ରାଇରଙ୍ଗପୁର:ମହିଳାମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖ ଦିନକୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ । ସମାଜରେ ମହିଳାମାନଙ୍କ ସମାନତା ଓ ଅଧିକାର ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଏହି ଅନ୍ତର୍ଜାତୀୟ ମହିଳା ଦିବସରେ ଆମେ ଏମିତି ଏକ ମହିଳାଙ୍କ ଚରିତ୍ର ବର୍ଣ୍ଣନା କରିବାକୁ ଯାଉଛୁ । ଯିଏ କି ଜଣେ ଆଦିବାସୀ ମହିଳା ଏବଂ ସେ ନିପଟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସି ଆଜି ସାରା ବିଶ୍ବରେ ପରିଚିତ ହୋଇ ପାରିଛନ୍ତି । ସେ ହେଉଛନ୍ତି ଆମ ମାଟିର ଝିଅ ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ହେଉଛନ୍ତି ଜଣେ ନାରା ଶକ୍ତିର ପ୍ରତିବିମ୍ବ । ତେବେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତିଙ୍କୁ ନେଇ ଆସନ୍ତୁ ଦେଖିବା ଆମ ଇଟିଭି ଭାରତର ଏହି ସ୍ବତନ୍ତ୍ର ରିପୋର୍ଟ ।
ଆଜିର ମହିଳା, ନା ସେ ଅବଳା ନା ସେ ଦୁର୍ବଳା । ସେ ଜାଣିଛି ପ୍ରତିଟି କ୍ଷେତ୍ର ପାଇଁ ତାର ସାମର୍ଥ୍ୟ ରହିଛି ଓ ସେ ସକ୍ଷମ ମଧ୍ୟ । ଗୋଟିଏ ସମୟ ଥିଲା ନାରୀ ତାହାର ପରିଚୟ ପାଇଁ ଅନବରତ ସଂଘର୍ଷ କରୁଥିଲା । ଆଗକୁ ବଢିବାକୁ ହେଲେ ସମାଜର ବାଧାବିଘ୍ନର ସମ୍ମୁଖିନ ହେବାକୁ ପଡୁଥିଲା । ଏବେ ସେହି ନାରୀ ନିଜ ପାରଦର୍ଶିତା ଓ ଦକ୍ଷତା ବଳରେ ପୁରୁଷଙ୍କ ସମତୁଲ୍ୟ ହୋଇପାରିଛି । ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ି ବଢ଼ି ଚାଲିଛି । ଏମିତି ଅନେକ ମହିଳା ଅଛନ୍ତି ଯିଏ କି ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ମଧ୍ୟରୁ ଅନ୍ୟତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳା । ଦ୍ରୌପଦୀ ମୁର୍ମୁ ଜୁନ ମାସ ୨୦ ତାରିଖ ୧୯୫୮ ମସିହାରେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମରୁ ତାଙ୍କ ଜୀବନ ସଂଘର୍ଷ ପୂର୍ଣ୍ଣ ରହିଛି । ତାଙ୍କ ମାଆଙ୍କ ନାଁ ସିନଗୋ ଟୁଡୁ ଏବଂ ବାପା ବିରଞ୍ଚି ନାରାୟଣ ଟୁଡୁ ।
ବାପା ଉପରବେଡା ଗ୍ରାମର ପ୍ରଧାନ (ମୁଖିଆ) ଥିଲେ । ବିରଞ୍ଚି ନାରାୟଣ ଟୁଡୁଙ୍କ ତିନୋଟି ସନ୍ତାନ ଦ୍ରୌପଦୀ ମୁର୍ମୁ, ଭଗତ ଚରଣ ଟୁଡୁ ଓ ତରଣୀସେନ ଟୁଡୁଙ୍କ ମଧ୍ୟରେ ବଡ଼ ଥିଲେ ଦ୍ରୌପଦୀ । ନିଜ ଗ୍ରାମରେ ଦ୍ରୌପଦୀଙ୍କ ଛାତ୍ରୀ ଜୀବନ କଟିଥିଲା ବେଳେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଉପରବେଡା ଏମଇ ସ୍କୁଲ ରେ ପାଠ ପଢିଥିଲେ । ସେଠାରୁ ସେ ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ବର ଆସିଥିଲେ । ଭୁବନେଶ୍ୱରରେ ଶିକ୍ଷା ସମାପ୍ତ ପରେ ସେ ସଚିବାଳୟରେ ଚାକିରି କରିଥିଲେ । ପରେ ସେଠାରୁ ସେ ରାଇରଙ୍ଗପୁର ଫେରି ଆସି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ୧୯୯୪ ରୁ ୧୯୯୭ ମସିହା ପର୍ଯ୍ୟନ୍ତ ଅବୈତନିକ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ହୋଇ ଶିକ୍ଷାଦାନ କରିଥିଲେ ।
ନଜର ପକାନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ ଜୀବନ:
ସେ ୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ । ୧୯୯୭ ମସିହାରେ ପ୍ରଥମ କରି ଜଣେ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ଭାବେ ବିଜୟୀ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ ରାଇରଙ୍ଗପୁରର ଭାଇସ୍-ଚେୟାରମ୍ୟାନ୍ ମଧ୍ୟ ରହିଥିଲେ । ୧୯୯୭ ମସିହାରେ ସେ ବିଜେପିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ଥିଲେ । ଏହାପରେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏହାପରେ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
ସେହିପରି ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଥିଲେ । ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଥିଲେ ଦ୍ରୌପଦୀ । ତେବେ ୨୦୧୫ ମସିହାରେ ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ । ଏହାପରେ ୨୦୨୩ ମସିହାରେ ଦେଶର ପ୍ରଥମ ନାଗରିକ ହୋଇଥିଲେ ସେ ।