ରାଇରଙ୍ଗପୁର: ପାରମ୍ପରିକ ନାଚ-ଗୀତରେ ଝୁମୁଛନ୍ତି କୁଡୁମୀ ସମ୍ପ୍ରଦାୟ ଲୋକେ । ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ ମୟୂରଭଞ୍ଜ ଜିଲ୍ଲାରେ ବାର ମାସରେ ତେର ପର୍ବ । ସେଥିମଧ୍ୟରୁ ପବିତ୍ର ମକର ସଂକ୍ରାନ୍ତି ଅନ୍ୟତମ । ଆଉ ଏହି ମକର ପର୍ବ ଠାରୁ ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଡୁମୀ ସମ୍ପ୍ରଦାୟର 'ଟୁସୁ ମେଳା' ଅନୁଷ୍ଠିତ ହୋଇଥାଏ ।
ଟୁସୁ ମେଳାରେ କାହିଁକି କୁଆଁରୀ କନ୍ୟାଙ୍କୁ ବେଶ ଗୁରୁତ୍ବ ଦିଆଯାଏ:
ମୟୂରଭଞ୍ଜର ଗଣପର୍ବ ମକର ସଂକ୍ରାନ୍ତି । ଏହି ଅବସରରେ ବିଭିନ୍ନ ସ୍ଥାନରେ କୁଡୁମୀ ସମ୍ପ୍ରଦାୟର ପ୍ରସିଦ୍ଧ ଟୁସୁ ମେଳାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଜିଲ୍ଲା । ଆଦିମ ଜନଜାତି କୁଡୁମୀ ସମ୍ପ୍ରଦାୟର ଲୋକେ ବେଶ ଧୁମଧାମରେ ଏହି ପର୍ବ ପାଳନ କରୁଥିବାବେଳେ ବିଭିନ୍ନ ସ୍ଥାନରେ ବିଭିନ୍ନ କୁଡୁମୀ ସଂଗଠନ ଟୁସୁ ମେଳାର ଆୟୋଜନ କରିଥିବା ଦେଖିବାକୁ ମିଳିଛି । ଏହି ମେଳା ଗୁଡ଼ିକରେ ବିଭିନ୍ନ ଅଞ୍ଚଳରୁ ସୁନ୍ଦର ସୁସଜ୍ଜିତ ଟୁସୁ ମେଢ ଆସିଥାଏ । ନିଜ ନିଜ ଟୁସୁ ମେଢ ନିକଟରେ ପାରମ୍ପରିକ ନାଚ, ଗୀତରେ ଝୁମିଥାନ୍ତି କୁଡୁମୀ ସମ୍ପ୍ରଦାୟର ଲୋକେ । ଟୁସୁ ଦେବୀ ନିଜ ଆତ୍ମ ସମ୍ମାନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ ତେଣୁ ଏହି ପର୍ବରେ କୁଡୁମୀ ସମ୍ପ୍ରଦାୟର କୁଆଁରୀ କନ୍ୟାଙ୍କୁ ବେଶ ଗୁରୁତ୍ବ ଦିଆଯାଇଥାଏ ।
'ଟୁସୁ ମେଳା' କାହିଁକି ପାଳନ କରାଯାଏ ? :
କିମ୍ବଦନ୍ତୀ ଅନୁସାରେ ମକର ସଂକ୍ରାନ୍ତି ଦିନ ଏକ ମୁସଲମାନ ଶାସକର ଲୋଲୁପ ଦୃଷ୍ଟିରୁ ନିଜର ସତୀତ୍ବ ରକ୍ଷା କରିବାକୁ ଯାଇ ଟୁସୁ ନାମ୍ନୀ ଜଣେ ରାଜକୁମାରୀ ନଦୀକୁ ଡେଇଁ ପ୍ରାଣତ୍ୟାଗ କରିଥିଲେ । ଆତ୍ମ ସମ୍ମାନ ରକ୍ଷା ପାଇଁ ଏହି ବଳିଦାନର ସ୍ମୃତିରେ କୁଡୁମୀ ସମ୍ପ୍ରଦାୟର ଲୋକେ ଟୁସୁକୁ ଦେବୀ ରୂପେ ପୂଜା କରିବା ସହିତ କୁଆଁରୀମାନେ ନିଜର ସମ୍ମାନ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରତିପାଦିତ କରିଥାନ୍ତି । ସେହିପରି କିଛି କୁଡୁମୀଙ୍କ ମତରେ ଟୁସୁ ଦେବୀଙ୍କୁ ଶସ୍ୟ ଦେବୀ ଭାବେ ଗ୍ରହଣ କରିଥାନ୍ତି ଓ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା ଓ ବନ୍ଦାପନା କରିଥାନ୍ତି । ଟୁସୁ ମେଳାରେ ମାଦଳର ତାଳେ ତାଳେ ନାଚଗୀତ ଓ ମାଙ୍କଡ ନାଚ ଆଦି ନିଆରା ପରମ୍ପରା ଦେଖିବାକୁ ମିଳିଥାଏ ।
ମୟୂରଭଞ୍ଜର ସବୁଠାରୁ ବଡ଼ ପର୍ବ 'ଟୁସୁ ମେଳା':