ଓଡିଶା

odisha

ETV Bharat / state

ସଂଘର୍ଷର ଅନ୍ୟ ନାମ ଲକ୍ଷ୍ମୀପ୍ରିୟା, 34 ବର୍ଷର ପରିଶ୍ରମ 40 ପରିବାରକୁ ଦେଇଛି ରୋଜଗାର - Women Self Successful Story

women became self independent: ସଂଘର୍ଷ କରି ସଫଳତା ପାଇଥିବା ମହିଳାଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଲକ୍ଷ୍ମୀପ୍ରିୟା ମହାନ୍ତି। ପାଞ୍ଚ ମହିଳାଙ୍କ 150 ଟଙ୍କାରେ ଆରମ୍ଭ ହୋଇଥିବା ଡକରା ଗ୍ରୁପ ଆଜି 40 ପରିବାରକୁ ଦେଇଛି ରୋଜଗାର । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Mar 28, 2024, 5:31 PM IST

ସଂଘର୍ଷର ଅନ୍ୟ ନାମ ଲକ୍ଷ୍ମୀପ୍ରିୟା

ବାଲେଶ୍ୱର: ଆଉ ଘର କୋଣରେ ନୁହଁ ବରଂ ବାହାରକୁ ଆସି ସାବଲମ୍ବୀ ହେବାକୁ ଆଗଭର ମହିଳା । ଆମେ ହାତ ଗୋଡ ବାନ୍ଧି ବସିବୁ ନାହିଁ... କୌଣସି ବି କାମ ହେଉ ଆମେ କରିବୁ । ମନରେ ଏମିତି ଭାବନା ରଖି ସଂଘର୍ଷ କରି ସଫଳତା ପାଇଥିବା ମହିଳାଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଲକ୍ଷ୍ମୀପ୍ରିୟା ମହାନ୍ତି। ଘର ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଟିଆଳପଦା ଅଞ୍ଚଳରେ । 1990 ମସିହାରେ ସେ ଆରମ୍ଭ କରିଥିବା ଡକରା ଗ୍ରୁପ ଏବେ ମହାଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ ନାଁରେ ପରିଚାଳିତ ହେଉଛି । ନିଜେ ସ୍ବାବଲମ୍ବୀ ହେବା ସହ 40 ଟି ପରିବାରକୁ ରୋଜାର କ୍ଷମ ମଧ୍ୟ କରିଛନ୍ତି ସେ ।

150 ଟଙ୍କାରୁ ଆରମ୍ଭ ହୋଇଥିଲା ବ୍ୟବସାୟ: 1990 ମସିହାରୁ ହିଁ ପ୍ରଥମେ ଆରମ୍ଭ ହୋଇଥିଲା ଲକ୍ଷ୍ମୀପ୍ରିୟାଙ୍କ ସଂଘର୍ଷର କାହାଣୀ। ସେତେବେଳେ ଲକ୍ଷ୍ମୀପ୍ରିୟାଙ୍କ ସହ ପୂର୍ଣ୍ଣମାସି ବେହେରା, ବାସନ୍ତୀ ମହାନ୍ତି, ସୁମିତ୍ରା ଦଳେଇ, ଶାନ୍ତିଲତା ମହାନ୍ତି ଏକ ଡକରା ଗ୍ରୁପ ତିଆରି କରିଥିଲେ। ସେତେବେଳେ ଡାକ୍ତର ସୁପ୍ରଭା ଦାସଙ୍କ ପରାମର୍ଶ କ୍ରମେ ପାଞ୍ଚଜଣ ମହିଳା 30 ଟଙ୍କା ଲେଖାଏଁ ଆଦାୟ କରି 150 ଟଙ୍କା ଜମା କରିଥିଲେ। ସେହି ଟଙ୍କାରେ ଗୋଟା ହଳଦୀ କିଣି ସେସବୁ ଗୁଣ୍ଡ କରି ବଜାରରେ ବିକ୍ରି କରିବା ପରେ 175 ଟଙ୍କା ରୋଜଗାର କରିଥିଲେ। ପାଞ୍ଚ ଜଣଙ୍କୁ 25 ଟଙ୍କା ଲାଭ ବାହାରିବା ପରେ ମହିଳା ମାନେ ଦୋକାନୀ ମାନଙ୍କୁ ହଳଦୀ ଦେଇ ସେହି ପଇସାରେ ବିରି କିଣି ଆଣି ସେସବୁ ଭାଗକାରୀ ଘରକୁ ନେଇ ସେଥିରୁ ବଡ଼ି ପ୍ରସ୍ତୁତ କରିଥିଲେ।

5ଜଣରୁ ଆରମ୍ଭ ହୋଇଥିବା ଗ୍ରୁପ 2010 ରେ 10ରେ ପହଞ୍ଚିଲା:ପରେ ହଳଦୀ ଏବଂ ବଡ଼ି ବଜାରରେ ବିକ୍ରି କରିବା ଆରମ୍ଭ କରିଥିଲେ। ସୋର, ତୁଡ଼ିଗଡ଼ିଆ, ଖଇରା, ଆଗରପଡ଼ା ଆଦି ଅଞ୍ଚଳକୁ ବସରେ ଯାଇ ସାପ୍ତାହିକ ବାର ଅନୁସାରେ ଲକ୍ଷ୍ମୀପ୍ରିୟା ଦୋକାନୀ ମାନଙ୍କୁ ବଡ଼ି ଓ ହଲଦୀଗୁଣ୍ଡ ବିକ୍ରି କରି ଆସନ୍ତି। ଏମିତିରେ ମାତ୍ର ପାଞ୍ଚ ମାସ ଭିତରେ ମହିଳାମାନେ 3 ହଜାର ଟଙ୍କା ଲାଭ ପାଇଥିଲେ। ଏହି ଲାଭ ପାଇବା ପରେ ମହିଳାମାନେ ବଡ଼ି, ହଳଦୀ ଗୁଣ୍ଡ ସାଙ୍ଗକୁ ଫୁଟଣ, ଜିରାଗୁଣ୍ଡ, ଭଳି ମସଲା ତିଆରି କରିବା ଆରମ୍ଭ କରିଦେଇଥିଲେ । 1990 ମସିହାରେ ଲକ୍ଷ୍ମୀପ୍ରିୟାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ପାଞ୍ଚ ଜଣିଆ ମହିଳା ଗ୍ରୁପ 1995 ମସିହା ବେଳକୁ 10 ଜଣରେ ପହଞ୍ଚିଥିଲା।

ଏହା ମଧ୍ୟ ପଢନ୍ତୁ-ବୈଦ୍ୟରୁ ସଫଳ ବ୍ୟବସାୟୀ, ଅନ୍ୟମାନଙ୍କ ପାଇଁ ପ୍ରେରଣା ଲୁଗ୍ନା ଜଫ୍ରିନ

ମହିଳାଙ୍କ ଉଦ୍ୟମ ଦେଖି ସହାୟତା କରିଥିଲା ORMAS: ମହିଳାମାନଙ୍କ ଏଭଳି ଉଦ୍ୟମ ଦେଖି ସେତେବେଳେ ଜିଲ୍ଲାସ୍ତରର ଡ଼କରା ଗ୍ରୁପ ସେମାନଙ୍କୁ 25 ହଜାର ଟଙ୍କା ଋଣ ପ୍ରଦାନ କରିବା ସହ ORMAS ମଧ୍ୟ 10 ହଜାର ଟଙ୍କା ଋଣ ପ୍ରଦାନ କରିଥିଲା। ଋଣ ମିଳିବା ପରେ ଲକ୍ଷ୍ମୀପ୍ରିୟା ଆଉ ପଛକୁ ଫେରି ଚାହିଁ ନଥିଲେ। ଧୀରେଧୀରେ ତାଙ୍କର ବ୍ୟବସାୟ ବଢ଼ାଇବା ପାଇଁ ମନସ୍ଥ କରିଥିଲେ। ବ୍ୟବସାୟ ଏତେ ବଢିଆ ଚାଲିଲା ଯେ 10 ଜଣ ମହିଳା ମାସକୁ ଦୁଇ ହଜାର ଟଙ୍କା ଲେଖାଏଁ ରୋଜଗାର କରି ପାରିଲେ। ଧୀରେ ଧୀରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ମସଲା, ହଳଦୀ ଗୁଣ୍ଡ ବଜାରରେ ବିକ୍ରି ହେବାପାଇଁ ଗଲା। ନିଜେ ଲକ୍ଷ୍ମୀପ୍ରିୟା ହାତରେ ବ୍ୟାଗ ଧରି ବଜାର ଯାଇ ଦୋକାନ ଦୋକାନ ବୁଲି ନିଜ ଦ୍ୱାରା ଉତ୍ପାଦିତ ସାମଗ୍ରୀ ବିକ୍ରି କରିଥିଲେ।

1999ରେ ସ୍ୱୟଂ ସହାୟିକା ଗୋଷ୍ଠୀରେ ପରିଣତ ହେଲା ଡକରା ଗ୍ରୁପ:1999 ମସିହାରେ ଡକରା ଗ୍ରୁପ ବନ୍ଦ ହୋଇ ସ୍ୱୟଂ ସହାୟିକା ଗୋଷ୍ଠୀରେ ପରିଣତ ହୋଇଛି । ସେତେବେଳେ ଏହି ଗ୍ରୁପରେ 11 ଜଣ ସଦସ୍ୟା ଥିବା ବେଳେ ଏହାର ନାମ ମାଟିଆଳପଦା ସ୍ୱୟଂ ସହାୟିକା ଗୋଷ୍ଠୀ ବୋଲି ରଖା ଯାଇଥିଲା। 2003 ମସିହାରେ ସରକାରୀ ସ୍ତରରୁ ସବ୍ସିଡିରେ ଏକ ହଳଦୀ ପେଶା ମେସିନ ମିଳିଥିଲା। ପରେ ସାମଗ୍ରୀ ଉତ୍ପାଦନ ପାଇଁ ଯେଉଁ ଘର ଉଦ୍ଦିଷ୍ଟ ଥିଲା ସେଠାକୁ ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ଲକ୍ଷ୍ମୀପ୍ରିୟା ନିଜ ଗହଣା ବନ୍ଧା ପକାଇ ବିଦ୍ୟୁତ ସଂଯୋଗ କରାଇବା ପାଇଁ ବିଦ୍ୟୁତ ତାର ଏବଂ 9 ଟି ଖୁଣ୍ଟ କିଣିଥିଲେ।

ଖାଦ୍ୟ ସାମଗ୍ରୀ ତିଆରି କରୁଥିଲେ ଏହି ଗ୍ରୁପ ସଦସ୍ୟ: 2005 ମସିହାରେ ନୂତନ ଗୃହ ତିଆରି ହେବା ସହ ନୂତନ ଟ୍ରାନ୍ସଫର୍ମର ସାଙ୍ଗକୁ ବିଦ୍ୟୁତ ସଂଯୋଗ ହୋଇଥିଲା। ସେତେବେଳକୁ ଲକ୍ଷ୍ମୀପ୍ରିୟାଙ୍କ ହଳଦୀ ବାଲେଶ୍ଵର ଜିଲ୍ଲା ସାରା ରପ୍ତାନି ହେଉଥିଲା। ଧୀରେ ଧୀରେ ହଳଦୀ ପେଶା ଗ୍ରାଇଣ୍ଡର, ବିରି ଗ୍ରାଇଣ୍ଡର, ଚଲା ମେସିନ, ମୁଢି ଭଜା ମେସିନ, ଗହମ ପେଶା ମେସିନ, ଓଜନ କଣ୍ଟା ଆଦି କିଣା ଯାଇଥିଲା। ସେତେବେଳେ ORMAS ସହଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ମେଳାକୁ ଲକ୍ଷ୍ମୀପ୍ରିୟା ଏବଂ ତାଙ୍କର ସାଥୀମାନେ ନିଜସ୍ୱ ଉତ୍ପାଦ ନେଇ ଯାଉଥିଲେ। ଏବେ ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମିଶନଶକ୍ତି ବଜାରରେ ଲକ୍ଷ୍ମୀପ୍ରିୟାଙ୍କ ଦ୍ଵାରା ପ୍ରସ୍ତୁତ ବୁଟ ଛତୁଆ, ହଳଦୀ ଗୁଣ୍ଡ, ବଡ଼ି, ମୁଢି, ବେଶନ, କୋଳଥ ଡାଲି, ମାଣ୍ଡିଆ ଗୁଣ୍ଡ, ସାନିଟାଇଜ ନାପକିନ, ମୁଗ ଡାଲି, ଫୁଟଣ, ବାଦାମ ଲଡୁ, ଖସା ଲଡୁ, ସୋଲା ବୁଟ ଏମିତି 30 ପ୍ରକାର ସାମଗ୍ରୀ ଯୋଗାଇ ଦେଉଥିଲେ ।

ଅଙ୍ଗନବାଡିକୁ ଖାଦ୍ୟ ଯୋଗାଇବା ପାଇଁ ଏଗ୍ରିମେଣ୍ଟ: 2011 ମସିହା ଏପ୍ରିଲ ମାସରେ ଅଙ୍ଗନବାଡ଼ି ଗୁଡିକୁ ଖାଦ୍ୟ ଯୋଗାଇ ଦେବାପାଇଁ ଏଗ୍ରିମେଣ୍ଟ ହୋଇଥିଲା। ପରେ 18ଟି ପଞ୍ଚାୟତର 175 ଟି ଅଙ୍ଗନବାଡିକୁ ଗର୍ଭବତୀମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଯୋଗାଇ ଦେଉଛନ୍ତି ଲକ୍ଷ୍ମୀପ୍ରିୟା। ଏଥିରୁ ଯାହା କମିଶନ ମିଳୁଛି ସେଥିରେ ମହିଳାମାନେ ନିଜସ୍ୱ ଖର୍ଚ୍ଚ ଉଠାଇ ପାରୁଛନ୍ତି। ଏବେ 40 ପରିବାର ମାସକୁ 6 ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି। ଲକ୍ଷ୍ମୀପ୍ରିୟାଙ୍କ ପାଖରେ ମହିଳା 31ଜଣ ଏବଂ ପୁରୁଷ 9 ଜଣ କାମ କରୁଛନ୍ତି। ମହିଳାମାନେ ମାସିକ 6 ହଜାର ଟଙ୍କା ଏବଂ ପୁରୁଷମାନେ ମାସିକ 12 ହଜାର ରୋଜଗାର କରି ପାରୁଛନ୍ତି। ବର୍ତ୍ତମାନ ମହାଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ ନାଁରେ ଏହା ପରିଚାଳିତ ହେଉଥିବା ବେଳେ ମହିଳାମାନେ ଏବେ ସାନିଟାଇଜ ନାପକିନ ବ୍ୟବସାୟ ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରାୟ 15 ଲକ୍ଷ ଟଙ୍କାର ମେସିନ କିଣି ନିଜେ ନାପକିନ ପେଡ ତିଆରି କରୁଛନ୍ତି।

ଦୀର୍ଘ 34 ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ ଏବଂ ଏକାଗ୍ରତା ଆଜି ଲକ୍ଷ୍ମୀପ୍ରୀୟାଙ୍କୁ ରୋଜଗାର କ୍ଷମ କରିବା ସହ ଅନ୍ୟଙ୍କୁ ମଧ୍ୟ ରୋଜଗାର ଦେଇଛି । ଏଥିପାଇଁ କୋଶମ୍ବ ମେଳାରେ ଜିଲ୍ଲାପାଳଙ୍କ ଠାରୁ ଲକ୍ଷ୍ମୀପ୍ରିୟା ପୁରସ୍କୃତ ମଧ୍ୟ ହୋଇଛନ୍ତି । ଏମିତି ଜଣେ ମହିଳାଙ୍କ ନିଷ୍ଠା ଏବଂ ପରିଶ୍ରମ ଆଜି ଉକ୍ତ ଅଞ୍ଚଳରେ ତାଙ୍କୁ ଭିନ୍ନ ଏକ ପରିଚୟ ଦେବାସହ 40 ଜଣଙ୍କୁ ସେ ଦେଇ ପାରିଛନ୍ତି ରୋଜଗାର। ଲକ୍ଷ୍ମୀପ୍ରିୟାଙ୍କ ଏମିତି ଉଦ୍ୟମ ଏବଂ ସଫଳତା ନିଶ୍ଚୟ ଅନ୍ୟ ମହିଳାମାନଙ୍କୁ ପ୍ରେରଣା ନିଶ୍ଚୟ ଯୋଗାଇବ ।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details