ଓଡିଶା

odisha

ETV Bharat / technology

ଫଟାଫଟ୍‌ ହେବ ତରଳ ପଦାର୍ଥରେ ଜୀବାଣୁ ଚିହ୍ନଟ; ହ୍ୟାଣ୍ଡ୍‌ସ-ଫ୍ରି ଟେଷ୍ଟ ବିକାଶ କଲେ ଗବେଷକ - RAPID TEST FOR DETECTING BACTERIA

ଘରେ ବସି ଚିହ୍ନଟ କରନ୍ତୁ ବ୍ୟାକ୍ଟେରିଆ । କାନାଡାର ମ୍ୟାକ୍‌ମାଷ୍ଟର ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀମାନେ ତରଳ ପଦାର୍ଥରେ ଜୀବାଣୁ ଚିହ୍ନଟ କରିବା ପାଇଁ ଏକ ଶୀଘ୍ର, ହ୍ୟାଣ୍ଡ୍‌ସ-ଫ୍ରି ପରୀକ୍ଷଣର ବିକାଶ କରିଛନ୍ତି । ଅଧିକ ପଢନ୍ତୁ

RAPID TEST FOR DETECTING BACTERIA IN LIQUIDS
RAPID TEST FOR DETECTING BACTERIA IN LIQUIDS (Photo by Georgia Kirkos/McMaster University)

By ETV Bharat Tech Team

Published : Nov 29, 2024, 12:18 PM IST

ହାଇଦ୍ରାବାଦ:ତରଳ ପଦାର୍ଥରେ ଜୀବାଣୁ ଚିହ୍ନଟ ଏବେ ପୂର୍ବାପେକ୍ଷା ଅଧିକ ସହଜ ହେବ । ଯେ କେହି ବି କିଛି ସରଳ ପ୍ରକ୍ରିୟାକୁ ଅନୁସରଣ କରି ଘରେ ବସି ନମୁନାରୁ ଜୀବାଣୁ ଚିହ୍ନଟ କରିପାରିବେ । କାରଣ କାନାଡାର ହାମିଲଟନ୍‌ ସ୍ଥିତ ମ୍ୟାକ୍‌ମାଷ୍ଟର ବିଶ୍ବବିଦ୍ୟାଳୟର ଇଞ୍ଜିନିୟର ତଥା ଜୈବ ରସାୟନ ବିଜ୍ଞାନୀମାନେ ଏପରି ଏକ ଟେଷ୍ଟର ବିକାଶ କରିଛନ୍ତି, ଯାହାକି ଖୁବ କମ ସମୟରେ ଜୀବାଣୁଙ୍କୁ ଚିହ୍ନଟ କରିବ । ରୋଗ ସୃଷ୍ଟି କରୁଥିବା ଜୀବାଣୁର ଉପସ୍ଥିତି ସମ୍ପର୍କରେ ରଙ୍ଗ ପରିବର୍ତ୍ତନରୁ ହିଁ ଜଣାପଡ଼ିବ । ବିକଶିତ ହୋଇଥିବା ପରୀକ୍ଷାଟି ପୂର୍ବାପେକ୍ଷା ଅଧିକ ସହଜ ପରୀକ୍ଷା ଏବଂ ଅଧିକ ଖାଦ୍ୟ ନିରାପତ୍ତାକୁ ନିଶ୍ଚିତ କରିବ ।

ଅଣ-ତାଲିମପ୍ରାପ୍ତ ହେବେ ଉପକୃତ:-

ମ୍ୟାକମାଷ୍ଟର୍ ବିଶ୍ବବିଦ୍ୟାଳୟର ଇଞ୍ଜିନିୟର୍ ଏବଂ ବାୟୋକେମିଷ୍ଟମାନେ ସେମାନଙ୍କର କୌଶଳ ଲଗାଇ ଏହି ପରୀକ୍ଷାର ବିକାଶ କରିଛନ୍ତି । ଯାହାକି ଅଣ-ତାଲିମପ୍ରାପ୍ତଙ୍କୁ କେବଳ ବାୟୋଜେଲ୍ ଟେଷ୍ଟ ମାଧ୍ୟମରେ ତରଳ ପଦାର୍ଥରେ ଜୀବାଣୁ ଅଛି କି ନାହିଁ ତାହା ସୁନିଶ୍ଚିତ କରିବାରେ ସହାୟକ ହେବ । ଯଦି ପରୀକ୍ଷଣ ହେଉଥିବା ତରଳ ପଦାର୍ଥରେ ଇ-କୋଲି, ଲିଷ୍ଟେରିଆ ଆଦି ବ୍ୟାକ୍ଟେରିଆ ରହିଥାଏ ତେବେ ତାହା ରଙ୍ଗ ପରିବର୍ତ୍ତନ କରିବ ।

ତରଳ ପଦାର୍ଥରେ ବ୍ୟାକ୍ଟେରିଆ ଚିହ୍ନିବା ଲାଗି ହ୍ୟାଣ୍ଡ୍‌ସ-ଫ୍ରି ପରୀକ୍ଷାର ବିକଶିତ କରିଥିବା ମ୍ୟାକ୍‌ମାଷ୍ଟର ଗବେଷକମାନେ (ବାମରୁ: Akansha Prasad, Hannah Mann, Tohid Didar, Carlos Filipe ଓ Zeinab Hosseinidoust (Photo by Georgia Kirkos/McMaster University)

ମାତ୍ର 2ଘଣ୍ଟାରେ ଜୀବାଣୁ ଚିହ୍ନଟ:-

ପରୀକ୍ଷଣରେ, ଫେଜେସ୍‌ ବା ଭୂତାଣୁ (Phages) ଏକ ନମୁନାରେ ଟାର୍ଗେଟ ବ୍ୟାକ୍ଟେରିଆକୁ ଖୋଜିଥାଏ । ଯାହା ଦ୍ବାରା ଜୀବାଣୁ ଇଣ୍ଟ୍ରାସେଲୁଲାର୍ ପଦାର୍ଥ ମୁକ୍ତ କରିଥାନ୍ତି ଯାହା ଟେଷ୍ଟ ସମୟରେ ଜଣାପଡ଼େ । ଏହି ପଦାର୍ଥ ନିର୍ଗତ ହେବା ପରେ ଏକ ରଙ୍ଗ ପରିବର୍ତ୍ତନ ହୋଇଥାଏ, ଯାହାକୁ ଖାଲି ଆଖିରେ ଦେଖିହୁଏ । ଯଦି ନମୁନା ସଫା ବା କୌଣସି ବ୍ୟାକ୍ଟେରିଆ ସେଥିରେ ନାହିଁ, ତେବେ ପରୀକ୍ଷଣ ସମୟରେ ରଙ୍ଗ ସମାନ ରହିଥାଏ । ଗବେଷକମାନେ ବିକଶିତ କରିଥିବା ଏହି ପରୀକ୍ଷାଟି ମାତ୍ର 2ଘଣ୍ଟା ସମୟ ମଧ୍ୟରେ ଫଳାଫଳ ପ୍ରକାଶ କରିଥାଏ । ପୂର୍ବରୁ ବ୍ୟାକ୍ଟେରିଆ ଚିହ୍ନଟ କରିବା ଲାଗି ଲ୍ୟାବ୍‌ରେ ଗବେଷକମାନେ ଅଧିକ ପରିଶ୍ରମ କରୁଥିଲେ ଏବଂ ଫଳାଫଳ ଆସିବା ଲାଗି 2ଦିନ ସମୟ ଲାଗୁଥିଲା ।

ପରୀକ୍ଷାକୁ ନେଇ କଣ କହୁଛନ୍ତି ଗବେଷକ ?

ଆଡଭାନ୍ସ ମ୍ୟାଟେରିଆଲ୍ (Advanced Materials) ନାମର ପତ୍ରିକାରେ ପ୍ରକାଶିତ ଏକ ନୂତନ ପେପର୍‌ରେ ଏହି ପରୀକ୍ଷଣ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଖାଦ୍ୟ ନମୁନା, କ୍ଲିନିକାଲ ସାମ୍ପଲ୍‌ ଆଦିକୁ ଆପଣ ଘରେ ବସି ପରୀକ୍ଷା କରି ସଙ୍ଗେ ସଙ୍ଗେ ଫଳାଫଳ ଜାଣିପାରିବେ ।

ଏହି ଗବେଷଣାରେ ଜଡ଼ିତ ତଥା ମେକାନିକାଲ ଓ ବାୟୋମେଡିକାଲ ଇଞ୍ଜିନିୟରିଂର ସହକାରୀ ପ୍ରଫେସର ଟୋହିଡ୍‌ ଡିଡାର କହିଛନ୍ତି, " ଯେତେବେଳେ କେହି ବ୍ୟକ୍ତି ଅନୁଭବ କରନ୍ତି ଯେ ସେମାନଙ୍କର ମୂତ୍ରାଶୟ ସଂକ୍ରମଣ ହୋଇଛି, ସେମାନେ ନିଶ୍ଚିତ ଭାବରେ ଡାକ୍ତରଙ୍କ ନିକଟକୁ ଯାଆନ୍ତି ଏବଂ ବେଳେବେଳେ ଫଳାଫଳ ପାଇଁ କିଛି ଦିନ ଅପେକ୍ଷା କରନ୍ତି । କିନ୍ତୁ ଏହି ଟେକ୍ନୋଲୋଜି ଲୋକମାନଙ୍କୁ ନିଜ ଘରେ ପରୀକ୍ଷା କରିବା ଏବଂ କିଛି ଘଣ୍ଟା ମଧ୍ୟରେ ଫଳାଫଳ ପାଇବା ଅତି ସହଜ କରିବ ।"

ଲ୍ୟାବ୍‌ ଟେଷ୍ଟ ସହ ସମାନ:-

ଘରେ ବସି ଏହି ନୂତନ ଟେକ୍ନୋଲୋଜିକୁ ବ୍ୟବହାର କରି ବ୍ୟାକ୍ଟେରିଆ ଚିହ୍ନଟ ପ୍ରକ୍ରିୟା ସଠିକ କି ନାହିଁ ତାହା ଜାଣିବା ଲାଗି ସମାନ ନମୁନାର ଲ୍ୟାବ୍‌ ଟେଷ୍ଟ ମଧ୍ୟ କରାଯାଇଥିଲା । ତେବେ ଉଭୟ ପରୀକ୍ଷଣର ଫଳାଫଳ ସମାନ ଆସିଥିବା ମଧ୍ୟ ପ୍ରମାଣିତ ହୋଇଛି । ଏହି ପରୀକ୍ଷା ଲାଗି ହ୍ରଦର ଜଳକୁ ନମୁନା ଭାବେ ନିଆଯାଇଥିଲା । ଏଥିରେ ଇ.କୋଲି ବ୍ୟାକ୍ଟେରିଆକୁ ଚିହ୍ନଟ କରାଯାଇଥିଲା । ବ୍ୟାକ୍ଟେରିଆଫେଜ୍ ଏବଂ ଡିଏନ୍ଏ ପ୍ରୋବ ବ୍ୟବହାର କରି ନୂତନ ପରୀକ୍ଷଣ ଯେକୌଣସି ଜୀବାଣୁକୁ ଚିହ୍ନଟ କରିପାରିବ, ଯାହାକି ଲିଷ୍ଟେରିଆ ଏବଂ ସଲମାନେଲା ପରି ଜୀବାଣୁକୁ ନିର୍ଦ୍ଦିଷ୍ଟ ଭାବରେ ଟାର୍ଗେଟ କରିଥାଏ ।

ବାଓମେଡିକାଲ ଇଞ୍ଜିନିୟରିଂର ପିଏଚଡି ଛାତ୍ର ଆକାଂକ୍ଷା ପ୍ରସାଦ କହିଛନ୍ତି, "ଏହି ଟେକ୍ନୋଲୋଜି ଶୀଘ୍ର କୌଣସି ମହାମାରୀକୁ ସୀମିତ କରିବାରେ ସହାୟକ ହୋଇପାରେ । ଯଦି ଆପଣଙ୍କ ଫ୍ରିଜରେ କୌଣସି ଖାଦ୍ୟପଦାର୍ଥ ଅଛି ଏବଂ ତାକୁ ଖାଇବାକୁ ଆପଣଙ୍କ ମନରେ ସନ୍ଦେହ ଉପୁଜୁଛି, ତେବେ ତୁରନ୍ତ ଆପଣ ତାହା ଶରୀର ପାଇଁ ହିତକର କି ନୁହେଁ ଅର୍ଥାତ ସେଥିରେ ବ୍ୟାକ୍ଟେରିଆ ଅଛନ୍ତି କି ନାହିଁ ତାହା ଜାଣିବା ଲାଗି ଏହି ପରୀକ୍ଷା କରିପାରିବେ ।"

ଅନ୍ୟପଟେ ପେପର୍‌ର ମୁଖ୍ୟ ଲେଖକତଥା କେମିକାଲ ଇଞ୍ଜିନିୟରିଂ ଓ ବାୟୋଇଞ୍ଜିନିୟରିଂର ପିଏଚଡି ଛାତ୍ର ହାନ୍ନା ମନ୍‌କହିଛନ୍ତି, "ଆମର ଏହି ପରୀକ୍ଷାଟି ବଜାରକୁ ଯିବା ଲାଗି ଉପଯୁକ୍ତ ଅନୁମୋଦନ ଏବଂ ସହଭାଗୀତା ହାସଲ କରିବା ପରେ ଏହା ଅନେକ କ୍ଷେତ୍ରରେ ଉପଯୋଗୀ ହୋଇପାରିବ ।"

ABOUT THE AUTHOR

...view details