ହାଇଦ୍ରାବାଦ:ଗୋଟିଏ ବାକ୍ୟରେ ବିଜ୍ଞାନ ଏବଂ ଶାନ୍ତି ପ୍ରାୟତଃ ଉଲ୍ଲେଖ କରାଯାଇ ନାହିଁ । ତଥାପି ଶାନ୍ତି ପାଇଁ ମାହୋଲ ସୃଷ୍ଟି କରିବାରେ ବିଜ୍ଞାନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ଏବଂ ପ୍ରତିବଦଳରେ ସମାଜର ବିକାଶ ହୁଏ । ପ୍ରତିବର୍ଷ 9ରୁ 14 ନଭେମ୍ବର ପର୍ଯ୍ୟନ୍ତ 'ଅନ୍ତର୍ଜାତୀୟ ବିଜ୍ଞାନ ଏବଂ ଶାନ୍ତି ସପ୍ତାହ' ପାଳନ କରାଯାଏ । ବିଶ୍ବକୁ ଅଧିକ ଶାନ୍ତିପୂର୍ଣ୍ଣ ତଥା ସମସ୍ତଙ୍କ ପାଇଁ ସମାନ କରିବାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଶିକ୍ଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସଚେତନତା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ଦ୍ବାରା ଏହି ସପ୍ତାହର ଶୁଭାରମ୍ଭ କରାଯାଇଛି । ଅନ୍ତର୍ଜାତୀୟ ବିଜ୍ଞାନ ଏବଂ ଶାନ୍ତି ସପ୍ତାହ ପ୍ରଥମେ 1986ରେ 10 ନଭେମ୍ବରରେ ଅନ୍ତର୍ଜାତୀୟ ଶାନ୍ତି ବର୍ଷ ଭାବେ ପାଳନ କରାଯାଇଥିଲା ।
ଅନ୍ତର୍ଜାତୀୟ ବିଜ୍ଞାନ ଏବଂ ଶାନ୍ତି ସପ୍ତାହର ଇତିହାସ:-
ପ୍ରଥମେ 1986 ମସିହା 10 ନଭେମ୍ବରରେ ଅନ୍ତର୍ଜାତୀୟ ଶାନ୍ତି ବର୍ଷର ଉତ୍ସବ ଭାବରେ ଅନ୍ତର୍ଜାତୀୟ ବିଜ୍ଞାନ ଏବଂ ଶାନ୍ତି ସପ୍ତାହ ପାଳନ କରାଯାଇଥିଲା । ବିଭିନ୍ନ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପ ଅନୁଷ୍ଠିତ ହୋଇଥିଲା ଏବଂ ଆୟୋଜକମାନେ ମିଳିତ ଭାବରେ ଅନ୍ତର୍ଜାତୀୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କଲେ । 1986ର ଇଭେଣ୍ଟଗୁଡିକ ବହୁତ ସଫଳ ହୋଇଥିଲା, ତେଣୁ ବାର୍ଷିକ ଉତ୍ସବ ଆରମ୍ଭ ହେଲା ଏବଂ ସପ୍ତାହକୁ ଅନ୍ତର୍ଜାତୀୟ ବିଜ୍ଞାନ ଏବଂ ଶାନ୍ତି ସପ୍ତାହ ଘୋଷିତ କରାଗଲା ।
ବିଜ୍ଞାନ ଏବଂ ଶାନ୍ତି ମଧ୍ୟରେ ସମ୍ପର୍କର ମୁଖ୍ୟ ଦିଗ ଗୁଡ଼ିକ ହେଉଛି:
- ଅନ୍ତର୍ଜାତୀୟ ଶାନ୍ତି, ସୁରକ୍ଷା ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା
- ମାନବିକ ଅଧିକାରକୁ ପ୍ରୋତ୍ସାହିତ କରିବା
- ମାନବ ଜାତିର ସାମାଜିକ ଏବଂ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା
- ପରିବେଶର ସୁରକ୍ଷା କରିବା
ବିଶ୍ବରେ ଶାନ୍ତି ବିଗିଡ଼ିବାର କାରଣ:-
ସମ୍ପ୍ରତି ଅତ୍ୟଧିକ ଆବଶ୍ୟକତା ଥିବା ଏକ ଅସମାନ ଦୁନିଆରେ ଶାନ୍ତି ପାଇଁ ବିଜ୍ଞାନ ଅପରିହାର୍ଯ୍ୟ ହୋଇପାରିଛି । ଦ୍ବନ୍ଦ୍ବ, କ୍ରୋଧ ଏବଂ ଭୌଗୋଳିକ ବିଭାଜନ ବଢିବା ସହିତ ଆମ ଦୁନିଆରେ ଶାନ୍ତି ପ୍ରତି ବିପଦ ସୃଷ୍ଟି ହୋଇଛି । ମାନବିକ ଅଧିକାରକୁ ପ୍ରଭାବିତ କରାଯିବା ସହିତ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି କ୍ଷୁର୍ଣ୍ଣ ହେଉଛି । ଯେହେତୁ ଆମେ ଏବେ ବି ପ୍ରାକୃତିକ ଇନ୍ଧନ ଯେପରିକି କୋଇଲା, ପେଟ୍ରୋଲିଯମ ବ୍ୟବହାର କରୁଛୁ ତେଣୁ ପ୍ରକୃତି ସହିତ ଶାନ୍ତିର କୌଣସି ଧାରଣାକୁ ଆମେ ପରିହାସ କରୁ । ସମଗ୍ର ବିଶ୍ବରେ ଶାନ୍ତି ନିଖୋଜ ହୋଇଛି । ଲୋକେ ଶାନ୍ତି ଏବଂ ସୁରକ୍ଷା ଚାହୁଁଛନ୍ତି । ଲୋକେ ଶାନ୍ତି ଏବଂ ସମ୍ମାନ ଚାହାଁନ୍ତି । ଆଜି ଆମ ଦୁନିଆରେ ବହୁତ କ୍ରୋଧ, ଘୃଣା ଏବଂ ଶବ୍ଦ ପ୍ରଦୂଷଣ ଅଛି । ପ୍ରତ୍ୟେକ ଦିନ ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ଏହା ଯୁଦ୍ଧ ଭଳି ମନେ ହେଉଛି । ଦିନକୁ ଦିନ ଶବ୍ଦର ଯୁଦ୍ଧ, ସଂସ୍କୃତି ଯୁଦ୍ଧ ବଢୁଛି ।
ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଲାଗି ବିଜ୍ଞାନ ଶିକ୍ଷାର ଆବଶ୍ୟକତା:-
ବିଜ୍ଞାନ ଆମକୁ ବୁଝିବାରେ ସାହାଯ୍ୟ କରେ ଯେ ଆମକୁ ଶକ୍ତି ପାଇଁ ଆମର ପ୍ରବୃତ୍ତ ଇଚ୍ଛାକୁ ସୀମିତ କରିବାକୁ ପଡ଼ିବ ଏବଂ ଏହି ମହାନ ଇକୋସିଷ୍ଟମ ପାଇଁ ଆମେ ଯତ୍ନବାନ ହେବା ଆବଶ୍ୟକ । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆମକୁ କ୍ଷୁଧା ଏବଂ ଦାରିଦ୍ର୍ୟ ଦୂରୀକରଣ, ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା, ସବୁଜ ଶକ୍ତି ବାଣ୍ଟିବା ଆଦି ଯୋଗାଇଥାଏ । ଖାଲି ସେତିକି ନୁହେଁ ବିଭିନ୍ନ ଟୁଲ୍ର ବ୍ୟବହାର କରି ଜଳ ବ୍ୟବହାର ଦକ୍ଷତା ବୃଦ୍ଧି, ରୋଗର ମୁକାବିଲା ପାଇଁ ନୂତନ ମାଧ୍ୟମ ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନର ରାସ୍ତା ଦେଖାଏ । ଏହା ମଧ୍ୟ ଏଠାରେ ଯୁକ୍ତିଯୁକ୍ତ ଯେ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀର ପଛରେ ବିଜ୍ଞାନ ରହିଛି, କିନ୍ତୁ ପ୍ରକୃତ କଥା ହେଉଛି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରୁ ଉତ୍ପନ୍ନ ଅନେକ ଉପକରଣ ଦୁଇଟି ଉପାୟରେ ବ୍ୟବହାରଯୋଗ୍ୟ । ଏଣୁ ବିଶ୍ବର ବିଚକ୍ଷଣ ପ୍ରାଣୀ ହିସାବରେ ମଣିଷର ଭୂମିକା ଏଠାରେ ଗୁରୁତ୍ବପୂର୍ଣ୍ଣ ।
ବିଜ୍ଞାନ କିପରି ବିଶ୍ବରେ ଶାନ୍ତି ବଜାୟ ରଖୁଛି ?
ନିମ୍ନରେ କିଛି ଉଦାହରଣ ଦ୍ବାରା ଏହା ବୁଝନ୍ତୁ:
- ଡ୍ରୋନର ବ୍ୟବହାର ଦ୍ବାରା ଅପହଞ୍ଚ, ପାର୍ବତ୍ୟ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଶତ୍ରକୁ ବହୁ ଦୂରରୁ ଡ୍ରୋନ ସାହାଯ୍ୟରେ ହତ୍ୟା କରାଯାଇପାରୁଛି । ଏହି ଡ୍ରୋନକୁ ଶାନ୍ତି ବିଗାଡ଼ିବା ଅର୍ଥରେ ମଧ୍ୟ ବ୍ୟବହୃତ ହେଉଛି । ଏଣୁ ଯେକୌଣସି ଜିନିଷର ସଠିକ ବ୍ୟବହାର ମଣିଷ ଉପରେ ନିର୍ଭର କରେ ।
- ମେସିନ ବ୍ୟବହାର ଦ୍ବାରା ମାନବ ଏବଂ ପଶୁ ଶ୍ରମକୁ ହଟାଯାଇଛି ।
- ଭ୍ରମଣର ନୂତନ ମାଧ୍ୟମ ଉଦ୍ଭାବନ ହୋଇଥିବାରୁ ଦୂରତା ହ୍ରାସ ପାଇଛି ଏବଂ ଏହି ଦୂରତା ମଧ୍ୟରେ ଯୋଗାଯୋଗ ତତକ୍ଷଣାତ୍ ହୋଇପାରିଛି ।
- ଆଧୁନିକ ଔଷଧ ବର୍ତ୍ତମାନ ଅନେକ ମାରାତ୍ମକ ରୋଗକୁ ଭଲ କରୁଛି ।
- ସାଟେଲାଇଟ୍ ଟେଲିଭିଜନ ଏବଂ ଇଣ୍ଟରନେଟ୍ ବିକାଶ ଦ୍ବାରା ଆମେ ପୃଥିବୀର ଯେକୌଣସି ସ୍ଥାନରୁ ସୂଚନା ଗ୍ରହଣ କରୁଛୁ ।
- ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଧନହାନି ହେବା ପୂର୍ବରୁ ସତର୍କ ହେଉଛୁ ।
- ବିଜ୍ଞାନ ଯୋଗୁଁ ଗୋଟିଏ ଟିକା ବିଶ୍ବର ସମସ୍ତ ଲୋକଙ୍କୁ ମାରାତ୍ମକ ରୋଗରୁ ରକ୍ଷା କରୁଛି ।
ପରିଶେଷରେ, ବିଜ୍ଞାନ ଓ ଶାନ୍ତି ଉଭୟ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ବିଜ୍ଞାନର ସଠିକ ଦିଗରେ ଉପଯୋଗ ହେଲେ ବିଶ୍ବରେ ଶାନ୍ତି ବଜାୟ ରହିବ । ଏଥିଲାଗି ମାନବ ଜାତିର ପ୍ରମୁଖ ଭୂମିକା ରହିଛି । ବିଜ୍ଞାନର ସଠିକ ଉପଯୋଗ କରି ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଲୋକଙ୍କୁ ସଚେତନ କରିବା ଲାଗି ପ୍ରତିବର୍ଷ ନଭେମ୍ବର 9ରୁ 15 ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିଜ୍ଞାନ ଓ ଶାନ୍ତି ସପ୍ତାହ ପାଳିତ ହୋଇଆସୁଛି ।