ଭୁବନେଶ୍ବର: 2024 ସାଧାରଣ ନିର୍ବାଚନ ଫଳାଫଳକୁ ନେଇ ସନ୍ଦେହ ପ୍ରକାଶ କରିଛି ବିଜେଡି । ନିର୍ବାଚନ ସମ୍ପର୍କିତ ତଥ୍ୟ ନଦେବା ଓ ଅନ୍ୟାନ୍ୟ ଅସଙ୍ଗତିକୁ ନେଇ ନିର୍ବାଚନ ଆୟୋଗଙ୍କୁ ଘେରିଛି ଦଳ । ଭୋଟ ଓ ଗଣତିରେ ଥିବା ତାରତମ୍ୟକୁ ନେଇ ନିର୍ବାଚନ ଆୟୋଗଙ୍କ ଦକ୍ଷତା ଉପରେ ବିଜେଡି ପ୍ରଶ୍ନ ଉଠାଇଛି । ନିର୍ବାଚନକୁ ୬ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତଥ୍ୟ ମିଳିନଥିବା କହିଛି ବିଜେଡି ।
'ରିସର୍ଚ୍ଚ କରି ତଥ୍ୟ ସଂଗ୍ରହ କରିଛୁ':
ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ନିର୍ବାଚନ ଫଳାଫଳକୁ ନେଇ ସାରା ଓଡ଼ିଶାରେ ସନ୍ଦେହ ସୃଷ୍ଟି ହୋଇଛି । ସେହି ସନ୍ଦେହ ଦୂର କରିବା ପାଇଁ ବିଜେଡିର ପ୍ରତିନିଧି ଦଳ ଭାରତୀୟ ନିର୍ବାଚନ କମିସନଙ୍କୁ ଭେଟିଛନ୍ତି । ନିର୍ବାଚନ ସରିବା ପରେ ବିଜେଡି ପକ୍ଷରୁ ସବୁ ବୁଥ ପାଇଁ ଜିଲ୍ଲାପାଳମାନଙ୍କୁ ତଥ୍ୟ ମାଗିଥିଲୁ । 17(C) ପାର୍ଟ 1 ଓ ଫର୍ମ 20 ର ତଥ୍ୟ ମାଗିଲୁ । ହେଲେ ସେମାନେ ଦେଲେନାହିଁ । ସମସ୍ତ ତଥ୍ୟ ସର୍ବସାଧାରଣରେ ରହିବା କଥା । ନିର୍ବାଚନ ଲଢିଥିବା ସମସ୍ତ ପ୍ରାର୍ଥୀ ତଥ୍ୟ ପାଇବାର ଅଧିକାର ଅଛି । ତଥ୍ୟ ନଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବୋଧେ ଅଲିଖିତ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅଧିକାର ଜରିଆରେ ମଧ୍ୟ ତଥ୍ୟ ଦିଆଯାଇ ନାହିଁ । 6 ମାସ ରିସର୍ଚ୍ଚ କରି ଆମେ କିଛି ତଥ୍ୟ ସଂଗ୍ରହ କରିଛୁ । ସେଥିରେ ଅନେକ ଅସଙ୍ଗତି ଓ ତାଳମେଳ ନଥିବା ଆମ ନଜରକୁ ଆସିଛି ।"
ଅରୁଣ ସାହୁ ଆହୁରି କହିଛନ୍ତି, "ପ୍ରିଜାଇଡିଂ ଅଫିସର 17 (C) ପାର୍ଟ 1 ଫର୍ମରେ ବୁଥରେ ଭୋଟର ଓ ଭୋଟ ସଂଖ୍ୟା ତଥ୍ୟ ଲେଖିକି ଦେବେ । ଗଣତି ସମୟରେ ରିଟର୍ଣ୍ଣିଂ ଅଫିସର ଫର୍ମ 20ରେ ବୁଥରେ କେତେ ଭୋଟର ଓ କେତେ ଭୋଟ ପଡିଛି ତଥ୍ୟ ଦେବେ । ଫର୍ମ 17 (C) ପାର୍ଟ 1 ରେ ଗୋଟେ ସଂଖ୍ୟା ଥିବାବେଳେ କେଉଁଠି 5, 10 ଓ 6 ଶହ ଅଧିକ ଭୋଟ ଦର୍ଶା ଯାଇଛି । ଆଉ କେଉଁଠି ଜିରୋ ହୋଇଛି । 6 ମାସର ରିସର୍ଚ୍ଚ ନେଇ ତଥ୍ୟ ଦେଉଛୁ । ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରୁଥିବା ନିର୍ବାଚନ ଆୟୋଗ ଦାବି କରୁଛନ୍ତି । ତେଣୁ ଲୋକ ଓ ବିଜେଡି ମନରେ ଉଠୁଥିବା ସନ୍ଦେହ ଦୂର କରିବା ECIଙ୍କ ଦାୟିତ୍ୱ । ଯଦି ECI ଠିକ, ତେବେ ବିଜେଡି ମାଗୁଥିବା ସାର୍ଟିଫାଏଡ କପି କାହିଁକି ଦେଉନାହାନ୍ତି ? କେଉଁ ଅଦୃଶ୍ୟ ଚାପରେ ଚେପା ହୋଇଛି, ତାହା ଜଣେଇବା କଥା । ନିର୍ବାଚନ ସମ୍ପର୍କିତ ତଥ୍ୟ ଦେବା ଗୋପନୀୟ କଥା ନୁହେଁ ।"
ଅରୁଣ ସାହୁ ଏହା ମଧ୍ୟ କହିଛନ୍ତି, ଭୋଟ ଦିନ ସନ୍ଧ୍ୟା 5ରେ କ୍ଲୋଜ ଅଫ ପୋଲ ହୁଏ । ଯାହାକୁ ନିର୍ବାଚନ ଆୟୋଗ ତାଙ୍କ ୱେବସାଇଟରେ ତାହା ଦେଖାଇବା କଥା । ରାତି 11:45ରେ ଏଣ୍ଡ ଅଫ ପୋଲ ଦେଖାଯାଏ । ସମ୍ପୂର୍ଣ୍ଣ ରିପୋର୍ଟ ପରଦିନ ସକାଳେ ଦେବା କଥା । କିନ୍ତୁ ECI ଏହା ଦେବାରେ 2 ଦିନ ଡେରି କରିଛନ୍ତି । 2024ରେ ନେଟୱାର୍କ ଭଲ ଥିବାବେଳେ ଯଦି କହିବେ ତଥ୍ୟ ଆସି ନଥିଲା, ଏହା ଅପରାଧ । କ୍ଲୋଜ ଅଫ ପୋଲ ଏବଂ ଏଣ୍ଡ ଅଫ ପୋଲରେ ତଥ୍ୟ ଭୁଲ ଆସିଲା । ରାଜ୍ୟରେ ହାତ ଗଣତି କେତେକ ବୁଥକୁ ଛାଡି ଦେଲେ ପ୍ରାୟ ସମସ୍ତ ବୁଥରେ ସନ୍ଧ୍ୟା 5ରୁ 6ଟା ମଧ୍ୟରେ ଶେଷ ହୋଇଛି । ପୂର୍ବ ନିର୍ବାଚନରେ ଏଣ୍ଡ ଅଫ ପୋଲ ଓ ଚୂଡାନ୍ତ ରିପୋର୍ଟରେ ଫରକ 2% ହୋଇପାରେ । ହେଲେ ଏଥର 25-30% ଫରକ ଅଛି ।"
'ମଣିଷ ଜାଲିଆତି କଲେ ଜାଲିଆତି ଫଳ ଆସିବ':
EVMରେ 700 ଜଣ ଭୋଟ ଦେଲେ, ଗଣତି ବେଳେ 735 କେମିତି ହେଉଛି ବା 640 କେମିତି ହେଉଛି ? ଗୋଟେ ଗୋଟେ ବୁଥରେ ପ୍ରିଜାଇଡିଂ ଅଫିସର 8 ଖଣ୍ଡ ଭୋଟ ପଡିଛି ବୋଲି ରିପୋର୍ଟ ଦେଇଛନ୍ତି । କିନ୍ତୁ ଗଣତି ବେଳେ ସେଥିରୁ 500 ଭୋଟ ବାହାରିଛି । ଏମିତି ରିପୋର୍ଟ କେମିତି ଦେଲେ ? ମଣିଷ EVM ଚଳାଏ । ମଣିଷ ଜାଲିଆତି କଲେ ଜାଲିଆତି ଫଳ ଆସିବ । ଜାଲିଆତି ଫଳାଫଳରୁ ଯେଉଁ ଦଳ ଜିତିବ, ଜାଲିଆ ଦଳ ହେବ । ଲୋକଙ୍କ ନିର୍ଦ୍ଦେଶକୁ ଆମେ ମାନିଲୁ । ବିରୋଧୀ ଦଳରେ ବସିଲୁ । ତଥ୍ୟ ମାଗିଲୁ ମିଳିଲା ନାହିଁ । ବିଜେଡି ସାଂସଦମାନେ ECIକୁ ପ୍ରଶ୍ନ କଲେ ବିଜେପି କାହିଁକି ଚିହିଁକି ଉଠିଲା ? ଆମେ ତ ବିଜେପି ନାଁ ନେଇ ନଥିଲୁ । ଠାକୁର ଘରେ କିଏ, ମୁଁ କଦଳୀ ଖାଇନାହିଁ ।"
ଏହା ମଧ୍ୟ ପଢ଼ନ୍ତୁ...2024 ନିର୍ବାଚନରେ ଭୋଟ ଜାଲିଆତି ଅଭିଯୋଗ; ନିର୍ବାଚନ କମିଶନଙ୍କ ଫେରାଦ ହେଲା ବିଜେଡି ଏହା ମଧ୍ୟ ପଢ଼ନ୍ତୁ...ଦରଦାମ ବୃଦ୍ଧିକୁ ବିରୋଧ, ଜାନୁଆରୀ ୬ରୁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି |
ଅରୁଣ ସାହୁ କହିଛନ୍ତି "ଆମେ ECIର ନିରପେକ୍ଷତା ଉପରେ ପ୍ରଶ୍ନ କରିଥିଲୁ । ଯଦି ଜାଲିଆତି ନାହିଁ ପ୍ରମାଣ କରିବେ । ଆମେ ଭାବିବୁ ଗଣତନ୍ତ୍ର ଠିକ ଅଛି । ନବୀନ ପଟ୍ଟନାୟକ ଯେଉଁ ସଭାକୁ ଯାଉଛନ୍ତି, ଲୋକେ ଝୁରି ଝୁରି କାନ୍ଦୁଛନ୍ତି । ଲୋକେ କହୁଥିଲେ ଅଳ୍ପ ହେଲେ ବି ନବୀନ ନିର୍ବାଚନ ଜିତିବେ । ତେଣୁ ଲୋକଙ୍କ ମନରେ ସନ୍ଦେହ ଆସିଲା । ଆମେ 6 ମାସ ରିସର୍ଚ୍ଚ କରି ଏ ସବୁ ତଥ୍ୟ ପାଇଲୁ । ଜାଲିଆତି ହୋଇଥିଲେ, ଜାଲିଆତି ଦଳ ହିଁ ସରକାର କରିବେ । ଏକାମ୍ର ନିର୍ବାଚନ ମଣ୍ଡଳୀରେ ବୁଥ ନମ୍ବର 3ରେ ମୋଟ ଭୋଟର ସଂଖ୍ୟା 1569 । ମତଦାନ କେନ୍ଦ୍ରକୁ ଗଲେ ଓ ଭୋଟ ଦେଲେ 863 । ଯାହା ଫର୍ମ 17 C ପାର୍ଟ 1ରେ ଦିଆଗଲା । ହେଲେ 821 ଭୋଟ ଫର୍ମ 20ରେ ଦିଆଗଲା । ତାହାଲେ 42 ଭୋଟ ଏପଟ ସେପଟ କେମିତି ହେଲା ?"
'ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟରେ ତାରତମ୍ୟ':
ବିଜେଡିର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ କହିଛନ୍ତି, "ଭାରତ ନିର୍ବାଚନ ଇତିହାସରେ ଏପରି ଘଟଣା ପ୍ରଥମ । ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟ କେମିତି ଏତେ ଅଲଗା ? ସବୁ ନିର୍ବାଚନ ମଣ୍ଡଳୀରୁ ତଥ୍ୟ ଆସିନାହିଁ । 17 (C)ର ତଥ୍ୟ ସର୍ବସାଧାରଣରେ ଆସି ପାରିବ । ହେଲେ ଅଧିକାର ଅନୁସାରେ ମିଳିଲା ନାହିଁ । RTIରେ ମାଗିଲେ ବି ମିଳିଲାନାହିଁ । ପୂର୍ବରୁ ଅତିକମରେ 2% ବ୍ୟବଧାନ ଥାଏ । ହେଲେ 2024 ନିର୍ବାଚନରେ 25% ରହିଛି । କଣ୍ଟାମାଳରେ 28% ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ବାଚନ ମଣ୍ଡଳୀରେ 30.64% ଫରକ ରହିଛି । ECIଙ୍କ ଶେଷ ରିପୋର୍ଟରେ 10% ଫରକ ରହିଛି । ଯାହା ବହୁ ବଡ଼ । ଓଡ଼ିଶାର 21 ସଂସଦୀୟ କ୍ଷେତ୍ର ଓ ତା ଅଧୀନ 7 ବିଧାନସଭାରେ ଦୁଇଟି ଭୋଟ ହୁଏ । ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ 4056 ବ୍ୟବଧାନ ରହିଛି । କନ୍ଧମାଳରେ 3521 ଓ ଯାଜପୁରରେ 1587 ରହିଛି । ଏ ସବୁ ବ୍ୟବଧାନ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ତେଣୁ ECIଙ୍କ ପାଖରେ ସ୍ପଷ୍ଟୀକରଣ ପାଇଁ ଫେରାଦ ହୋଇଛି ବିଜେଡି ।"
ଇଟିଭି ଭାରତ, ଭୁବନେଶ୍ବର