ସମ୍ବଲପୁର:ବିଧିର ବିଧାନ ବଡ ବିଚିତ୍ର, କେତେ ବେଳେ କାହା ସହ କଣ ଘଟିବ ତାହା ଅଜଣା । ସାନ ଯାର ଜୀବନ ବଞ୍ଚାଇବାକୁ ବଡ ଯା ଯକୃତ ଦାନ କରିଥିଲେ । ଭାବିଥିଲେ ଯା ନୂଆ ଜୀବନ ପାଇବ । ଯକୃତ ପ୍ରତି ରୋପଣ ପରେ ସାନ ଯାର ହୋସ ଆସିଲା, ପରିବାର ଲୋକେ ଭାବିଲେ ନୂଆ ଜୀବନ ପାଇଲେ । କିନ୍ତୁ ଏ ସୁଃଖ ବେଶି ଦିନ ରହିଲା ନାହିଁ । କାହିଁକିନା ବିଧିର ବିଧାନ ଥିଲା କିଛି ଅଲଗା । ବଡ଼ ଯାଙ୍କ ମହତ ଦାନ କାମରେ ଆସିଲା ନାହିଁ । ଦୀର୍ଘ 14 ଦିନ ଚିକିତ୍ସାଧିନ ପରେ ସାନ ଯାଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ପାଇଁ ତାଙ୍କ ଶରୀରର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ସବୁ ଅକାମୀ ହୋଇ ଯିବାରୁ ସେ ଆଖି ବୁଜିଥିବା ଜଣାପଡିଛି । ଆମେ କହୁଛୁ ସମ୍ବଲପୁରର ସେ ଦୁଇ ଯା ପ୍ରତୀମା ପ୍ରଧାନ ଓ ଉମାକାନ୍ତିଙ୍କ କଥା ।
WOMAN DIES AFTER LIVER TRANSPLANT (ETV BHARAT ODISHA) ଯକୃତ ପ୍ରତ୍ୟାରୋପଣର 14 ଦିନ ପରେ ଆଖି ବୁଜିଲେ ସାନ ଯା:
ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକର ଝାଙ୍କରପାଲି ଗାଁର ଦୁଇ ଯା ପ୍ରତୀମା ପ୍ରଧାନ ଓ ଉମାକାନ୍ତି ପ୍ରଧାନ । ସାନ ଯା ଉମାକାନ୍ତିଙ୍କୁ ଯକୃତ ଦାନ କରି ଆଜିର ସ୍ବାର୍ଥପର ଦୁନିଆରେ ସମ୍ପର୍କର ମୂଲ୍ୟକୁ ବୁଝାଇ ଦେଇଥିଲେ ବଡ ଯା ପ୍ରତୀମା । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ହୋଇଥିବା ଯକୃତ ପ୍ରତ୍ୟାରୋପଣ । ଏହାର ଠିକ 14 ଦିନ ପରେ ଅର୍ଥାତ ଗତକାଲି(ଶୁକ୍ରବାର) ଉମାକାନ୍ତି ଆଖି ବୁଜିଛନ୍ତି । ଆଜି ଅପରାହ୍ନରେ ସାନ ଯା ଉମାକାନ୍ତିଙ୍କ ମୃତଦେହ ଝାଙ୍କରପାଲି ଗାଁକୁ ଆସିବା ପରେ କାନ୍ଦ ବୋବାଳି ରେ ଫାଟି ପଡିଥିଲା ଗାଁ ଦାଣ୍ଡ । ଏହା ପରେ ଉମାକାନ୍ତିଙ୍କ ମରଶରୀରକୁ ଶ୍ମଶାନ ଘାଟକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।
WOMAN DIES AFTER LIVER TRANSPLANT (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-ସ୍ବାର୍ଥପର ଦୁନିଆ ପାଇଁ ଉଦାହରଣ; ସାନ ଯା ଜୀବନ ବଞ୍ଚାଇଲେ ବଡ ଯା - WOMAN DONATES LIVER
ଏହା ମଧ୍ୟ ପଢନ୍ତୁ-ମୃତ୍ୟୁ ପରେ ବି ଅମର ଦମୟନ୍ତୀ ! ଲିଭର ଦାନ କରି ସାଜିଲେ ଉଦାହରଣ, ଅଜଣା ବ୍ୟକ୍ତି ପାଇବେ ନୂଆ ଜୀବନ - ଦମୟନ୍ତୀ ଅମର
ଅସଫଳ ହେଲା ଯକୃତ ଅସ୍ତ୍ରୋପ୍ରଚାର:
ମୃତ ଉମାକାନ୍ତିଙ୍କ ସ୍ୱାମୀ ମହାଦେବ ପ୍ରଧାନ ଏହି ଘଟଣା ନେଇ କହିଛନ୍ତି, ଗତ ଫେବୃଆରୀ 7 ତାରିଖରେ ଲିଭର ଟ୍ରାନ୍ସପ୍ଲାନେଟ ହୋଇଥିଲା । ସବୁ ଠିକ ଥିଲା, ତାପରେ 10 ତାରିଖ କୁ ତାଙ୍କର ଚେତା ଆସିଯାଇଥିଲା ଓ ସେ କଥାବାର୍ତ୍ତା କରିବା ସହ ଖାଦ୍ୟ ମଧ୍ୟ ଖାଉଥିଲେ । 5 ଦିନ ପରେ ତାଙ୍କ ପେଟରୁ ପାଣି ବାହାରିଥିଲା । ଡାକ୍ତର କହିଲେ କିଛି ସଂକ୍ରମଣ ହୋଇଯାଇଛି, ଆଉ ଥରେ ଓଟିକୁ ନେବାକୁ ପଡିବ । ଫେବୃଆରୀ 17 ତାରିଖ ଓଟିକୁ ନେଲେ ସେଠାରେ ଆଉ ଥରେ ସର୍ଜରୀ ହେଲା । 3 ଘଣ୍ଟା ପରେ ଯେତେବେଳେ ଡାକ୍ତର ଓଟିରୁ ବାହାରିଲେ ହିଲେ ଯେ ସଂକ୍ରମଣ ହୋଇ ଯାଇଛି ସେଥିପାଇଁ ଷ୍ଟିଚିଂ ହୋଇ ପାରୁନି । ଆମେ ସେ ଜାଗାର ଉଚିତ ଚିକିତ୍ସା କରିଦେଇଛୁ, ସେନ୍ସ ଆସିଗଲେ କିଛି ଅସୁବିଧା ହେବ ନାହିଁ । ପରେ ଉମାକାନ୍ତିଙ୍କ ସେନ୍ସ ବି ଆସିଗଲା, ତେବେ କିଛି ଘଣ୍ଟା ଗଲା ପରେ ତାଙ୍କର ଆକ୍ସିଜେନ ସମସ୍ୟା ହେଲା । ଏହାକୁ ଦେଖି ସାଙ୍ଗେ ସାଙ୍ଗେ ଭେଣ୍ଟିଲେଟରରେ ରଖାଗଲା । ପରେ ଦେଖାଗଲା ଯେ କିଡ଼ନୀ ବି କାମ କରୁନଥିଲା । 24 ଘଣ୍ଟା ଡାଇଲିସିସ ମେସିନରେ ରଖାଗଲା ଆଉ ତାଙ୍କର ହୋସ ଆସିଲା ନାହିଁ ଓ ପରେ ଗତ 21 ତାରିଖ ସକାଳ 10 ଟାରେ ତାଙ୍କର ମୃତ୍ୟୁ ହୋଇଗଲା ।
ବଡ଼ ଯାଙ୍କ ମହତ ଦାନ କାମରେ ଆସିଲା ନାହିଁ:
2018 ମସିହାରେ ଉମାକାନ୍ତିଙ୍କ ପିତକୋଷ ଅପରେସନ ପରେ ତାଙ୍କ ପେଟ ଭିତରେ ସେପ୍ଟିକ ହୋଇଯାଇଥିବାରୁ ସମ୍ପୂର୍ଣ୍ଣ ଯକୃତ ନଷ୍ଟ ହୋଇଯାଉଥିଲା । ଫଳରେ ବୁର୍ଲା ଭୀମସାର, ଭୁବନେଶ୍ବର ଏମ୍ସ ସହିତ ଅନେକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଶେଷରେ ଯକୃତ ପ୍ରତ୍ୟାରୋପଣ ନ କଲେ ଜୀବନ ପ୍ରତି ବିପଦ ଥିବା ଡ଼ାକ୍ତର କହିଥିଲେ । ଯକୃତ ପ୍ରତ୍ୟାରୋପଣ କରିବା ପାଇଁ ପରିବାର ସ୍ଥିର କରି ସରକାରୀ ପ୍ରକ୍ରିୟା ଆରମ୍ଭ କରିଥିଲେ । ପରିବାରବର୍ଗଙ୍କ ସହମତି ପରେ ବଡ ଯା ପ୍ରତିମାଙ୍କ ଯକୃତ ପରୀକ୍ଷା କରାଯାଇଥିଲା । ମ୍ୟାଚ୍ ହେବା ଫଳରେ ହାଇଦ୍ରାବାଦର ଏକ ଘରୋଇ ମେଡିକାଲରେ ଯକୃତ ପ୍ରତ୍ୟାରୋପଣ ହୋଇଥିଲା । କିନ୍ତୁ ଗତକାଲି ଉମାକାନ୍ତିଙ୍କର ମୃତ୍ୟୁ ହୋଇଛି ।
ଇଟିଭି ଭାରତ, ସମ୍ବଲପୁର