ଓଡିଶା

odisha

ସର୍କସରେ ଆଜିବି ବଞ୍ଚିଛି ରାଜ କପୁରଙ୍କ ସ୍ମୃତି - Circus show in koraput

By ETV Bharat Odisha Team

Published : Jun 14, 2024, 12:47 PM IST

ସର୍କସରେ ଆଜିବି ବଂଚିଛି ରାଜ କପୁରଙ୍କ ସ୍ମୃତି (ETV Bharat Odisha)

କୋରାପୁଟ: ଭାରତୀୟ ସର୍କସ ଦୁନିଆରେ ଚହଳ ପକାଇଥିବା ଚଳଚିତ୍ର ଜଗତର ଏକ ଅମର ପ୍ରସ୍ତୁତି ଭାବେ ପରିଚିତ 'ମେରା ନାମ ଜୋକର' ଚଳଚ୍ଚିତ୍ର ଏବଂ ଏଥିରେ ସର୍କସରେ ଏକ ଜୋକରର ନିଖୁଣ ଅଭିନୟ କରିଥିବା କଳାକାର ରାଜ କପୁର ଆଜି ବି ସର୍କସର କଳାକାରଙ୍କ ସ୍ମୃତିରେ ରହିଛି । ବହୁବର୍ଷ ପରେ ଜୟପୁର ସହରରେ ବର୍ତ୍ତମାନ ପ୍ରଦର୍ଶିତ ହେଉଥିବା ଡାଏମଣ୍ଡ ସର୍କସରେ ଜୋକର ଭାବେ ଅଭିନୟ କରୁଥିବା ମହମ୍ମଦ ଇମାନ ରାଜ କପୁରଙ୍କୁ ମନେ ପକାଇ ଭାବବିହ୍ଵଳ ହୋଇଛନ୍ତି । ରାଜ କପୁରଙ୍କ ଅଭିନୟ ତାଙ୍କୁ ପ୍ରଭାବିତ କରିଥିବା ବେଳେ ତାଙ୍କୁ ଏହି କଳା କ୍ଷେତ୍ରରେ ତାଙ୍କ ଗୁରୁତୁଲ୍ୟ ସମ୍ମାନ ଦିଅନ୍ତି ବୋଲି ସେ ଜଣାଇଛନ୍ତି । 
 

ମଞ୍ଚ ଉପରେ ଦିନ ଗଡ଼ିଲେ ଯେଉଁମାନେ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ନିଜ ନିଖୁଣ କଳା କୌଶଳ ମାଧ୍ୟମରେ ହସ କାନ୍ଦର ଦୁନିଆ ସୃଷ୍ଟି କରନ୍ତି । ସେହି କଳାକାରମାନେ ଜୟପୁରର ସାଧାରଣ ଜନତାଙ୍କ ସହ ମିଳିମିଶି ଆଜିବି ସର୍କସକୁ ବଞ୍ଚାଇ ରଖିଛନ୍ତି ବୋଲି ଏହି ସର୍କସର ପରିଚାଳକ ଏମ.ଡି ସମସାଦ ହର୍ଷ ବ୍ୟକ୍ତ କରିଛନ୍ତି । ଭାରତ ସରକାରଙ୍କ ଦ୍ବାରା ସର୍କସରେ ଜୀବଜନ୍ତୁଙ୍କ ବ୍ୟବହାର ଉପରେ ନିଷେଧାଦେଶ ଜାରି କରିବା ପରେ ଦେଶର ବହୁ ଖ୍ୟାତି ସମ୍ପନ୍ନ ସର୍କସ ବନ୍ଦ ହୋଇଯାଇଥିବା ବେଳେ ଡାଏମଣ୍ଡ ସର୍କସ ଭଳି କ୍ଷୁଦ୍ର ସର୍କସ ଦେଶ ବିଦେଶର ସର୍କସ କଳାକାରଙ୍କୁ ନେଇ ଆଗକୁ ବଢିଚାଲି ଥିବା ସେ ଜଣାଇଛନ୍ତି । 


ଏହା ମଧ୍ୟ ପଢନ୍ତୁ: ସିଲଭର ସିଟିକୁ ଫେରିଲା ସର୍କସ୍‌; ହସେଇ ହସେଇ ଗଡ଼ାଉଛି ଜୋକର, ମନ କିିଣିଲା ମଣିପୁର ଯୁବତୀଙ୍କ ଦୁଃସାହସିକ ପ୍ରଦର୍ଶନ

ପଶୁ ପକ୍ଷୀଙ୍କ ଅନୁପସ୍ଥିତିରେ ଜିମ୍ନାଷ୍ଟିକସ, ଇକ୍ରୋବେଟିକ୍ସ, ସାଇକଲ ଖେଳ ପ୍ରଭୃତି କୌଶଳ ପ୍ରଦର୍ଶନ କରି ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଉଥିବା କେନିୟାର ଜିମ୍ନାଷ୍ଟ ମାର୍କ ହେରିସନ ଜଣାଇଛନ୍ତି । ଦର୍ଶକଙ୍କ ଉପସ୍ଥିତି ଉତ୍ସାହ ପ୍ରଦାନ କରୁଥିବା ବେଳେ ସର୍କସ, ଅପେରା, ମିନାବଜାର ଭଳି ଚିତ୍ତବିନୋଦନ କରୁଥିବା ବ୍ୟବସ୍ଥା ପାଇଁ ସହରଗୁଡିକରେ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ କରାନଗଲେ ଭବିଷ୍ୟତ ପିଢ଼ି ଏହି ସମସ୍ତ କଳାକ୍ଷେତ୍ର ସମ୍ପର୍କରେ କେବଳ ଇତିହାସ ପୃଷ୍ଠାରେ ପଢିବାକୁ ପାଇବେ ବୋଲି ସମସାଦ ଆଶଙ୍କା ବ୍ୟକ୍ତ କରିଛନ୍ତି । ସର୍କସ ଏକ କର୍ମନିଯୁକ୍ତିର ଉତ୍କୃଷ୍ଟ କ୍ଷେତ୍ର ହୋଇଥିବା ଯୋଗୁଁ ସରକାର ଏହି ପ୍ରଦୂଷଣ ବିହୀନ ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇଦେବା ଆବଶ୍ୟକ ବୋଲି ଜୟପୁରର ବରିଷ୍ଠ ସଂସ୍କୃତି ଗବେଷକ ପରେଶ ରଥ ମତ ରଖିଛନ୍ତି । 

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details