ହାଇଦ୍ରାବାଦ:2028ରେ ନୁହେଁ 2027ରେ ଲଞ୍ଚ ହେବ ଚନ୍ଦ୍ରଯାନ-4 । ଏ ନେଇ ଆଜି (ଗୁରୁବାର) କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଏହି ମିଶନ ଜରିଆରେ ଚନ୍ଦ୍ରପୃଷ୍ଠରୁ ନମୁନା ଭାବେ ପଥର ଖଣ୍ଡ ସଂଗ୍ରହ କରାଯିବ । ଯାହାଦ୍ବାରା ଚନ୍ଦ୍ରପୃଷ୍ଠ ସମ୍ପର୍କରେ ଅନେକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ତେବେ ଇସ୍ରୋ ଚନ୍ଦ୍ରଯାନ-4 ମିଶନକୁ ହେଭିଲିଫ୍ଟ ଲଞ୍ଚ ଭେହିକଲ LVM-3 ସାହାଯ୍ୟରେ ଉତକ୍ଷେପଣ କରିବ । କିନ୍ତୁ ଏହାକୁ ଦୁଇଟି ଅଲଗା ଲଞ୍ଚ ସହ 5ଟି ଭିନ୍ନ ଭିନ୍ନ କମ୍ପୋନେଣ୍ଟକୁ କକ୍ଷପଥରେ ଏକତ୍ରିତ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ନମୁନା ସଂଗ୍ରହ କରିବ ଚନ୍ଦ୍ରଯାନ-4
ନ୍ୟୁଜ ଏଜେନ୍ସି ପିଟିଆଇକୁ ସାକ୍ଷାତାକାର ଦେଇ ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, "ଚନ୍ଦ୍ରଯାନ-4 ମିଶନର ଲକ୍ଷ୍ୟ ହେଉଛି ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବା ।" ଚନ୍ଦ୍ରଯାନ-4 ସହିତ ପଠାଯିବାକୁ ଥିବା ଲ୍ୟାଣ୍ଡର୍ ଚନ୍ଦ୍ରପୃଷ୍ଠରେ ଚ୍ୟାଲେଞ୍ଜିଂ କାର୍ଯ୍ୟ କରିବ । ଚନ୍ଦ୍ରପୃଷ୍ଠର ନମୁନାକୁ ପୃଥିବୀ ପୃଷ୍ଠରେ ବିଶ୍ଲେଷଣ କରି ଅନେତ ତଥ୍ୟ ହାସଲ କରିହେବ । ଚନ୍ଦ୍ରପୃଷ୍ଠରେ ଜଳ ଏବଂ ଗୁରୁତ୍ବପୂର୍ଣ୍ଣ ସମ୍ବଳ ବିଷରେ ସୂଚନା ମିଳିପାରେ ବୋଲି ଆଶା କରାଯାଉଛି ।