ଓଡିଶା

odisha

ETV Bharat / videos

ବାତ୍ୟା ପୂର୍ବରୁ ସମୁଦ୍ର ଅଶାନ୍ତ; ପର୍ଯ୍ୟଟକଙ୍କୁ ସତର୍କତା ପାଇଁ ପୁରୀ ବେଳାଭୂମିରେ ଲାଗିଲା ଲାଲ ପତାକା

By ETV Bharat Odisha Team

Published : 9 hours ago

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା 'ଦାନା'କୁ ନେଇ ଆଶା ଆଶଙ୍କାରେ ଏବେ ଉପକୂଳ ବାସିନ୍ଦା । ବାତ୍ୟାର ପ୍ରଭାବ କେତେ ରହିବ ସେ ନେଇ ଉପକୂଳ ବାସିନ୍ଦାଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଛନକା ଦେଖାଦେଇଛି । ତେବେ ପୁରୀ ଜିଲ୍ଲାରେ ବାତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ନାନା ଆଶା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ବାତ୍ୟାକୁ ମୁକାବିଲା କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଛି । ଏସଆରସିଙ୍କ ନିର୍ଦ୍ଦେଶ ପରେ ପୁରୀ ଜିଲ୍ଲା ସବୁ ତହସିଲଦାର, ବିଡ଼ିଓ ଓ ଥାନା ଅଧିକାରୀଙ୍କୁ ଆଲର୍ଟରେ ରଖାଯାଇଛି । ବତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ସମ୍ପୂର୍ଣ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସ୍ଥଳେ ଲୋକଙ୍କୁ ଅଣାଯାଇ ରଖାଯିବା ପାଇଁ ସବୁ ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପ୍ରଭାବରେ ସମୁଦ୍ରଅଶାନ୍ତ ହେବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବା ନେଇ କଟକଣା ହୋଇଛି ଆସନ୍ତା 26 ତାରିଖ ପର୍ଯ୍ୟନ୍ତ । ଅତ୍ୟାବଶ୍ୟକ ସାମଗ୍ରୀ ଯେଭଳି କଳାବଜାରୀ ନ ହୁଏ ସେ ନେଇ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି । ତେବେ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ କୌଣସି ଅଘଟଣ ଯେଭଳି ନ ହୁଏ ପର୍ଯ୍ୟଟକମାନେ ସମୁଦ୍ର ନ ଗାଧୋଇବାକୁ ସଚେତନ କରାଯାଉଛି । ପୁରୀ ସମୁଦ୍ର କୂଳରେ ନାଲି ପତକା ଲଗାଯାଇ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି ।

ପୁରୀର ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ବେହେରା କହିଛନ୍ତି, "ସମ୍ଭାବ୍ୟ ବାତ୍ୟା ପାଇଁ ଆଇଏମଡି ଯେଉଁ ପୂର୍ବାନୁମାନ କରିଛି ସେଥିପାଇଁ ଆମ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସବୁ ବିଡ଼ିଓ, ତହସିଲଦାରଙ୍କୁ ଆଲର୍ଟ କରିଦିଆଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଠାରୁ ଆସନ୍ତା 26 ତାରିଖ ଯାଏଁ ସମୁଦ୍ରକୁ ମାଛ ମାରିବାକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରଯାଇଛି । ଏନେଇ ବିଭିନ୍ନ ମତ୍ସ୍ୟଜୀବୀ ସଂଘକୁ ସଚେତନ କରାଯାଇଛି । ପୁରୀ ଜିଲାରେ ଥିବା 179ଟି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀକୁ ସମ୍ପୂର୍ଣ୍ଣ ରୂପେ ଆମେ ପ୍ରସ୍ତୁତ କରି ରଖିଛୁ । ଯଦି ଆବଶ୍ୟକତା ପଡେ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣ ରେ ମହଜୁଦ ରଖିବାକୁ ଜିଲା ଯୋଗାଣ ବିଭାଗକୁ କୁହାଯାଇଛି । ଏସଆରସିଙ୍କ ଯାହା ନିର୍ଦ୍ଦେଶନାମା ଆସିବ ତାହାକୁ ଆମେ କାର୍ଯ୍ୟକାରୀ କରାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଜିଲ୍ଲାରେ କେତେ ଏନ୍ ଡି ଆର୍ ଏଫ୍ ଏବଂ ଓଡ୍ରାଫ୍ ଟିମ୍ ଆବଶ୍ୟକତା ରହିଛି ସେ ନେଇ ଆକଳନ କରାଯିବା ପରେ ଏସଆର୍ ସି ଙ୍କୁ ଜଣାଇଦେବୁ । ସେହିପରି ସମୁଦ୍ରରେ ଯେଭଳି କେହି ପର୍ଯ୍ୟଟକ ଏହି ବାତ୍ୟା ସମୟରେ ଯେଭଳି ସମୁଦ୍ର ସ୍ନାନ ନ କରନ୍ତି ସେ ନେଇ ପର୍ଯ୍ୟଟକଙ୍କୁ ସଚେତନ କରାଇବା ପାଇଁ ଜିଲା ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।"

ABOUT THE AUTHOR

...view details