ବାଲେଶ୍ବର: କାଳବୈଶାଖୀ ପ୍ରଭାବରେ ବାଲେଶ୍ବରରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି । ଚିଙ୍ଗୁଡି ଘେରିକୁ ଯାଇଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ । ବଜ୍ରପାତରେ ଜିଅନ୍ତା ଜଲିଗଲେ ଯୁବକ । ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ । ମୃତକ ଜଣଙ୍କ ହେଉଛନ୍ତି ଟୁକୁରୀ ହାଜିରା ପଞ୍ଚାୟତର ହରେନ୍ଦ୍ର ପରମାଣିକଙ୍କ ପୁଅ ରଞ୍ଜନ । ସେହିପରି ବଜ୍ରପାତରେ ଅନ୍ୟ ଜଣେ ଯୁବକ ଗୁରୁତର ଥିବା ସୂଚନା ମିଳିଛି । ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଜଣଙ୍କ ହେଉଛନ୍ତି ପସରବିନ୍ଧା ଗ୍ରାମର ମୃତୁଞ୍ଜଜୟ ଘଢ଼ାଇଙ୍କ ପୁଅ ।
ଏହା ମଧ୍ୟ ପଢନ୍ତୁ-୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ !
କାଳବୈଶାଖୀ ଯୋଗୁଁ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଆଜି ଭୋଗରାଇ ବ୍ଲକରେ ସକାଳୁ ସକାଳୁ ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହୋଇଥିଲା । ସେହି ସମୟରେ ମୃତକ ରଞ୍ଜନ ଚିଙ୍ଗୁଡ଼ି ଘେରିକୁ ଯାଇଥିଲେ । ବର୍ଷା ହେବାରୁ ସେଠାରେ ଥିବା ଏକ ଚାଳ ଘରେ ଆଶ୍ରୟ ନେଇଥିଲେ । ଏହି ସମୟରେ ହଠାତ ବଜ୍ରପାତ ହୋଇଥିଲା । ଫଳରେ କୁଡିଆ ସାଙ୍ଗକୁ ଯୁବକ ଜଣଙ୍କ ଘଟମାସ୍ଥଳରେ ଜିଅନ୍ତା ଜଳିଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ମୃତକଙ୍କ ପରିବାରକୁ ଖବର ଦେଇଥିଲେ ।