ଭୁବନେଶ୍ବର:ତାତିରୁ ମିଳିଲା ଆଶ୍ବସ୍ତି । ଆଜି ରାଜ୍ୟରେ ଟାଇଁ ଟାଇଁ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ବର୍ଷା ସହ ମେଘୁଆ ପାଗ ଦେଖିବାକୁ ମିଳିଛି। ତେବେ ସମୁଦ୍ର ପତନ ଉପରେ ଏକ ଟ୍ରପ୍ ଲାଇନ ରହୁଥିବାରୁ କିଛି ସ୍ଥାନରେ ବର୍ଷା ସହ ମେଘୁଆ ପାଗ ଥିବା ପଡ଼ିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ଟ୍ରପ୍ ଲାଇନ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ରାୟଗଡା, କୋରାପୁଟ, ନବରଙ୍ଗପୁରରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୧୬ ତାରିଖରୁ ପୁଣି ଏକ ପଶ୍ଚିମା ଝଡ଼ର ସମ୍ଭାବନା ଥିବାବେଳେ ସାରା ରାଜ୍ୟରେ ବର୍ଷା ହୋଇପାରେ । ଏନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟରେ ବାରମ୍ବାର ପଶ୍ଚିମା ଝଡ଼ର ପ୍ରବାହ ଯୋଗୁ ୧୭ ରୁ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆସନ୍ତା ୨୦ ତାରିଖ ଯାଏଁ ବର୍ଷାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।