କେନ୍ଦୁଝର: ନାବାଳିକା ଦୁଷ୍କର୍ମକାରୀକୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ । ଗତକାଲି(ମଙ୍ଗଳବାର) କେନ୍ଦୁଝର ଜିଲ୍ଲା ଦୌରା ଜଜ୍ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତକୁ 20 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । 2017 ମସିହାରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା । 7 ବର୍ଷ ପରେ ମାମଲା ରାୟ ପ୍ରକାଶ ପାଇଛି ।
ନାବାଳିକା ଦୁଷ୍କର୍ମକାରୀକୁ 20 ବର୍ଷ ଜେଲ:
ନାବାଳିକା ଦୁଷ୍କର୍ମ ଘଟଣାର ଦଣ୍ଡ ବିଧାନ ହୋଇଛି । ଏଡିଜେ କମ୍ ସ୍ପେଶାଲ ପୋକ୍ସୋ ଜଜ୍ ମୋନାଲିସା ମହାନ୍ତି ଏହି ମାମଲାର ଶୁଣାଣି କରି ଦୁଷ୍କର୍ମକାରୀ ରାଜେନ୍ଦ୍ର ବାରିକକୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ଏହା ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିବା ବେଳେ ଅନାଦେୟ ଏକ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ଏହି କେସଟିକୁ ସରକାରୀ ଓକିଲ ଭାବେ ଗଣେଶ ପ୍ରସାଦ ମହାପାତ୍ର ପରିଚାଳନା କରୁଥିବା ବେଳେ ଘଟଣାରେ ପୀଡ଼ିତାକୁ ଅନୁକମ୍ପା ମୂଳକ ସହାୟତା ରାଶି ଭାବେ ଦଶ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି କୋର୍ଟ ।
2017ର ଦୁଷ୍କର୍ମ ଘଟଣା:
ଏହି ଦୁଷ୍କର୍ମ ଘଟଣାଟି 2017ରେ ଘଟିଥିଲା । ଅଭିଯୋଗ ଅନୁସାରେ, ୨୦୧୭ ମସିହାରେ ନାବାଳିକା ପୀଡିତା ଭୁବନେଶ୍ୱରରେ ତାର ଦୁଇ ନାବାଳକ ଭାଇ ମା’ ଓ ବାପା ସହ ରହୁଥିଲେ । ଏହି ସମୟରେ ରାଜେନ୍ଦ୍ର ବାରିକ ତାଙ୍କ ଘରକୁ ଯିବା ଆସିବା କରୁଥିଲା । ଯିବା ଆସିବା ମଧ୍ୟରେ ପୀଡିତାଙ୍କ ମା’ ସହ ଅନ୍ତରଙ୍ଗ ବଢିଥିବା । ମା’ ସହ ଅନୈତିକ ସମ୍ପର୍କ ଥିବା ଜାଣିବା ପରେ ପୀଡିତାଙ୍କ ବାପା ସେମାନଙ୍କୁ ଛାଡି ପଳାଇଥିଲେ । ପୀଡିତାଙ୍କ ବାପା ଛାଡି ପଳେଇବା ପରେ ମା’ ଦୁଇ ଭାଇ ସହ କେନ୍ଦୁଝର ପଳାଇ ଆସିଥିଲେ । ସହରରେ ଥିବା ଏକ ଲଜ ନିକଟରେ ଜରିପାଲ ଟାଣି ରହୁଥିଲେ ।
ଧମକ ଦେଉଥିଲା ଅଭିଯୁକ୍ତ:
ଏହାରି ଭିତରେ ଅଭିଯୁକ୍ତ ମଧ୍ୟ ସେମାନଙ୍କ ସହ ରହୁଥିଲା । ରାତିରେ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲା । ଘଟଣାରେ ବିଷୟରେ କାହାରିକୁ ନଜଣାଇବାକୁ ଧମକ ଦେଇଥିଲା । ପୀଡିତାଙ୍କ ମା’ ଏହା ଜାଣିବା ପରେ ପ୍ରତିବାଦ କରୁଥିଲେ ହେଲେ ସେ ଶୁଣିନଥିଲା । ଏପରି ଘଟଣା ବାରମ୍ବାର ହେବାରୁ ନାବାଳିକା ଘରୁ ବାହାରି ଆସି କରଞ୍ଜିଆ ବସଷ୍ଟାଣ୍ଡ ନିକଟରେ ବସିଥିଲେ । ଏହି ସମୟରେ ଚାଇଲ୍ଡ ଲାଇନ ଆସି ତାକୁ ଉଦ୍ଧାର କରି କାଉନସିଲ କରିଥିଲେ । ଏହି କାଉନସିଲରେ ତାକୁ ଦୁଷ୍କର୍ମ ହୋଇଥିବା ସେ ପ୍ରକାଶ କରିଥିଲା ।
ଏହା ମଧ୍ୟ ପଢନ୍ତୁ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଆସିଲା ରାୟ, ଅଭିଯୁକ୍ତକୁ 20 ବର୍ଷ ଜେଲ୍ ଦୁଷ୍କର୍ମ ପରେ ନାବାଳିକାକୁ ପୋଡି ମାରିଦେଇଥିଲେ, 3 ଜଣଙ୍କୁ ଆଜୀବନ କାରାଦଣ୍ଡ |
ଏନେଇ ଚାଇଲ୍ଡ ଲାଇନ୍ ପକ୍ଷରୁ ଟାଉନ ଥାନାରେ ୨୯୦/୧୪/୨୦୨୨/୧୭ରେ କେସ କରିବାରୁ ଟାଉନ ପୋଲିସ ୩୬୬/ ୧୭ରେ ରାଜେନ୍ଦ୍ର ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । କୋର୍ଟ ଗତକାଲି ୬ ପୋକ୍ସୋ ୩୭୬(୨)ଆଇ ୩୭୬(୨)ଏନରେ ଶୁଣାଣି କରି ସଜ୍ଜା ଶୁଣାଇଛନ୍ତି । ଅଭିଯୁକ୍ତକୁ 20 ବର୍ଷ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।
ଇଟିଭି ଭାରତ, କେନ୍ଦୁଝର