଲାଜା ଆଦି ଉନ୍ନତିକରଣ କାର୍ଯ୍ୟ କରାଯାଇଛି । ଆବଶ୍ୟକ ପଡିଲେ ଆହୁରି ୧୦ କୋଟି ଟଙ୍କା ମଞ୍ଜୁର କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ବିକଶିତ କରିବାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ସମସ୍ତ ପ୍ରକାରର ଉଦ୍ୟମ କରୁଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଢ଼େଙ୍କାନାଳ ଜିଲ୍ଲାକୁ ଅଗ୍ରାଧିକାର ଦିଆ ଯାଇଛି ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ।
ଦଣ୍ଡାଧାର ପର୍ଯ୍ୟଟନ ସ୍ଥଳୀର ବିକାଶ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକମାନଙ୍କର ଆର୍ଥିକ ବିକାଶ ଘଟିବା ସହ ମହିଳାମାନଙ୍କ ବିକାଶ, ସୁରକ୍ଷା ଏବଂ ସଶକ୍ତିକରଣ ହୋଇପାରିବ । ଏଥିସହିତ ସୁଭଦ୍ରା ଯୋଜନାରୁ ଜଣେ ହେଲେ ହିତାଧିକାରୀ ବଞ୍ଚିତ ହେବେ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଦଣ୍ଡାଧର ପର୍ଯ୍ୟଟନ ସ୍ଥଳୀର ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ଯୋଗ ଦେଇଥିଲେ । ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ଯୋଗୁଁ ଢ଼େଙ୍କାନାଳ ଜିଲ୍ଲାର ଆକର୍ଷଣ ବୃଦ୍ଧି ପାଇବ, ଏଥି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଲୋକାର୍ପଣ ଉତ୍ସବରେ ଢେଙ୍କାନାଳ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ମହିଳାଙ୍କ ସହଭାଗିତାରେ କେନ୍ଦୁଝର ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ: ଉପମୁଖ୍ୟମନ୍ତ୍ରୀ ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାର ପର୍ଯ୍ୟଟନ ବିକାଶର ମଙ୍ଗ ଧରିବ କୋରାପୁଟ: ପ୍ରଭାତି ପରିଡା |
ଇଟିଭି ଭାରତ, ଢେଙ୍କାନାଳ