ନବରଙ୍ଗପୁର:ପାଣି ପାଇଁ ରାସ୍ତାରୋକ । ଡହଡହ ଖରାକୁ ଉତ୍କଟ ପାନୀୟ ଜଳ ସମସ୍ୟା । ପ୍ରତିବାଦରେ ଗରା, ବାଲଟି, ହାଣ୍ଡି ରଖି ମହିଳାମାନଙ୍କ ରାସ୍ତା ରୋକ୍ । ନବରଙ୍ଗପୁର ସହର ହିରଲୀ ଗ୍ରାମର ମହିଳା ମାନେ ପାଣି ପାଇଁ ଶୁକ୍ରବାର ଦିନ ରାସ୍ତାରୋକ କରିଥିଲେ । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଏଭଳି ଜଳ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି ଲୋକେ । ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସମାଧାନ ନହେବାରୁ ଶେଷରେ ବାଧ୍ୟ ହୋଇ ରାସ୍ତା ଉପରେ ବସିଥିବା କହିଛନ୍ତି ମହିଳାମାନେ ।
ଦୀପ ତଳ ଅନ୍ଧାର ଭଳି ନବରଙ୍ଗପୁର ସହରକୁ ପାଣି ଯୋଗାଉଥିବା ହୀରଲୀ ଡ଼ଙ୍ଗରି ଅଞ୍ଚଳ ହିଁ ପାନୀୟ ଜଳ ସମସ୍ୟାରେ ବୁଡି ରହିଛି । ଗ୍ରାମରେ ତିନି ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଦୁଇଟି ମାତ୍ର ନଳକୂପ ରହିଛି । କିନ୍ତୁ ସେହି ନଳକୂପରୁ ମଧ୍ୟ ଗୋଳିଆ ପାଣି ବାହାରୁଛି । ଯାହାଫଳରେ ଛୋଟ ଛୁଆଙ୍କ ଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ଗୋଳିଆ ପାଣି ପିଇ ରୋଗରେ ପଡୁଛନ୍ତି ।
ଅନ୍ୟପକ୍ଷରେ ଗ୍ରାମର ପାହାଡ଼ ଉପରେ ପାଣି ଟାଙ୍କି କରାଯାଇ ନବରଙ୍ଗପୁର ସହରକୁ ପାଣି ଯୋଗାଇ ଦିଆଯାଉଛି । କିନ୍ତୁ ଗ୍ରାମର ପାନୀୟ ଜଳ ସମସ୍ୟାର ସମାଧାନ ପ୍ରତି କାହାରି ନିଘା ନ ଥିବା ଗ୍ରାମବାସୀ କହିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ଠୁ ଆରମ୍ଭ କରି ବିଡ଼ିଓ ଏବଂ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି କିନ୍ତୁ ପ୍ରତିଥର ସମସ୍ତଙ୍କ ନିକଟରୁ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମିଳୁଛି କିନ୍ତୁ ତାହାର ସମାଧାନ ହୋଇପାରୁନାହିଁ । ତେଣୁ ସମସ୍ୟାର ସମାଧାନ ନ ହେବା ଯାଏଁ ରାସ୍ତାରୋକରୁ ନ ହଟିବା ଜିଦରେ ଅଟଳ ରହିଥିଲେ ଗ୍ରାମବାସୀ ।