ହାଇଦ୍ରାବାଦ:ମୋବାଇଲ ୟୁଜର୍ସଙ୍କୁ ବଡ଼ ଝଟକା । ଟେଲିକମ୍ ଅପରେଟର କମ୍ପାନୀ ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ଗ୍ରାହକଙ୍କୁ ବଡ଼ ଝଟକା । ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ନିଜର ଟାରିଫ ପ୍ଲାନ ମୂଲ୍ୟ ବଢାଇ ଦେଇଛନ୍ତି । ଗ୍ରାହକଙ୍କ ପାଇଁ ଏବେ ମୋବାଇଲ୍ ରିଚାର୍ଜର ମୂଲ୍ୟ ବୃଦ୍ଧି କରିଛି ଜିଓ ଏବଂ ଏୟାରଟେଲ । ଏନେଇ ଆସନ୍ତା ମାସରୁ ଜିଓ ଏବଂ ଏୟାରଟେଲର ନୂଆ ଯୋଜନା ଲାଗୁ କରାଯିବ ବୋଲି ଜଣାପଡିଛି । ଅର୍ଥାତ୍ ଜୁଲାଇ ୩ରୁ ଜିଓ ଏବଂ ଏୟାରଟେଲ ନିଜ ନୂଆ ପ୍ଲାନ ଗ୍ରାହକଙ୍କୁ ପାଇଁ ଲାଗୁ କରିବ । ଜିଓ ମୋବାଇଲ୍ ସେବା 12 ରୁ 27 ପ୍ରତିଶତକୁ ବୃଦ୍ଧି ପାଇବାକୁ ଥିବାବେଳେ ଏୟାରଟେଲ ସେବା ୧୦ରୁ ୨୧ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରାଯାଇଛି । ଫଳରେ ଉଭୟ ଜିଓ ଏବଂ ଏୟାରଟେଲର ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ମୋବାଇଲ ରିଚାର୍ଜ ପ୍ଲାନ ମହଙ୍ଗା ହେବ ।
ଜିଓ ପ୍ଲାନ କେତେ ମହଙ୍ଗା ହୋଇଛି ?
ରିଲାଏନ୍ସ ଜିଓର ମୂଳ ପ୍ଲାନ ୧୫୫ ଟଙ୍କା ଥିଲା ଏବଂ ଏହା ବୈଧତା ୨୮ ଦିନ ଥିଲା । ଯାହାର ମୂଲ୍ୟ ବର୍ତ୍ତମାନ ୧୮୯ ଟଙ୍କାକୁ ବୃଦ୍ଧି ପାଇଛି । ଦ୍ୱିତୀୟ ପ୍ଲାନ ୨୦୯ ଟଙ୍କା ଥିଲା ଯାହା ୨୪୯ ଟଙ୍କାକୁ ବୃଦ୍ଧି ପାଇଛି । ଏହି ପ୍ଲାନଗୁଡିକର ଡାଟା ଲାଭରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହାସହ ୨୩୯ ଟଙ୍କା ପ୍ଲାନର ମୂଲ୍ୟ ଯାହା ଅସୀମିତ 5G ଡାଟା ପ୍ରଦାନ କରେ ୨୯୯ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ଯୋଜନାରେ, ୟୁଜର୍ସମାନେ କେବଳ ୨୮ ଦିନ ପାଇଁ ଲାଭ ଉଠାଇପାରିବେ ।