ଓଡିଶା

odisha

By ETV Bharat Odisha Team

Published : Feb 20, 2024, 1:48 PM IST

ETV Bharat / videos

କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ; ପଞ୍ଚଦେବ ସ୍ତୁତି ନୃତ୍ୟରେ ଦର୍ଶକ ବିଭୋର

Konark Dance and Music Festival: ନିମାପଡ଼ା: ସ୍ବର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ନାଟ୍ୟ ମଣ୍ଡପରେ ଆୟୋଜିତ ହୋଇଯାଇଛି ୩୮ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ । ପଞ୍ଚଦେବ ସ୍ତୁତି ନୃତ୍ୟର ତାଳେ ତାଳେ ଝୁମିଲେ ହଜାର ହଜାର ସଂଖ୍ୟକ ଦର୍ଶକ । ନୃତ୍ୟ ଗୁରୁ ସ୍ୱର୍ଗତ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ନାଟ୍ୟ ମଣ୍ଡପରେ ପ୍ରତିବର୍ଷ ଫେବୃଆରୀରେ ୩ ଦିନ ଧରି ଏହି ଉତ୍ସବ ପାଳନ ହୋଇଆସୁଥିବା ବେଳେ ଚଳିତ ବର୍ଷ କିଛି କାରଣକୁ ନେଇ ଗୋଟିଏ ଦିନ ପାଇଁ ଏହି ଉତ୍ସବ ଆୟୋଜିତ ହୋଇଛି । ଉତ୍ସବ ଆରମ୍ଭରେ ପ୍ରଥମେ ବାବା ବାଲୁଙ୍କେଶ୍ୱର ଘଣ୍ଟ ମର୍ଦ୍ଧଳ ଗ୍ରୁପ "ଡିମିରିଶେଣା" କଳାକାରମାନଙ୍କ ଦ୍ଵାରା ଘଣ୍ଟ ଓ ମର୍ଦ୍ଧଳ ତାଳେ ତାଳେ ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ଭୁବନେଶ୍ୱରର ଅଭିରାମ ନନ୍ଦ ନିଜର ବଂଶୀ ସ୍ୱରରେ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ ।

ଦ୍ୱିତୀୟ ଛନ୍ଦରେ ନୃତ୍ୟ ଗୁରୁ ବିଷ୍ଣୁ ସାସମଲଙ୍କ ନୃତ୍ୟାଳୟା ଡ୍ୟାନ୍ସ ଏକାଡେମୀ ନିମାପଡ଼ାର କଳାକାରମାନେ ସ୍ବର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପରିକଳ୍ପିତ ପଞ୍ଚଦେବ ସ୍ତୁତି ନୃତ୍ୟ ଅତି ସୁନ୍ଦର ଭାବେ ପରିବେଷଣ କରିଥିଲେ । ଶ୍ରୀଜନ ଡ୍ୟାନ୍ସ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଶିବ ତାଣ୍ଡବ ଓ ସୂର୍ଯ୍ୟ ବନ୍ଦନା ପରିବେଷଣ ହୋଇଥିଲା । ପରିଶେଷରେ କୋଲକତାର ଅର୍ପିତା ସେନ ଓ ଗ୍ରୁପ ଦ୍ୱାରା ମଧୁରାଷ୍ଟ୍ରକମ ଓ ମୀରା ଭଜନ ଭାରତନାଟ୍ୟମ୍ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କୋଣାର୍କ ନାଟ୍ୟ ମଣ୍ଡପର ବରିଷ୍ଠ ଗୋଟିପୁଅ ଗୁରୁ ଜୟକୃଷ୍ଣ ନାୟକ, ଗୁରୁ ବିଷ୍ଣୁ ସାସମଲ, ନାଟ୍ୟ ମଣ୍ଡପର ସଂପାଦକ ଶିବାଶିଷ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଫେବୃଆରୀ 19ରୁ ୩୮ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ

ଏହି ଉତ୍ସବରେ ମୁଖ୍ୟ ଅତିଥି ଗୁରୁ କେଳୁଚରଣଙ୍କ ପୁଅ ଗୁରୁ ରତିକାନ୍ତ ମହାପାତ୍ର, ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଗୁରୁ ରମଣୀ ରଞ୍ଜନ ଜେନା, ଗୁରୁ ଗଙ୍ଗାଧର ପ୍ରଧାନଙ୍କ ପତ୍ନୀ ସୁଲଚନା ପ୍ରଧାନ, ସମାଜସେବୀ ସପ୍ତରୂପା ଦାଶ ପ୍ରମୁଖ ଅତିଥିମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details