ନିଆଳି: ଗତକାଲି ସରକାର ରାଜ୍ୟରେ ୩୪ ନୂଆ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିଛନ୍ତି । ଏଥି ମଧ୍ୟରୁ କଟକ ଜିଲ୍ଲା ନିଆଳି ମଧ୍ୟ ସ୍ଥାନ ପାଇଛି । କଟକର ସାଲେପୁର, ବଡ଼ମ୍ବା ଓ ନରସିଂହପୁର ଅଞ୍ଚଳ ମଧ୍ୟ ଘୋଷଣା ହୋଇଛି । ନିଆଳି ବିଜ୍ଞାପିତ ଅଞ୍ଚଳ ଘୋଷଣା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ସତରେ କ'ଣ ଏନଏସି ବା ବିଜ୍ଞାପିତ ଅଞ୍ଚଳ ଘୋଷଣା ପରେ ଲୋକଙ୍କ ବାସ୍ତବ ସମସ୍ୟାର ସମାଧାନ ହୋଇପାରିବ ? ଏ ନେଇ ସ୍ଥାନୀୟ ଲୋକେ ଆଶା ଓ ଆଶଙ୍କାରେ ରହିଛନ୍ତି । ଦୀର୍ଘ ଦିନ ହେବ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ ହୋଇଛି ।
କଟକ ଜିଲ୍ଲା ନିଆଳି ଅଞ୍ଚଳର ଇତିହାସ ଉପରେ ଥରେ ନଜର ପକାଇବା । ଏଠାରେ ନିଆଳି ବ୍ଲକ, ତହସିଲ କାର୍ଯ୍ୟାଳୟ, ସବରେଜିଷ୍ଟାର, ଅଗ୍ନଶମ ବିଭାଗ, କୃଷି ବିଭାଗ, ଥାନା, ଜେଏମଏଫସି ଅଦାଲତ, ବିଭିନ୍ନ ଜାତୀୟ କରଣ ବ୍ୟାଙ୍କ, ସୁଖ ବଜାର ଓ ବସଷ୍ଟାଣ୍ଡ ରହିଛି । ଏହା ସହିତ ବିଭିନ୍ନ ବେସରକାରୀ ପ୍ରତିଷ୍ଠାନ ଏବଂ ବ୍ୟବସାୟୀ କେନ୍ଦ୍ର ସମେତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ରହିଛି । ଏ ଅଞ୍ଚଳରେ ମୁଖ୍ୟତଃ ଧାନ, ପାନ, ମୁଗ, ବିରି, ପନିପରିବା ସହ ଦୁଗ୍ଧ ଜାତୀୟ ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି ।
ଏହା ବି ପଢନ୍ତୁ- ରାଜ୍ୟରେ ୩୪ ନୂଆ NAC ଏବଂ ୫ ନୂଆ ମ୍ୟୁନିସିପାଲିଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଏହି ଦୃଷ୍ଟି କୋଣରୁ ଦୀର୍ଘ ଦିନ ଧରି ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳମାନଙ୍କ ପକ୍ଷରୁ ନିଆଳିକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯିବା ପାଇଁ ଦାବି କରାଯାଉଥିଲା । ବିଳମ୍ବିରେ ହେଉ ପଛେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଜ୍ଞାପିତ ଅଞ୍ଚଳ ଘୋଷଣା କରିଛନ୍ତି । ନିଆଳି ଅଞ୍ଚଳ ଏକ ଚାଷୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ନିଆଳି ସୁଖ ବଜାର ଉପରେ ନିର୍ଭର କରିଥାନ୍ତି ହଜାର ହଜାର ଚାଷୀ । ଏଠାରେ ପ୍ରତ୍ୟେକ ଦିନ ଶହ ଶହ ଉଠା ଦୋକାନୀ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ହେଲେ ସେମାନଙ୍କ ପାଇଁ ଆଜି ଯାଏଁ କୈଣସି ସ୍ଥାୟୀ ଦୋକାନ ଗୃହ ନିର୍ମାଣ ହୋଇପାରିଲା ନାହିଁ ।