ଭୁବନେଶ୍ୱର: ଫେବୃଆରୀ ୭ରେ ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ 'ସନାତନୀ କର୍ମ ହିଁ ଧର୍ମ' । ରିଲିଜ ପୂର୍ବରୁ ଫିଲ୍ମ ପାଇଁ ବଢିଛି ଅଡୁଆ । ଫିଲ୍ମକୁ ବିରୋଧ କରିବା ସହ ବ୍ୟାନ ଦାବି କରାଯାଉଛି । ଧର୍ମାନ୍ତୀକରଣ ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଫିଲ୍ମରେ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ଫଳରେ ରିଲିଜ ସମୟରେ ଦଙ୍ଗା ସୃଷ୍ଟି ଆଶଙ୍କା ରହିଛି । ଏହି ଆଶଙ୍କାଙ୍କୁ ଦୃଷ୍ଟିରେ ରଖି ଫିଲ୍ମ ସଂସ୍ଥାକୁ ସତର୍କ କରାଇଛି ଗୁଇନ୍ଦା ବିଭାଗ । ଏକ ଚିଠି ଲେଖି ସରକାର ଏବଂ ଫିଲ୍ମ ସଂସ୍ଥାକୁ ସତର୍କ କରାଇଛି ବିଭାଗ । ସେପଟେ ଧର୍ମକୁ ଆକ୍ଷେପ କରିଥିବା ଅଭିଯୋଗକୁ ଖଣ୍ଡନ କରିଛି ପ୍ରଯୋଜନା ସଂସ୍ଥା ।
'ସନାତନୀ' ବ୍ୟାନ୍ ଦାବି
ଗୁଇନ୍ଦା ବିଭାଗର ଚିଠି ଅନୁସାରେ, ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଫିଲ୍ମ ବିରୋଧରେ ଅଭିଯୋଗ ଆଣିଛି । ଫିଲ୍ମରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବା ଧର୍ମର ଗରିବ ଲୋକମାନଙ୍କ ଜମି ହଡପ କରି ନେଇଥିବା ଦର୍ଶାଯାଇଛି । ଫିଲ୍ମଟି ଏଭଳି କିଛି କାହାଣୀ ଉପରେ ଫିଲ୍ମ ପର୍ଯ୍ୟବେସିତ ବୋଲି ଦର୍ଶାଯାଇଥିବା ବେଳେ ଏହାକୁ ବିରୋଧ କରିଛି ସଂଘ । ଏଣୁ ଏହି ଫିଲ୍ମ ବ୍ୟାନ୍ କରିବାକୁ ଦାବି କରିଛନ୍ତି । ଫିଲ୍ମକୁ ମୁକ୍ତିଲାଭ କରାନଯାଉ ବୋଲି କହିଛନ୍ତି ।
ଗୁଇନ୍ଦା ବିଭାଗର ସତର୍କତା
![ଓଡ଼ିଆ ଫିଲ୍ମ 'ସନାତନୀ'କୁ ବିରୋଧ ପରେ ଗୁଇନ୍ଦା ବିଭାଗର ସତର୍କତା](https://etvbharatimages.akamaized.net/etvbharat/prod-images/02-02-2025/od-bbs-avo-ib-sanatanee-film-od10039_28012025200905_2801f_1738075145_288.jpg)
ସେପଟେ ଏହି ଦାବି ଯୋଗୁଁ ଫିଲ୍ମ ରିଲିଜ ସମୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବ ବୋଲି ଆଶଙ୍କା କରିଛି ଗୁଇନ୍ଦା ବିଭାଗ । ଏହାକୁ ନେଇ କିଭଳି ଦଙ୍ଗା ସୃଷ୍ଟି ନ ହେବ ସେନେଇ ସତର୍କ କରାଇବା ସହ ରିଲିଜ ସମୟରେ ଆଇନ ଶୃଙ୍ଖଳା କିଭଳି ଠିକ୍ ରହିବ ସେନେଇ ଆବଶ୍ୟକୀୟ ସୁରକ୍ଷା ସହ ଅବଲମ୍ବନ ପାଇଁ କହିଛି ବିଭାଗ । ଏକ ଚିଠି ଲେଖି ଫିଲ୍ମ ସଂସ୍ଥା ଅର୍ଥାତ୍ ନିର୍ମାତାଙ୍କୁ ସତର୍କ କରାଇଛି ବିଭାଗ ।
ଧର୍ମକୁ ଆକ୍ଷେପ କରିଥିବା ଅଭିଯୋଗକୁ ଖଣ୍ଡନ କଲା ପ୍ରଯୋଜନା ସଂସ୍ଥା
ସେପଟେ ଅଭିଯୋଗକୁ ଖଣ୍ଡନ କରି ପ୍ରତିକ୍ରିୟା ରଖିଛି ପ୍ରଯୋଜନା ସଂସ୍ଥା । ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଅଭିନେତା ସମ୍ୱିତ ଆଚାର୍ଯ୍ୟ ଏକ ପ୍ରେସମିଟ କରି ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି । ଫିଲ୍ମର ଅଭିନେତା ସମ୍ୱିତ ଆଚାର୍ଯ୍ୟ କହିଛନ୍ତି, ‘ସିନେମାକୁ ମିଳିଛି UA ସାର୍ଟିଫିକେଟ । ସିନେମା ରିଲିଜ ହେଲେ କୌଣସି ଦଙ୍ଗା ହେବାର ସମ୍ଭାବନା ନାହିଁ । ଏହି ଫିଲ୍ମରେ ଆମେ କୌଣସି ଧର୍ମକୁ ଆକ୍ଷେପ କଲା ଭଳି ଦେଖାଇନାହୁଁ ।’ କାହାକୁ ଆକ୍ଷେପ କରିବା ଆମର ଲକ୍ଷ୍ୟ ନୁହେଁ ବୋଲି କହିଛନ୍ତି ସିନେମାର ଅଭିନେତା ସମ୍ବିତ ଆଚାର୍ଯ୍ୟ ଓ ପ୍ରଯୋଜକ ଵିଜୟ କାଣ୍ଡୋଇ ।
ଏଣୁ ଆମେ ଫିଲ୍ମକୁ ଫେବୃଆରୀ 7ରେ ରିଲିଜ କରୁଛୁ ଏବଂ ସମସ୍ତଙ୍କୁ ଖୋଲା ଆହ୍ବାନ କରି କହୁଛୁ, ପ୍ରଥମେ ଆସନ୍ତୁ ଫିଲ୍ମ ଦେଖନ୍ତୁ ତାପରେ ବିରୋଧ କରନ୍ତୁ । ଏଣୁ ସବୁ ଧର୍ମର ଲୋକ ନିକଟସ୍ଥ ହଲରେ ଏହାକୁ ଦେଖନ୍ତୁ ଗୁଜବକୁ ଏଡାନ୍ତୁ ।''
ଏହା ମଧ୍ୟ ପଢନ୍ତୁ: ପରଦାରେ ଧମାକା କରିବାକୁ ପ୍ରସ୍ତୁତ ସମ୍ୱିତ, ଭାଲେଣ୍ଟାଇନ ସପ୍ତାହରେ ଆସୁଛି ଓଡିଆ ଫିଲ୍ମ 'ସନାତନୀ'
'ସନାତନୀ' ଫିଲ୍ମ ବିଷୟରେ କହିବାକୁ ଗଲେ, ପ୍ରଯୋଜନା ସଂସ୍ଥା ବିଦିଶା କ୍ରାଫ୍ଟ ବ୍ୟାନର୍ରେ ବରିଷ୍ଠ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ଏହି ସିନେମା ନିର୍ମାଣ ହୋଇଥିବା ବେଳେ ଧର୍ମାନ୍ତୀକରଣକୁ ଏଥିରେ ଦେଖାଯାଇଛି । ଯେଉଁଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତା ସମ୍ବିତ ଆଚାର୍ଯ୍ୟ । ଆଉ ତାଙ୍କ ବିପକ୍ଷରେ ଗାଉଁଲି ଝିଅ ଚରିତ୍ରରେ ନଜର ଆସିବେ ଆର୍ଲିନ୍ ଅଙ୍କିତା । ସମ୍ବିତ-ଆର୍ଲିନ ଅଙ୍କିତା ବ୍ୟତୀତ ଅନ୍ୟାନ୍ୟ ମୁଖ୍ୟ ଚରିତ୍ରରେ ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍, ଗୋପାଳ ପ୍ରକାଶ ମହାନ୍ତି ଓ ବବ୍ଲୁ ଅଭିନୟ କରୁଛନ୍ତି । ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବାସୁଦେବ ବରାଡ଼ । ଫିଲ୍ମର ସଂଳାପ ମାନସ ରଞ୍ଜନ ସାମଲ ଏବଂ ଦୀପ୍ତି ପଟ୍ଟନାୟକ ଲେଖିଛନ୍ତି । କ୍ୟାମେରା ଭାର ସମ୍ଭାଳିଛନ୍ତି ଧ୍ରୁବାନନ୍ଦ ପଣ୍ଡା । ଗୀତ ରଚନା ଡା. ନିର୍ମଳ ନାୟକ କରିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଅଭିଜିତ୍ ମଜୁମ୍ଦାର୍ ।
ଇଟିଭି ଭାରତ, ଭୁବନେଶ୍ୱର