ନୂଆଦିଲ୍ଲୀ:ଚନ୍ଦ୍ରଯାନ-3ର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରଯାନ-4 ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନିକଟରେ ଏହି ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୁ ମଧ୍ୟ ମିଳିସାରିଛି । ଏହାରି ଭିତରେ ଚନ୍ଦ୍ରପୃଷ୍ଠରୁ ଏକ ବଡ଼ ଅପଡେଟ ପଠାଇଛି ପ୍ରଜ୍ଞାନ ରୋଭର । ସେପ୍ଟେମ୍ବର 2023ରେ ସୁପ୍ତ ଅବସ୍ଥାରୁ ଫେରି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ନିଜ କାମ ଜାରି ରଖିଛନ୍ତି । ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ରୋଭର ଏକ ବିରାଟ ବଡ଼ କ୍ରେଟର ବା ଗାତ ଖୋଜି ବାହାର କରିଛି ।
ଜହ୍ନରେ ମିଳିଲା ବିରାଟ ବଡ଼ ଗାତ:-
ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଜ୍ଞାନ ରୋଭର ଗବେଷଣା ଜାରି ରଖିଛି । ଏଠାରେ ହିଁ ଏହି ପ୍ରାଚୀନ କ୍ରେଟର ସମ୍ପର୍କରେ ସୂଚନା ମିଳିଛି । ଏହି ଗାତଟି ପ୍ରାୟ 160କିମି ଚଉଡ଼ା । କୁହାଯାଉଛି ଏହି ଗାତଟି ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ସାଇଟ ନିକଟରେ ରହିଛି । ଏ ସମ୍ପର୍କରେ ଅହମ୍ମଦାବାଦ ସ୍ଥିତ ଫିଜିକାଲ ରିସର୍ଚ୍ଚ ଲ୍ୟାବର ବୈଜ୍ଞାନିକଙ୍କ ପକ୍ଷରୁ ପ୍ରକାଶିତ ସାଇନ୍ସ ଡାଇରେକ୍ଟରେ ପ୍ରକାଶିତ ହୋଇଛି ।
ବହୁ ପୁରାତନ ଏହି ଗର୍ତ୍ତ:-
ରିପୋର୍ଟ ଅନୁସାରେ, ଏହି କ୍ରେଟରଟି ଚନ୍ଦ୍ରର ସାଉଥ-ପୋଲ ଏଟିକନ ବେସିନ ହେବା ପୂର୍ବରୁ ସୃଷ୍ଟି ହୋଇଛି । ଖାସ କଥା ହେଉଛି ସାଉଥ-ପୋଲ ଏଟିକନ ବେସିନ ଚନ୍ଦ୍ରପୃଷ୍ଠରେ ଅବସ୍ଥିତ ସବୁଠୁ ପୁରାତନ ବେସିନ । ପ୍ରଜ୍ଞାନ ରୋଭର ପକ୍ଷରୁ ନିଆଯାଇଥିବା ଫଟୋ ଅନୁସାରେ ଏହି ପ୍ରାଚୀନ କ୍ରେଟରର ଢାଞ୍ଚା ସମ୍ପର୍କରେ ମଧ୍ୟ ତଥ୍ୟ ମିଳିଛି । ଯାହାକି ବୈଜ୍ଞାନିକମାନଙ୍କୁ ଚନ୍ଦ୍ର ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇପାରେ ବୋଲି ଆଶା କରାଯାଉଛି । ଚନ୍ଦ୍ରର ପ୍ରାରମ୍ଭିକ ଇତିହାସ ସମ୍ପର୍କରେ ତଥ୍ୟ ମିଳିବା ଆଶାରେ ବୈଜ୍ଞାନିକମାନେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି ।
ଚନ୍ଦ୍ରଯାନ-3 ମିଶନ ସମ୍ପର୍କରେ...
ଗତବର୍ଷ 2023 ଜୁଲାଇ 14 ତାରିଖରେ ଭାରତ ଚନ୍ଦ୍ରଯାନ-3 ଲଞ୍ଚ କରିଥିଲା । ଏହାପରେ ଅଗଷ୍ଟ 23 ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଏହା ସଫଳ ଅବତରଣ କରି ଇତିହାସ ସୃଷ୍ଟି କରିଥିଲା । କାରଣ କୌଣସି ଯାନ ଚନ୍ଦ୍ରର ଦକ୍ଷିଣ ପୃଷ୍ଠରେ ଅବତରଣ କରିବା ସାରା ବିଶ୍ବରେ ପ୍ରଥମ ଥିଲା । କିନ୍ତୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ 4ର୍ଥ ଦେଶ ହୋଇପାରିଥିଲା । ଏହା ପୂର୍ବରୁ ଆମେରିକା, ଋଷ ଓ ଚୀନ ଏହି ସଫଳତା ହାସଲ କରିଥିଲେ ।