ହାଇଦ୍ରାବାଦ:ବ୍ରାଜିଲ ସୁପ୍ରିମକୋର୍ଟ ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ଅନୁମତି ଦେଇଛନ୍ତି । ଏକ୍ସ (X) ପୁଣି ଥରେ ବ୍ରାଜିଲରେ ଏହାର ସେବା ଆରମ୍ଭ କରିବାକୁ ସକ୍ଷମ ହେବ କିନ୍ତୁ ଏହାପୂର୍ବରୁ କମ୍ପାନୀକୁ 5 ମିଲିୟନ ଡଲାରରୁ ଅଧିକ ଜୋରିମାନା ଦେବାକୁ ପଡିବ ।
ବ୍ୟାନ ହଟାଇବାକୁ ଅନୁରୋଧ କରିଥିଲା କମ୍ପାନୀ:-
ଗତ ମାସେ ତଳେ ବ୍ରାଜିଲରେ ଏକ୍ସ ଉପରେ ବ୍ୟାନ ଲାଗିଥିଲା । ଏହି ବ୍ୟାନକୁ ହଟାଇବା ଲାଗି ଚଳିତ ସପ୍ତାହ ପ୍ରାରମ୍ଭରେ ବ୍ରାଜିଲ ସୁପ୍ରିମକୋର୍ଟକୁ ଏଲନ ମସ୍କ ଅନୁରୋଧ କରିଥିଲେ । ଭୁଲ ତଥ୍ୟ ପ୍ରସାରଣକୁ ରୋକିବା ଆଦେଶକୁ ଏକ୍ସ ପାଳନ କରିଛି ବୋଲି କମ୍ପାନୀ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା । ଏଥିଲାଗି ଦେଶରେ ପୁଣି ଥରେ ଏକ୍ସ ସେବାକୁ ଲାଗୁ କରିବାକୁ ଅନୁରୋଧ କରାଯାଇଥିଲା । ବିଚାରପତି ଆଲେକ୍ସଜାଣ୍ଡ୍ରେ ଡି ମୋରିସ୍ (Alexandre De Morais) ଶୁକ୍ରବାର ଦିନ କହିଛନ୍ତି ଯେ X ଏବଂ ତାଙ୍କ ବ୍ରାଜିଲର ଆଇନ ପ୍ରତିନିଧୀଙ୍କୁ 1.83 ମିଲିୟନ୍ ରିସ୍ (ପ୍ରାୟ 3.4 ମିଲିୟନ୍ ଡଲାର୍) ଜୋରିମାନା ଦେବାକୁ ପଡିବ । ଏହା ପରେ ହିଁ ଏହି ପ୍ଲାଟଫର୍ମ ବ୍ରାଜିଲରେ ଚାଲିବାରେ ସକ୍ଷମ ହେବ ।
କାହିଁକି ପୁଣି ଥରେ ଲାଗିଲା ଜୋରିମାନା ?
ବ୍ରାଜିଲରେ X ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯିବା ସମୟରେ ଲାଗିଥିବା ଜୋରିମାନା ବ୍ୟତୀତ ସୁପ୍ରିମକୋର୍ଟ ମଧ୍ୟ X ଉପରେ ଏକ ନୂତନ ଜୋରିମାନା ଲଗାଇଛନ୍ତି । ନିଷେଧାଦେଶ ସତ୍ତ୍ବେ ବ୍ରାଜିଲର କିଛି ଉପଭୋକ୍ତାଙ୍କ ପାଇଁ X ଉପଲବ୍ଧ ରହିବା ପରେ ଗତ ସପ୍ତାହରେ ଜଷ୍ଟିସ ମୋରିସ୍ 10 ମିଲିୟନ ରିସ୍ (ପ୍ରାୟ 18 ଲକ୍ଷ ଟଙ୍କା) ଜୋରିମାନା ଲଗାଇଥିଲେ ।