ନୟାଗଡ଼:ପ୍ରେମ, ପରେ ବିବାହ, ପୁଣି ନିର୍ଯାତନା ଆଉ ଏବେ ଯୌତୁକ ପାଇଁ ହତ୍ୟା ! ଏଭଳି କିଛି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ସଦର ଥାନା ମାଳିସାହି ଫାଣ୍ଡି ଅନ୍ତର୍ଗତ କଞ୍ଚନବେଲି ଗ୍ରାମରୁ । ଯେଉଁଠି ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପଘର ଲୋକ ।
ସୂଚନା ଅନୁସାରେ, ନୟାଗଡ଼ ଇଟାମାଟି ଥାନା ଅନ୍ତର୍ଗତ ଅରାସାହି ଗ୍ରାମର ରମେଶ ନାହାକଙ୍କ ଝିଅ ୫ ବର୍ଷ ତଳେ ନୟାଗଡ଼ ଜିଲ୍ଲା ମାଳିସାହି ଫାଣ୍ଡି ଅନ୍ତର୍ଗତ କଞ୍ଚନବେଲି ଗ୍ରାମର ବିଜୟ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ବିଜୟ ଖମାରିସାହିଠାରେ ଅବସ୍ଥିତ ପ୍ରେଟୋଲ ଟାଙ୍କିରେ କାମ କରୁଥିଲେ । ସେପଟେ ବିଭିନ୍ନ ସମୟରେ ଶାଶୁ ଓ ବୋହୁଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । କିଛିଦିନ ତଳେ ଶାଶୁ ବୋହୁଙ୍କ ଝଗଡ଼ାକୁ ନେଇ ପତ୍ନୀଙ୍କ ସହ ବିଜୟଙ୍କ ମନୋମାଳିନ୍ୟ ହୋଇଥିଲା । ମହିଳାଙ୍କ ବାପଘର ଲୋକ ଆସି ଏହାକୁ ସମାଧାନ କରିଥିଲେ । ଅନ୍ୟପଟେ ଆଜି (ରବିବାର) ସକାଳୁ ରଞ୍ଜିତା ଘରକାମ ଶେଷ କରି ଗାଁରେ ଥିବା ନଣନ୍ଦଙ୍କ ଘରକୁ ଯାଇଥିଲେ । ନଣନ୍ଦଙ୍କ ପରିବାର ଲୋକେ ବାହାରେ ରହୁଥିବାରୁ ବିଜୟଙ୍କ ପରିବାର ତାଙ୍କ ଦେଖାଶୁଣା କରୁଥିଲେ । ଏପଟେ ଦୀର୍ଘ ସମୟ ଧରି ମହିଳା ଜଣଙ୍କ ନଣନ୍ଦ ଘରକୁ ଯାଇ ନଫେରିବାରୁ ତାଙ୍କ ଶାଶୁ ହାର ଦେଇ ଖୋଜିଖୋଜି କରି ସେଠାରେ ପହଞ୍ଚିଥିଲେ ।