ଓଡିଶା

odisha

ETV Bharat / state

ଜୀନତ ପାଇଁ ବାଧାପ୍ରାପ୍ତ ହେବ ବାଘ ଆଣିବା ଯୋଜନା, 21 ଦିନରେ 3 ରାଜ୍ୟର 3 ଶହ କିମି ବୁଲି କଲା ନାକେଦନ - TIGRESS ZEENAT

ଏବେ ଅଲ୍ଲୀପୁର ଚିଡିଆଖାନାର ସ୍ବତନ୍ତ୍ର ଖୁଆଡରେ ଜୀତନ । ଶିମିଳିପାଳ ଫେରିବ, କିନ୍ତୁ ବଦଳିବ ଏନକ୍ଲୋଜର ଠିକଣା । ବିଳମ୍ବିତ ହେବ ପରବର୍ତ୍ତୀ ବାଘ ଆଣିବା ଯୋଜନା ।

21 ଦିନରେ 3 ରାଜ୍ୟର 3 ଶହ କି.ମି ବୁଲିଲା ବାଘୁଣୀ ଜୀନତ
21 ଦିନରେ 3 ରାଜ୍ୟର 3 ଶହ କି.ମି ବୁଲିଲା ବାଘୁଣୀ ଜୀନତ (ETV Bharat odisha)

By ETV Bharat Odisha Team

Published : Dec 30, 2024, 6:01 PM IST

ଭୁବନେଶ୍ବର:ଦୀର୍ଘ ୨୧ ଦିନ ଧରି ବନ ବିଭାଗକୁ ନାକେଦମ କରିବା ପରେ ଶେଷରେ ଗତକାଲି କାବୁ ହୋଇଛି ଶିମିଳିପାଳ ଜାତୀୟ ଉଦ୍ୟାନରୁ ଛୁ ମାରିଥିବା ବାଘୁଣୀ ‘ଜୀନତ’ । ଗତକାଲି ତାକୁ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ଗୋପାଳପୁର ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରୁ ଟ୍ରାଙ୍କୁଲାଇଜ୍‌ କରି କାବୁ କରିଛି ବନ ବିଭାଗ । ଡିସେମ୍ବର 10 ତାରିଖରେ ଜୀନତ ଶିମିଳିପାଳ ଜାତୀୟ ଉଦ୍ୟାନ ଛାଡିଥିଲା । ତେବେ ଗତ 21 ଦିନ ମଧ୍ୟରେ ଜୀନତ ଓଡିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର 3 ଶହ କି.ମି ଜଙ୍ଗଲ ଅତିକ୍ରମ କରିଥିବା ଜଣାପଡିଛି ।

  • ଅଲ୍ଲୀପୁର ଚିଡିଆଖାନାର ସ୍ବତନ୍ତ୍ର ଖୁଆଡରେ ଜୀନତ

ଗତକାଲିଠାରୁ ତାକୁ ଅଲ୍ଲୀପୁର ଚିଡିଆଖାନାର ଏକ ସ୍ବତନ୍ତ୍ର ଏନକ୍ଲୋଜରରେ ସଙ୍ଗରୋଧରେ ରଖାଯାଇଛି । ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ଯନ୍ତାଗାଡିରେ ତାକୁ ଶିମିଳିପାଳ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ହେଲେ ବାଘୁଣୀ ଜୀନତର ଏହି ଗତିବିଧି ଓଡିଶା ସରକାର ବାହାର ରାଜ୍ୟରୁ ବାଘ ଆଣିବା ପାଇଁ ଜାରି ରଖିଥିବା ଯୋଜନାରେ ବାଧା ସୃଷ୍ଟି କରିଛି । ମଧ୍ୟ ପ୍ରଦେଶର ଦେବ୍ରୀଗଡ ଜଙ୍ଗଲରୁ ଆଉ ଦୁଇଟି ବାଘ ଆଣିବା ଯୋଜନା ବିଳମ୍ବିତ ହୋଇପାରେ ବୋଲି ପିସିସିଏଫ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି ।

ଜୀନତ ଫେରିବା ସମ୍ପର୍କରେ କଣ କହୁଛନ୍ତି ପିସିସିଏଫ ପ୍ରେମ କୁମାର ଝା (ETV Bharat odisha)
  • ଶିମିଳିପାଳ ଫେରିବ, ଯମୁନା ଖୁଆଡରେ ରହିବ ଜୀନତ: -

ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, ‘‘ଗତକାଲି ଟ୍ରାଙ୍କୁଲାଇଜ ହେବା ପରେ ଜୀନତ ବର୍ତ୍ତମାନ ଅଚେତ ଅବସ୍ଥାରେ ପଡ଼ି ରହିଛି । ତେବେ ଖୁବଶୀଘ୍ର ଶିମିଳିପାଳ ଫେରିବ । ଏଥର ଚହଲା ଏନକ୍ଲୋଜାର ନୁହେଁ, ବରଂ ସାଉଥରେ ବାଘୁଣୀ ‘ଯମୁନା’ ପାଇଁ ତିଆରି ହୋଇଥିବା ଖୁଆଡରେ ‘ଜୀନତ’କୁ ରଖାଯିବ । ବର୍ତ୍ତମାନ ଅଲ୍ଲୀପୁର ଚିଡିଆଖାନାର ଏକ ସ୍ବତନ୍ତ୍ର ଖୁଆଡ ବା ଏନକ୍ଲୋଜରରେ ଜୀନତକୁ ସ୍ବତନ୍ତ୍ର ନିରୀକ୍ଷଣ ମଧ୍ୟରେ ରଖାଯାଇଛି । ଶିମିଳିପାଳ ଫେରିବା ପରେ ତାକୁ ସାଉଥ୍ ଏନକ୍ଲୋଜାରରେ ରଖାଯିବ, ସେ ସେଠାରେ ପାରିପାର୍ଶ୍ବିକ ସ୍ଥିତି ସହ ଖାପ ଖୁଆଇବା ପରେ ତାକୁ ବାହାର (ଜଙ୍ଗଲର କୋର ବା ଆଭ୍ୟନ୍ତରୀଣ ଏରିଆ)କୁ ଛଡ଼ାଯିବ ।’’

21 ଦିନରେ 3 ରାଜ୍ୟର 3 ଶହ କି.ମି ବୁଲିଲା ବାଘୁଣୀ ଜୀନତ (ETV Bharat odisha)
  • ବିଳମ୍ୱ ହେବ ଆଉ ଦୁଇଟି ବାଘ ଆଣିବା ପ୍ରକ୍ରିୟା :-

ପିସିସିଏଫ ଝା ଆହୁରି ମଧ୍ୟ କହିଛନ୍ତି,‘‘ମଧ୍ୟ ପ୍ରଦେଶର ଦେବ୍ରିଗଡରୁ ଦୁଇଟି ବାଘ ଆଣିବା ପ୍ରକ୍ରିୟା ବିଳମ୍ୱ ହେବ । ଶିମିଳିପାଳ ଘଟଣାର ତଦନ୍ତ ପରେ ସ୍ଥିତି ଦେଖି ଦୁଇ ବାଘକୁ ଦେବ୍ରୀଗଡ କେବେ ଅଣାଯିବ ସେନେଇ ଯୋଜନା କରାଯିବ । ପୂର୍ବରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ଟେକ୍ନିକାଲ କ୍ଲିଆରାନ୍ସ ଦେଇଥିଲେ । ହେଲେ ଏବେ ଶିମିଳିପାଳ ଘଟଣା ପରେ ବାଘ ଅଣାଯିବ, କି ନାହିଁ, ତାହା ତର୍ଜମା କରାଯାଇ ଚିନ୍ତା କରାଯିବା ।’’

  • ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିଲା ଜୀନତ:-

ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଜୀନତକୁ ଅଣାଯାଇଥିଲା । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡ଼ବା -ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ହିଁ ଜୀନତ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା । ନଭେମ୍ବର ୧୫ରେ ଜୀନତକୁ ଶିମିଳିପାଳ ଚହଲା ନିକଟ ସପ୍ଟ-ଏନକ୍ଲୋଜରରେ ରଖାଯାଇଥିଲା । ସେଠାରେ ଜୀନତ ବାରହା ଶୀକାର ମଧ୍ୟ କରିଥିଲା ।

ଏହା ମଧ୍ୟ ପଢନ୍ତୁ:-

ଯନ୍ତାରେ ପଶିଲା ବାଘୁଣୀ ଜୀନତ, ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ୍‌ କଲା ବନ ବିଭାଗ

ଶିମିଳିପାଳ ଫେରିବ ଜୀନତ, ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ ସହ ସରିଲା ଅପରେସନ

ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ କେନ୍ଦ୍ର ନିକଟରେ ଦାବି କରିବୁ : ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

  • ପ୍ରଥମେ ଝାଡ଼ଖଣ୍ଡ ଓ ପରେ ପଶ୍ଚିମବଙ୍ଗ ଜଙ୍ଗଲରେ ପ୍ରବେଶ କରିଥିଲା ଜୀନତ :-

ନଭେମ୍ବର 15 ତାରିଖରେ ସକାଳ ସମୟରେ ଶିମିଳିପାଳ ଚହଲା ନିକଟସ୍ଥ ଏକ ସଫ୍ଟ ଏନକ୍ଲୋଜର ମଧ୍ୟରେ ଜୀନତକୁ ଛଡ଼ା ଯାଇଥିଲା । ସେହି ଏନକ୍ଲୋଜର ମଧ୍ୟରେ ବାଘୁଣୀ ଜୀନତ ୩ଟି ବାରହା ଶିକାର କରିବା ପରେ ସୁସ୍ଥ ଥିବାରୁ ନଭେମ୍ବର ୨୪ ରାତିରେ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ଛଡାଯାଇଥିଲା । ଟ୍ରାପ-ଚିପ୍‌ ଲଗାଇ ଶିମିଳିପାଳ ଅଭୟାରଣ୍ୟ କୋର ଅଞ୍ଚଳରେ ବାଘୁଣୀ ଜୀନତକୁ ଛାଡ଼ିଥିଲେ ଶିମିଳିପାଳ କର୍ତ୍ତୃପକ୍ଷ । ହେଲେ ଡିସେମ୍ବର ୯ ତାରିଖରେ ସେହିଠାରୁ ସେ ଝାଡ଼ଖଣ୍ଡ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡ଼ିଥିଲା । ଦୀର୍ଘ ୨୧ ଦିନ ପରେ ଗତକାଲି (ଡିସେମ୍ବର ୨୯) ତାରିଖରେ ଜୀନତକୁ ପଶ୍ଚିମବଙ୍ଗ ବାଙ୍କୁରା ଜଙ୍ଗଲରେ ଟ୍ରାଙ୍କୁଲାଇଜ୍‌ କରି କାବୁ କରିବାରେ ସଫଳ ହୋଇଛି ବନ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details