ହାଇଦ୍ରାବାଦ: ପ୍ରେସଭୁ ଆଇ ଡ୍ରପ (PresVu Eye Drops) ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଆଇଡ୍ରପ ଦୁନିଆର ପ୍ରଥମ ଏପରି ଆଇ ଡ୍ରପ୍ ଯାହାକୁ ବ୍ୟବହାର କଲେ ଆଖିରୁ ସବୁଦିନ ଲାଗି ଚଷମା ହଟିଯିବ ବୋଲି ଦାବି କରାଗଲା । ଏ ନେଇ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଲା । ଏହାପରେ କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଖୋଦ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ (DCGI) ଏହି ତଥ୍ୟକୁ ଭୁଲ ବୋଲି ଦର୍ଶାଗଲା । ଶୁକ୍ରବାର ଏଣ୍ଟୋଡ ଫାର୍ମାସିୟୁଟିକଲ୍ସ କମ୍ପାନୀ (Entod Pharmaceuticals) ଏହାକୁ ଖଣ୍ଡନ କରିବା ସହ କୌଣସି ଭୁଲ ତଥ୍ୟ ଦିଆଯାଇନାହିଁ ବୋଲି କହିଛି ।
ପୂର୍ବରୁ ଆଇଡ୍ରପକୁ ନେଇ କଣ କୁହାଯାଇଥିଲା ?
ଗତ କିଛି ଦିନ ତଳେ ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଏଣ୍ଟୋଡ ଫାର୍ମାସିୟୁଟିକଲ୍ସ ଏପରି ଏକ ଆଇଡ୍ରପ ତିଆରି କରିଥିବା ଦାବି କରିଥିଲା ଯେ, ଯାହାକୁ ଆଖିରେ ପକାଇବା ପରେ କିଛି ସମୟ ମଧ୍ୟରେ ସବୁକିଛି ସ୍ପଷ୍ଟ ଦିଶିବ ଓ କିଛି ଘଣ୍ଟା ମଧ୍ୟରେ ଆଖିରୁ ଚଷମା ହଟିବ । ଏହି ଆଇଡ୍ରପକୁ ଲଞ୍ଚ କରିବା ସମୟରେ ଏପରି କୁହାଯାଇଥିଲା । ଏହି ଆଇଡ୍ରପର ନାମ ପ୍ରେସଭୁ ଆଇ ଡ୍ରପ (PresVu Eye Drops) ରଖାଯାଇଥିଲା । ଏହାକୁ DGCI ମଞ୍ଜୁରୀ ପ୍ରଦାନ କରିଥିବା କୁହାଯାଇଥିଲା ।
କଣ କହୁଛନ୍ତି ଆଖି ବିଶେଷଜ୍ଞ ?
ମେଡିକାଲ ଏକ୍ସପର୍ଟ କହିଥିଲେ ଯେ ଏହି ଆଇଡ୍ରପ ସ୍ଥାୟୀ ଭାବରେ ଆଖିରୁ ଚଷମା ହଟାଇବା ଲାଗି ତିଆରି କରାଯାଇନାହିଁ । କିଛି ସମୟ ଲାଗି ଏହା ହୁଏତ ଆପଣଙ୍କୁ ଚଷମା ହଟାଇବାରେ ସାହାଯ୍ୟ କରିବ କିନ୍ତୁ ଏହା ସ୍ଥାୟୀ ସମାଧାନ ନୁହେଁ । ବିନା ଡାକ୍ତରଙ୍କ ପରାମର୍ଶରେ ଏହି ଆଇଡ୍ରପକୁ ବ୍ୟବହାର କରିବା ହାନିକାରକ ହୋଇପାରେ ।