ହାଇଦ୍ରାବାଦ:ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ପହଞ୍ଚିସାରିଛି ଗତ ସେପ୍ଟେମ୍ବର 28 ତାରିଖରେ ଲଞ୍ଚ ହୋଇଥିବା କ୍ରୁ-ମିଶନର ଡ୍ରାଗନ ସ୍ପେଶକ୍ରାଫ୍ଟ । ଏଥିରେ ମହାକାଶ ଯାଇଥିବା ଦୁଇ ମହାକାଶଚାରୀ ISSରେ ପହଞ୍ଚି ସାରିବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ମହାକାଶରେ ଫସିଥିବା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବ୍ୟାରି ୱିଲମୋର । ଏହି 2 ମହାକାଶଚାରୀ ଆସନ୍ତା ବର୍ଷ 2025 ଫେବୃଆରୀରେ ପୃଥିବୀ ଫେରିବେ ।
ମହାକାଶରେ ପହଞ୍ଚିଲା SpaceX କ୍ୟାପସୁଲ:-
ଶନିବାର ଭାରତୀୟ ସମୟ ରାତି ପ୍ରାୟ 10ଟା 47ମିନିଟରେ ମହାକାଶକୁ ଯାତ୍ରା ଆରମ୍ଭ କରିଥିଲା କ୍ରୁ-9 ମିଶନର ସ୍ପେଶକ୍ରାଫ୍ଟ । ଏହି ମିଶନର ଲକ୍ଷ୍ୟ ହେଉଛି ଗତ ଜୁନରୁ ମହାକାଶରେ ଫସିଥିବା ମହାକାଶଚାରୀଙ୍କୁ ପୃଥିବୀ ଫେରାଇ ଆଣିବା । ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ୱିଲମୋର ବୋଇଙ୍ଗର ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ 8ଦିନ ପାଇଁ ମହାକାଶକୁ ଯାତ୍ରା କରିଥିଲେ । ମାତ୍ର ଉକ୍ତ ସ୍ପେଶକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ଗତ 3ମାସ ଧରି ମହାକାଶରେ ଫସିଛନ୍ତି । ସେମାନଙ୍କୁ ଆଣିବାକୁ ଯାଇଥିବା ସ୍ପେଶଏକ୍ସ କ୍ୟାପସୁଲ ରବିବାର ମହାକାଶରେ ସ୍ଥାପିତ ହୋଇଥିବା ISSରେ ପହଞ୍ଚିଛି ।
ସ୍ପେଶ ଏକ୍ସ କ୍ୟାପସୁଲକୁ ସ୍ବାଗତ କଲେ ଅନ୍ୟ ମହାକାଶଚାରୀ:-
ପ୍ରାୟ 265 ମାଇଲ (426କିମି) ଯାତ୍ରା କରି ମହାକାଶରେ ପହଞ୍ଚିଛନ୍ତି ଏହି କ୍ୟାପସୁଲରେ ଯାଇଥିବା 2 ମହାକାଶଚାରୀ ନିକ୍ ହଗ୍ ଓ ଋଷୀୟ ସ୍ପେଶ ଏଜେନ୍ସିର ଆଲେକଜାଣ୍ଡର । ଏମାନେ ମଧ୍ୟ ଆସନ୍ତା ବର୍ଷ ଫେବୃଆରୀ ପର୍ଯ୍ୟନ୍ତ ସ୍ପେଶ ଷ୍ଟେସନରେ ରହିବେ । ସେମାନେ ଯେତେବେଳେ ମହାକାଶରେ ପହଞ୍ଚିଥିଲେ ସେତେବେଳେ ସୁନୀତାଙ୍କ ସମେତ ଅନ୍ୟ ମହାକାଶଚାରୀମାନେ ତାଙ୍କୁ ସ୍ବାଗତ କରିଥିଲେ । ଏଠାରେ କହିରଖୁଛି କି, ସ୍ପେଶ ଷ୍ଟେସନରେ ସବୁବେଳେ ମହାକାଶଚାରୀମାନେ ରହିଥାନ୍ତି । ସେମାନେ ଏଠାରେ ରହି ବିଭିନ୍ନ ପ୍ରକାର ଗବେଷଣା କରିଥାନ୍ତି । ସେମାନେ ସ୍ବତନ୍ତ୍ର ସ୍ପେଶକ୍ରାଫ୍ଟ ଯୋଗେ ମହାକାଶକୁ ଯିବା ଆସିବା କରିଥାନ୍ତି । ଯେମିତି ସୁନୀତା ୱିଲିୟମ୍ସ ବୋଇଙ୍ଗ ପ୍ରଥମ କ୍ରୁ ସ୍ପେଶକ୍ରାଫ୍ଟ 'ଷ୍ଟାରଲାଇନର'ରେ ମହାକାଶକୁ ଯାଇଥିଲେ ।
ପ୍ରତି 6ମାସରେ ସ୍ପେଶ ଷ୍ଟେସରେ ବଦଳିଥାନ୍ତି ମହାକାଶଚାରୀ:-
ନାସା ପ୍ରତି 6ମାସରେ ମହାକାଶରେ ସ୍ଥାପିତ ସ୍ପେଶ ଷ୍ଟେସନରେ ମହାକାଶଚାରୀଙ୍କୁ ଅଦଳ ବଦଳ କରିଥାଏ । ଏଥିଲାଗି ଏଲନ ମସ୍କଙ୍କ ରକେଟ ନିର୍ମାତା କମ୍ପାନୀ ସ୍ପେଶ ଏକ୍ସ ମହାକାଶକୁ ଟାକ୍ସି ସର୍ଭିସ ଯୋଗାଇଥାଏ । ଗତ 2020 ମସିହାରୁ ସ୍ପେଶ ଏକ୍ସ ଏହି ସେବା ଯୋଗାଇ ଆସୁଛି । ଏବେ ଏହି ସେବା ଲାଗି ନାସା ବୋଇଙ୍ଗ କମ୍ପାନୀର ସହଯୋଗ ନେଉଛି ।