ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । କୁଆଡେ ଗଲା ହତ୍ୟା ସମୟରେ ନବ ଦାସ ପିନ୍ଧିଥିବା ସାର୍ଟ, ତାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଅନ୍ୟପଟେ ଗୋପାଳ ଦାସ, ନବ ଦାସଙ୍କ ହତ୍ୟାକାରୀ ନୁହନ୍ତି ବୋଲି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଗୋପାଳ ଦାସଙ୍କ ଓକିଲ ।
ହତ୍ୟା ସମୟରେ ନବ ଦାସ ପିନ୍ଧିଥିବା ସାର୍ଟ କେଉଁଠି?
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ ଦାସଙ୍କ ହତ୍ୟା ଘଟଣାକୁ ୨ ବର୍ଷ ପୁରିବାକୁ ଯାଉଥିବା ବେଳେ ପୁଣି ଚର୍ଚ୍ଚା ଜୋର ଧରିଛି । ଗୋପାଳ ଦାସଙ୍କ ଗୁଳିରେ ନବ ଦାସଙ୍କ ମୃତ୍ୟୁ ହୋଇନାହିଁ, ଅନ୍ୟ କୌଣସି ବନ୍ଧୁକରେ ନବ ଦାସଙ୍କ ମୃତ୍ୟୁ ହୋଇଛି ବୋଲି ଏଭଳି ଏକ ଚାଞ୍ଚଲ୍ୟକର ବୟାନ ଦେଲେ ଗୋପାଳ ଦାସଙ୍କ ଓକିଲ ନରେଶ ନାଏକ । ଅନ୍ୟପଟେ ହତ୍ୟା ସମୟରେ ନବ ଦାସ ପିନ୍ଧିଥିବା ସାର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଓକିଲ ନରେଶ ନାଏକ । ହତ୍ୟା ସମୟରେ ଜବତ ସାମଗ୍ରୀ ମଧ୍ୟରେ ନବ ଦାସ ପିନ୍ଧିଥିବା ସାର୍ଟ କାହିଁକି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଗୋପାଳ ଦାସଙ୍କ ଓକିଲ ।
'ନବ ଦାସଙ୍କୁ ହତ୍ୟା କରି ନାହାନ୍ତି ଗୋପାଳ ଦାସ'
ଓକିଲ ନରେଶ ନାଏକ କହିଛନ୍ତି," କୋର୍ଟରେ ପୋଲିସ ଦାଖଲ କରିଥିବା ଜବତ ସାମଗ୍ରୀ ମଧ୍ୟରେ ନବ ଦାସଙ୍କ ରକ୍ତ ଭିଜା ସାର୍ଟ ନାହିଁ । ଷ୍ଟେଟ୍ ଫରେନ୍ସିକ ଲ୍ୟାବକୁ ତାଙ୍କ ସାର୍ଟ ପଠାଯାଇନାହିଁ । ରକ୍ତ ଭିଜା ସାର୍ଟ ମିଳିନଥିବା ଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି । ଗୁଳି ବିଦ୍ଧ ହେବା ଏ ସଂପର୍କରେ ତଦନ୍ତ ଅଧିକାରୀଙ୍କୁ କୋର୍ଟରେ ସାକ୍ଷୀ ଦେଲା ବେଳେ ପଚରାଯିବ । ଗୁଳିର ଯେଉଁ ସାଇଜ, ଗୁଳିବିଦ୍ଧ ହେବା ପରେ ଯେଉଁ ସାଇଜ, ସାର୍ଟରେ ଥିବା ଗୁଳିର ସାଇଜ୍, ତାକୁ ତୁଳନା କଲେ ଜଣାପଡିଥାନ୍ତା ଗୁଳି ପାଖରୁ ମରାଯାଇଛି ନା ଦୂରରୁ । ଭିଡ ଭିତରୁ ଆଉ କେହି ଗୁଳି ଚଳାଇ ପାରିଥାଏ ବୋଲି ସମ୍ଭାବନା ରହିଛି । ଯାହାକୁ ନେଇ କୁହାଯାଉଛି ଗୋପାଳ ଦାସ ନିର୍ଦ୍ଦୋଷ । ଆଉମଧ୍ୟ ରକ୍ତ ଭିଜା ସାର୍ଟ ସହ ନବଙ୍କ ଦେହରେ ପଶି ବାହାରି ଯାଇଥିବା ଗୁଳିଟି ମଧ୍ୟ ମିଳିନାହିଁ । ଗୁଳିମାଡ଼ରେ ନବ ଦାସ ମୃତ୍ୟୁ ହୋଇଥିବା ପୋଲିସ କହିଥିଲା । ହେଲେ ଆଜି ପର୍ଯ୍ୟନ୍ତ ଗୁଳିଟି ମିଳିପାରିନି । ଏବେ ମାମଲାର ଶୁଣାଣି ଚାଲିଛି । ୧୭୯ ଜଣ ସାକ୍ଷୀଙ୍କ ମଧ୍ୟରୁ ୨୯ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ଅନ୍ୟ ସାକ୍ଷୀମାନଙ୍କୁ ମଧ୍ୟ ଜେରା କରାଯିବ ।"
ନବ ଦାସ ହତ୍ୟା ମାମଲା
୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଝାରସୁଗୁଡାର ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ବାଟରେ କିଛି ବିଜେଡି ସମର୍ଥକ ତାଙ୍କୁ ଅଟକାଇଥିଲେ । କର୍ମୀଙ୍କ ଅଭିବାଦନ ପାଇଁ ଗାଡିରୁ ଓହ୍ଲାଉ ଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ ଅତି ନିକଟରୁ ତାଙ୍କୁ ଗୁଳି କରିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ହାଇଫ୍ରୋଫାଇଲ ହତ୍ୟା ମାମଲାରେ ପୋଲିସ ଗୋପାଳ ଦାସଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା ।
ବ୍ୟକ୍ତିଗତ ଆକ୍ରୋଶରୁ ହତ୍ୟା କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା । ନବ ଦାସଙ୍କ ହତ୍ୟାକୁ ଇତି ମଧ୍ୟରେ ଦୁଇ ବର୍ଷ ପୁରିବାକୁ ଯାଉଛି । ହେଲେ ହତ୍ୟାକୁ ନେଇ ଆଜି ପର୍ଯ୍ୟନ୍ତ ଲାଗି ରହିଛି ସନ୍ଦେହ । ଗୋପାଳ ଦାସକୁ ପୁଲିସ୍ ମୁଖ୍ୟ ଅଭିଯୁକ୍ତ କହୁଥିବା ବେଳେ ପରିବାର ଓ ନବଙ୍କ ସମର୍ଥକ କିନ୍ତୁ ଗ୍ରହଣ କରିପାରୁନାହାନ୍ତି । ଗୋପାଳ ଦାସ ଏକ ମାଧ୍ୟମ ବୋଲି ସନ୍ଦେହ କରୁଛନ୍ତି ନବଙ୍କ ସମର୍ଥକ ।
ଇଟିଭି ଭାରତ, ଝାରସୁଗୁଡ଼ା