ଭୁବନେଶ୍ବର: ଏଣିକି ଅପରାଧ ଘଟାଇ ଖସି ପାରିବେନି ଅଭିଯୁକ୍ତ । ଆଇନର ଗଳା ବାଟ ଦେଇ ହୋଇପାରିବନି ମାମଲାରୁ ମୁକ୍ତ । ଦୋଷୀ ଯେଉଁଠି ଥିଲେ ବି ଦଣ୍ଡ ମିଳିବ । ତ୍ୱରିତ ହେବ ନ୍ୟାୟିକ ପ୍ରକ୍ରିୟା । ସାଧାରଣ ଲୋକଟିଏ ଜାଣିପାରିବ ତାର ନ୍ୟାୟ ପାଇଁ ହେଉଥିବା ଲଢେଇରେ ସବିଶେଷ ତଥ୍ୟ । ଅପରାଧ କରି ଆଇନର ଜାଲରେ ବନ୍ଧା ହୋଇଥିବା ଅଭିଯୁକ୍ତ ବି ପାଇବ ନ୍ୟାୟିକ ବ୍ୟବସ୍ଥାରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାର ସୁଯୋଗ । ନ୍ୟାୟିକ ବ୍ୟବସ୍ଥାକୁ କିପରି ଆହୁରି କ୍ରିୟାଶୀଳ କରି ହେବ ସେନେଇ ୩୦ ଜିଲ୍ଲାର ପବ୍ଲିକ ପ୍ରୋସିକ୍ୟୁଟରମାନଙ୍କୁ ନେଇ ବୈଠକ ବସିଛି ।
ପବ୍ଲିକ ପ୍ରୋସିକ୍ୟୁଟର ବୈଠକ:
ଡାଇରେକ୍ଟର ଅଫ ପବ୍ଲିକ ପ୍ରୋସିକ୍ୟୁସନର ଅଧିନରେ ଥିବା ସମସ୍ତ କ୍ୟାଡ଼ର ପିପି ବା ପବ୍ଲିକ ପ୍ରୋସିକ୍ୟୁଟରଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଯେଉଁଠି ନୂତନ ଆଇନ ବା ଭାରତୀୟ ନ୍ୟାୟ ସଂହିତା ଓ ନାଗରିକ ସୁରକ୍ଷା ସହିତା ସହ ଇ-ପ୍ରୋସିକ୍ୟୁସନ ଉପରେ ବିଶେଷ ଫୋକସ ଦିଆଯାଇଛି ।
ଏନେଇ ଡାଇରେକ୍ଟର ଅଫ ପବ୍ଲିକ ପ୍ରୋସିକ୍ୟୁସନର ଯୁଗ୍ମ ନିର୍ଦ୍ଦେଶକ ଅଜିତ କୁମାର ପଟ୍ଟନାୟକକହିଛନ୍ତି," ଏହା ଦିନିକିଆ ତାଲିମ କର୍ମଶାଳା । ନୂଆ ଭାରତୀୟ ଆଇନ ଆସିବା ପରେ ଗୃହମନ୍ତ୍ରଣାଳୟ ବର୍ତ୍ତମାନ ଇ-ପ୍ରୋସିକ୍ୟୁସନ ଉପରେ ଗୁରୁତ୍ବ ଦେଉଛନ୍ତି । ଏହା ICJSର ଗୋଟିଏ ଅଂଶ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୋର୍ଟ ଓ ଇ-କୋର୍ଟ, ଫରେନ୍ସିକ ଲାବୋରେଟୋରୀ, ପୋଲିସ ଓ ପ୍ରୋସିକ୍ୟୁସନ ମଧ୍ୟରେ ଏକ ସମନ୍ବୟ ରଖିବା । ପ୍ରତିଟି ମାଲମାର ଗତବିଧି ଓ ତାର ସ୍ଥିତି କ'ଣ ରହିଛି ସେନେଇ ଏକ ଅନଲାଇନ ଫର୍ମାଟରେ ଗୋଟିଏ ସମୟରେ ଏସବୁ ବିଷୟରେ କେମିତି ଅବଗତ ହୋଇପାରିବେ ଏସବୁରେ ମୁଖ୍ୟ ଅଂଶ ହେଉଛି ପବ୍ଲିକ ପ୍ରୋସିକ୍ୟୁଟିଭ । ଇ-ପ୍ରୋସିକ୍ୟୁସନ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ ଗୋଟିଏ ଦିନ ତାଲିମ କାର୍ଯ୍ୟକ୍ରମ ରଖାଯାଇଛି । ଇ-ପ୍ରୋସିକ୍ୟୁସନକୁ କିଭଳି ମୋବାଇଲ ଆପ୍ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ ସେ ବିଷୟରେ ଜଣାଇବା ପାଇଁ ପ୍ରତ୍ୟେକ ଜିଲ୍ଲାର ପବ୍ଲିକ ପ୍ରୋସିକ୍ୟୁଟରମାନଙ୍କୁ ଡକାଯାଇଛି । ଇ-ପ୍ରୋସିକ୍ୟୁସନ ମାଧ୍ୟମରେ ନ୍ୟାୟିକ ବ୍ୟବସ୍ଥାର ଉନ୍ନତି ହେବ । ଏହାସହ ତ୍ବରିତ ନ୍ୟାୟ ପ୍ରଦାନରେ ଏହା ସହାୟକ ହେବ ।"
ସାମିଲ ହେଲେ 30 ଜିଲ୍ଲାର ପବ୍ଲିକ ପ୍ରୋସିକ୍ୟୁଟର:
ରାଜ୍ୟର ୩୦ଟି ଜିଲ୍ଲାର ପବ୍ଲିକ ପ୍ରୋସିକ୍ୟୁଟରଙ୍କୁ ନେଇ ଏକ ବୈଠକ ହୋଇଛି । ତୋଷାଳି ଭବନ ଠାରେ ୩୦ଟି ଜିଲ୍ଲାର ସରକାରୀ ଓକିଲ ସହ ଫରେନ୍ସିକ, ପୋଲିସ ଓ ମେଡିକାଲ ଡାକ୍ତର ବା ଏକ୍ସପର୍ଟମାନେ ଉପସ୍ଥିତ ରହି କିଭଳି ଏକ ସମନ୍ବୟ ଭିତରେ ନ୍ୟାୟିକ ବ୍ୟବସ୍ଥାକୁ ଟେକ୍ନୋଲୋଜି ମାଧ୍ୟମରେ ଅଗ୍ରଗତି ହେବ, କୋର୍ଟର ଆଇନଗତ ବା ମାମଲାର ଷ୍ଟାଟସ୍ ରିପୋର୍ଟ ଏବଂ ତଦନ୍ତରେ ଆଉ କେଉଁଠି ତ୍ରୁଟି ରହୁଛି ତାର ସୁଧାର କରିବା ଦିଗ ଉପରେ ଏକ ସମନ୍ବୟ ଢଙ୍ଗରେ ହୋଇପାରିବ ସେନେଇ ବୈଠକରେ ବିସ୍ତୃତ ଭାବରେ ଆଲୋଚନା ହୋଇଛି ।
ଇ-ପ୍ରୋସିକ୍ୟୁସନ, ଇ-କୋର୍ଟ, ସିସିଟିଏନସ ଭଳି ସେସବୁକୁ କିଭିଳି ସଠିକ ଭାବେ ପରିଚାଳନା ଓ ତାର ତଥ୍ୟ ସଠିକ ସମୟରେ ଅପଲୋଡ଼ ହୋଇପାରିବ । ଫଳରେ ଅଭିଯୋଗକାରୀ ମାମଲାର ଶୁଣାଣିର ତାରିଖ ଓ ଷ୍ଟାଟସ୍ ଜାଣିପାରିବ, ସାକ୍ଷୀ ଟିଏ ଘରେ ବସି ଜାଣିପାରିବ କେଉଁ ଦିନ ସାକ୍ଷ୍ୟ ଗ୍ରହଣ ଅଛି । ତଦନ୍ତକାରୀ ଅଧିକାରୀ ଜାଣିପାରିବେ ଯେ, ପରବର୍ତ୍ତୀ ପଦକ୍ଷେପ କ'ଣ ନେବେ ବା କ'ଣ ରିପୋର୍ଟ ଦାଖଲ ହେବ । ମେଡକାଲି ଏକ୍ସପର୍ଟ ଜଣିପାରିବେ ଯେ, କେଉଁ ଦିନ କୋର୍ଟରେ ହାଜର ରହିବାକୁ ପଡିବ । ଏ ସମସ୍ତ ଜିନିଷ ଏକ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ପାଇଁ ଯେଉଁ ଯୋଜନା ରୂପାୟନ ହୋଇଛି ତାକୁ ସଫଳ କରିବା ପାଇଁ ତାଲିମରେ ଅବଗତ କରାଯାଇଛି ।