ହାଇଦ୍ରାବାଦ:ଭାରତ ସରକାର ଦେଶରେ ଆଉ ଏକ ସେମିକଣ୍ଡକ୍ଟର ୟୁନିଟକୁ ସୋମବାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ପ୍ଲାଣ୍ଟ ଗୁଜୁରାଟର ସାନନ୍ଦଠାରେ ସ୍ଥାପିତ ହେବ । ଏହାସହିତ ଦେଶର ପ୍ରଥମ ସେମିକଣ୍ଡକ୍ଟର ଚିପ୍ 2025 ମଧ୍ୟ ଭାଗ ସୁଦ୍ଧା ତିଆରି କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଏହି ପ୍ଲାଣ୍ଟ କାୟନେସ ସେମିକନ (Kaynes Semicon) କମ୍ପାନୀ ପକ୍ଷରୁ ସ୍ଥାପିତ କରାଯିବ । ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମ କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।
ଖର୍ଚ୍ଚ ହେବ 3300 କୋଟି ଟଙ୍କା:-
ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କାୟନେସ ସେମିକନ ଏହି ସେମିକଣ୍ଡକ୍ଟର ପ୍ଲାଣ୍ଟ ଉପରେ ପ୍ରାୟ 3300 କୋଟି ଟଙ୍କା ନିବେଶ କରିବାକୁ ଯାଉଛି । କମ୍ପାନୀ ଏହା ଦାବି କରିଛି ଯେ ଏହି ପ୍ଲାଣ୍ଟ ପ୍ରତିଦିନ 60ଲକ୍ଷ ଚିପ୍ ପ୍ରସ୍ତୁତ କରିବ । ଏହି ପ୍ଲାଣ୍ଟରେ ତିଆରି ହେବାକୁ ଥିବା ଚିପ୍ ଇଣ୍ଡଷ୍ଟ୍ରିଆଲ, ଅଟୋ ସେକ୍ଟର, ଇଲେକ୍ଟ୍ରିକ ଭେଇକିଲ, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ, ଟେଲକିମ, ମୋବାଇଲ ଫୋନ ସମେତ ଅନେକ ସ୍ଥାନରେ ବ୍ୟବହାର କରାଯିବ । ଭାରତ ସରକାର ସେମିକଣ୍ଡକ୍ଟର ଓ ଡିସପ୍ଲେ ମ୍ୟାନୁଫ୍ୟାକଚରିଂ ଇକୋସିଷ୍ଟମ ବିକାଶ ଲାଗି 2021 ଡିସେମ୍ବର 21 ତାରିଖରେ ଆରମ୍ଭ କରିଥିଲେ । ଏଥିଲାଗି ସରକାର 76ହଜାର କୋଟି ଖର୍ଚ୍ଚ କରୁଛନ୍ତି ।
ଏହା ବି ପଢନ୍ତୁ- ଆତ୍ମନିର୍ଭରଶୀଳତା ଓ ପରିବର୍ତ୍ତନଶୀଳ ଯାତ୍ରାକୁ ସୁଦୃଢ଼ କରିବ ସେମିକଣ୍ଡକ୍ଟର: ପ୍ରଧାନମନ୍ତ୍ରୀ
ଏହା ପୂର୍ବରୁ 4ୟୁନିଟକୁ ମିଳିଛି ମଞ୍ଜୁରୀ:-
କେନ୍ଦ୍ର କ୍ୟାବିନେଟ ଏହା ପୂର୍ବରୁ ଗୁଜୁରାଟର ସାନନ୍ଦ ସେମିକଣ୍ଡକ୍ଟର ୟୁନିଟ ସ୍ଥାପିତ କରିବା ଲାଗି 2023 ଜୁନରେ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହାପରେ ଚଳିତ ବର୍ଷ ଫେବୃଆରୀରେ ସରକାର ଆଉ 3ଟି ସେମିକଣ୍ଡକ୍ଟର ୟୁନିଟକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହି କ୍ରମରେ ଟାଟା ଇଲେକ୍ଟ୍ରୋନିକ୍ସ ଗୁଜୁରାଟର ଧୋଲେରା ଏକ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ କରିଥିବା ବେଳେ ଆସାମର ମୋରିଗାଓଁରେ ଏକ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ ହୋଇଛି । ଏହାସହିତ ଗୁଜୁରାଟର ସାନନ୍ଦରେ ସିଜି ପାୱାର ପକ୍ଷରୁ ଏକ ୟୁନିଟ ସ୍ଥାପନ କରାଯାଇଛି । ଏବେ ପୁଣି ଗୁଜୁରାଟର ସାନନ୍ଦରେ ଆଉ ଏକ ୟୁନିଟ ସ୍ଥାପନ ହେବାକୁ ଯାଉଛି । ତେବେ କମ୍ପାନୀ ଏହି ନୂଆ ପ୍ଲାଣ୍ଟ ଲାଗି ଗୁଜୁରାଟର ସାନନ୍ଦରେ ଜାଗା କିଣିସାରିଥିବା ବେଳେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।
ଏହା ବି ପଢନ୍ତୁ- ଭାରତୀୟ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ସୁଯୋଗ ଓ ସମ୍ଭାବନା - SEMICONDUCTOR INDUSTRY Prospects
Semiconductor Unit (File Photo) ସେମିକଣ୍ଡକ୍ଟର ୟୁନିଟରୁ ସୃଷ୍ଟି ହେବ ଲକ୍ଷ ଲକ୍ଷ ନିଯୁକ୍ତି:-
ଦେଶରେ ମୋଟ 5ଟି ସେମିକଣ୍ଡକ୍ଟର ୟୁନିଟ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହି ସମସ୍ତ କମ୍ପାନୀ ପ୍ରାୟ 1.5ଲକ୍ଷ କୋଟି ଟଙ୍କା ସେମିକଣ୍ଡକ୍ଟର ସେକ୍ଟରରେ ନିବେଶ କରିବାକୁ ଯାଉଛି । ଏହି ସମସ୍ତ କମ୍ପାନୀର ମୋଟ ଉତ୍ପାଦ ପ୍ରତିଦିନ ପ୍ରାୟ 7କୋଟି ଚିପ୍ ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ଏହି ସେମିକଣ୍ଡକ୍ଟର ୟୁନିଟଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଦେଶରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ।
ସେମିକଣ୍ଡକ୍ଟର ଚିପ୍ କଣ ?
ସେମିକଣ୍ଡକ୍ଟର ଏକ ସିଲିକନ ଚିପ୍ । ଏହାକୁ ବିଭିନ୍ନ ବୈଦ୍ୟୁତିକ ଉପକରଣରେ ବ୍ୟବହାର କରାଯାଇଥାଏ । ସେମିକଣ୍ଡକ୍ଟର ଗାଡି, ସ୍ମାର୍ଟଫୋନ, କମ୍ପ୍ୟୁଟର, ଏଟିଏମ, କାର, ଡିଜିଟାଲ କ୍ୟାମେରା, AC, ଫ୍ରିଜ ଆଦିରେ ବ୍ୟବହାର କରାୟାଇଥାଏ । ଖାଲି ସେତିକି ନୁହେଁ, ମିସାଇଲରେ ମଧ୍ୟ ସେମିକଣ୍ଡକ୍ଟର ଚିପ୍ର ଆବଶ୍ୟକତା ପଡ଼ିଥାଏ । ଏହାସହିତ ହାଇଟେକ୍ କାରର ସେନ୍ସର୍ସ, ଡ୍ରାଇଭର ଆସିଷ୍ଟାଣ୍ଟ, ପାର୍କିଂ ରିଅର କ୍ୟାମେରା, ଏୟାରବ୍ୟାଗ ଓ ଏମରଜେନ୍ସି ବ୍ରେକିଂରେ ସେମିକଣ୍ଡକ୍ଟରର ବ୍ୟବହାର ହୋଇଥାଏ ।