ସମ୍ବଲପୁର: ଶୀତଳ ଷଷ୍ଠୀ ଅବସରରେ ସମ୍ବଲପୁରରେ ଅନୁଷ୍ଠିତ ହୋଇଯାଇଛି ଦେବ ଦମ୍ପତିଙ୍କ ବିବାହ ଉତ୍ସବ । ବିଳମ୍ବିତ ରାତିରେ ବିବାହ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଆଜି ସକାଳେ ଶେଷ ହୋଇଛି । ବର ପକ୍ଷ କନ୍ୟା ଘରକୁ ଯିବା ସମୟରେ ବରଯାତ୍ରୀରେ କିନ୍ନର ମାନେ ସାମିଲ ହେବାର ପରମ୍ପରା ରହିଛି । ଏମାନଙ୍କୁ ନା ଦିଆଯାଏ ନିମନ୍ତ୍ରଣ ନା ଏମାନେ ଆମନ୍ତ୍ରିତ ଅତିଥି l ତଥାପି ଶୀତଳ ଷଷ୍ଠୀ ଯାତ୍ରା ହେବା ପୂର୍ବରୁ ଏମାନେ ସମ୍ବଲପୁର ସହରକୁ ଆସି ଯାଆନ୍ତି । ସହରରେ ଏମାନଙ୍କ ଉପସ୍ଥିତ ଶୀତଳ ଷଷ୍ଠୀ ଯାତ୍ରା ଆଗମନର ଲୋକଙ୍କୁ ଆଭାସ ଦେଇଥାଏ l ସତେ ଯେମିତି ଏମାନେ ଶୀତଳ ଷଷ୍ଠୀ ଯାତ୍ରାର ଅଭିନ୍ନ ଅଂଶ ବିଶେଷ ଏମାନେ l ତେବେ କାହିଁକି କିନ୍ନର ମାନେ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହୁଅନ୍ତି ? କଣ ରହିଛି ଏହା ପଛର କାରଣ ?
SHITAL SHASTI (ETV BHARAT ODISHA) କାହିଁକି କିନ୍ନର ମାନେ ସାମିଲ ହୁଅନ୍ତି ଶୀତଳ ଷଷ୍ଠୀ ଯାତ୍ରାରେ ?:କିନ୍ନର, ଯିଏ ନର ନୁହେଁ କି ନାରୀ ନୁହେଁ । ଆମ ସମାଜରେ କିନ୍ନର ମାନଙ୍କୁ ଏବେ ବି ଭିନ୍ନ ଦୃଷ୍ଟିରେ ଦେଖାଯାଏ । ଏବେବି ସମାଜରେ ଏମାନଙ୍କ ପ୍ରତି ଲୋକଙ୍କ ଭିନ୍ନ ଦୃଷ୍ଟି କୋଣ ରହିଛି । ମୁଖ୍ୟତଃ ଏବେବି ଆମ ସମାଜର କିଛି ଲୋକ କିନ୍ନର ଜନ୍ମ କୁ ଅଭିଶପ୍ତ ଜନ୍ମ ବୋଲି ମଣନ୍ତି । ନିଜେ କିନ୍ନର ମାନେ ମଧ୍ୟ ଏହି କଥାକୁ ସ୍ୱୀକାର କରନ୍ତି । ତେଣୁ ଭଗବାନ ଶିବ ହେଉଛନ୍ତି ଅର୍ଦ୍ଧନାରୀଶ୍ୱର । ଆଉ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହରେ ନୃତ୍ୟ ପରିବେଷଣ କଲେ ମହାପୂଣ୍ୟ ମିଳିଥାଏ ଓ କିନ୍ନର ଜନ୍ମରୁ ମୁକ୍ତି ମିଳିଥାଏ ଏବଂ ପରବର୍ତ୍ତୀ ଜନ୍ମରେ ପୁରୁଷ ଅଥବା ନାରୀ ଜନ୍ମ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରା ରେ ସାମିଲ ହେବାକୁ ଶହ ଶହ ବର୍ଷ ହେଲା କିନ୍ନର ମାନେ ଆସନ୍ତି ବୋଲି କୁହାଯାଏ ।ଏଥର ମଧ୍ୟ ଶୀତଳ ଷଷ୍ଠୀ ରେ ସାମିଲ ହେବାକୁ କିନ୍ନର ମାନେ ଆସିଛନ୍ତି l ଏହି ଅବସର ରେ ପୁରୀ ରୁ ଆସିଥିବା କିନ୍ନର ଦେବକୀ କିନ୍ନର କୁହନ୍ତି, " ସମ୍ବଲପୁର ର ଶୀତଳ ଷଷ୍ଠୀ ଯାତ୍ରା ବହୁ ବର୍ଷ ରୁ ଧୁମ ଧାମ ରେ ହୋଇ ଆସୁଛି l ଏହି ଯାତ୍ରା କୁ ଆସିବାକୁ ଆମକୁ ବହୁତ ଖୁସି ଲାଗେ l ଆମକୁ ଡାକିଲେ ବି ଆସୁ ନ ଡାକିଲେ ବି ଆସୁ l କାରଣ ଏହି ଭଗବାନ ଙ୍କ ସହ ଅମର ଏକ ନିର୍ଦ୍ଧିଷ୍ଟ ସମ୍ପର୍କ ରହିଛି l ଏହି ଯାତ୍ରା ରେ ଶିବ ପାର୍ବତୀଙ୍କ ବିବାହାରେ ନାଚିଲେ କିନ୍ନର ଜନ୍ମରୁ ମୁକ୍ତି ମିଳେ ଓ ଆଗାମୀ ଜନ୍ମ ରେ ଆମେ ପୁଅ ଅଥବା ଝିଅ ଜନ୍ମ ପାଇବୁ l ଏହି ବିଶ୍ୱାସ ରେ ଆମେ ଏହି ଯାତ୍ରା କୁ ଆସିଥାଉ l ଏବେ କିନ୍ତୁ ଅମର ସମସ୍ୟା ବଢ଼ି ଯାଇଛି l ପ୍ରଶାସନ ଏତେ ଖର୍ଚ୍ଚ କରୁଛି କିନ୍ତୁ ଅମର ରହିବା ର କୌଣସି ବ୍ୟବସ୍ଥା କରାଯାଉନାହିଁ l ପ୍ରଶାସନ ସୁବିଧା କଲେ ଆହୁରି କିନ୍ନର ଆସନ୍ତେ l 10 ବର୍ଷ ପୂର୍ବେ ବହୁତ କିନ୍ନର ଆସୁଥିଲେ l ମୁ ନିଜେ 50 ଜଣ କିନ୍ନର ଙ୍କୁ ନେଇ ଆସୁଥିଲି l ତେବେ ବର୍ତ୍ତମାନ ସେହିଭଳି ସ୍ଥିତି ନାହିଁ l କିନ୍ନର ମାନେ ତ ବସ ଟ୍ରେନ ରେ ଭିକ ମାଗି ଚଳନ୍ତି l ଆଉ ଅନ୍ୟ କୌଣସି ରୋଜଗାର ନାହିଁ ତେଣୁ ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରା ରେ କିନ୍ନର ଙ୍କ ସଂଖ୍ୟା ହ୍ରାସ ପାଇଛି । ''
ଏହା ମଧ୍ୟ ପଢନ୍ତୁ-ଶିବ ବିବାହଠୁ କାହିଁକି କମିଥାଏ ରୌଦ୍ର ତାପ, ଜାଣନ୍ତି କି ? - Shital Sasthi 2024
କିନ୍ନରଙ୍କ ପାଇଁ ଫ୍ୟାସନ ସୋ: ଅନ୍ୟପଟେ କିନ୍ନର ମାନଙ୍କୁ ନେଇ ସମ୍ବଲପୁରର ବଡ଼ବଜାର ଶୀତଳେଶ୍ଵର ବାବା କମିଟି ପକ୍ଷରୁ 2014ମସିହାରୁ ଏକ ଫ୍ୟାସନ ସୋ ଆୟୋଜନ ହୋଇ ଆସୁଛି l ଏହି ଫ୍ୟାସନ ସୋ ରେ ରାଜ୍ୟ ତଥା ରାଜ୍ୟ ବାହାର ର କିନ୍ନର ସାମିଲ ହୋଇ ଆସୁଛନ୍ତି l ସାମାଜିକ ସ୍ତରରେ କିନ୍ନର ମାନଙ୍କ ପ୍ରତି ଥିବା ଭିନ୍ନ ଦୃଷ୍ଟି କୋଣ କୁ ବଦଳେଇବା, ସମାଜରେ ସେମାନଙ୍କୁ ସମ୍ମାନ ଦେବା ତଥା ଏଡ଼ସ ରୋଗ ଉପରେ ସଚେତନତା ପାଇଁ ଏହି ଫେସନ ସୋ କରାଯାଉଛି । କିନ୍ନର ମାନଙ୍କ ସାମାଜିକ ସ୍ତରର ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ଆୟୋଜକ କହିଛନ୍ତି l
ବଡ଼ବାଜାର ଶୀତଳ ଷଷ୍ଠୀ ଯାତ୍ରା କମିଟି ର ପ୍ରମୁଖ ସଦସ୍ୟ ବୁଦ୍ଧଦେବ ପ୍ରଧାନ କୁହନ୍ତି, "କିନ୍ନର ମାନଙ୍କୁ ପୂର୍ବରୁ ବହୁତ ଘୃଣା ଦୃଷ୍ଟିରେ ଦେଖା ଯାଉଥିଲା l ତାଙ୍କର ସାମାଜିକ ସମ୍ମାନ ବୋଲି କିଛି ନଥିଲା l ତାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟ ରେ ଏହି ନିଆରା ଫ୍ୟାସନ ସୋ ଆରମ୍ଭ କଲୁ l ତାପରେ ସାଧରଣ ଲୋକ ମଧ୍ୟ କିନ୍ନର ମାନଙ୍କୁ ସମ୍ମାନ ଦେବା ଆରମ୍ଭ କଲେ l ଯେତେବେଳେ ଏହାକୁ ଆରମ୍ଭ କଲୁ କିଛି ଲୋକ ଏହାକୁ ନିନ୍ଦା କରିଥିଲେ l କିନ୍ତୁ ସବୁଠାରୁ ବଡ଼ କଥା ହେଲା କାର୍ଯ୍ୟକ୍ରମ ପରେ ସାଧରଣ ଲୋକଙ୍କ ଚିନ୍ତାଧାରା ବଦଳି ଗଲା l କରୋନା ଯୋଗୁଁ କିଛି ବର୍ଷ ଏହି କାର୍ଯ୍ୟକ୍ରମ ବନ୍ଦ ଥିଲା ସେଥିପାଇଁ କିନ୍ନରଙ୍କ ସଂଖ୍ୟା କମ ହୋଇଛି l " ଅନ୍ୟପଟେ ପୁରୀରୁ ଆସିଥିବା ଆଉ ଜଣେ କିନ୍ନର ବ୍ଲାକ କୁଇନ ଜେନା କୁହନ୍ତି, "ଶୀତଳ ଯାତ୍ରା ତ କିନ୍ନର ମାନଙ୍କ ପାଇଁ ହୋଇଥାଏ l ସମ୍ବଲପୁରରେ ଏହି ଫ୍ୟାସନ ସୋ ରେ ଭାଗ ନେବା ପରେ ଲୋକଙ୍କ ପାଖକୁ ଏକ ମେସେଜ ପହଞ୍ଚେ ଯେ କିନ୍ନର ମାନେ ମଧ୍ୟ ସବୁ କିଛି କରି ପାରନ୍ତି ।''
ପୂର୍ବ ଅପେକ୍ଷା ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାରେ କିନ୍ନର ର ଆଗମନ ସଂଖ୍ୟା ହ୍ରାସ ପାଇଛି l ପୂର୍ବରୁ ଦିଲ୍ଲୀ, ମୁମ୍ବାଇ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ ଆଦି ସ୍ଥାନରୁ କିନ୍ନର ଆସୁଥିଲେ l ଏବେ କିନ୍ତୁ କେବଳ ଓଡିଶା ରୁ ହିଁ କିନ୍ନର ଆସୁଛନ୍ତି l ରାଜ୍ୟ ବାହାରୁ ବହୁତ କମ କିନ୍ନର ଆସୁଛନ୍ତି l ଏନେଇ ମୁଦିପଡା ଶୀତଳଷଷ୍ଠୀ ଯାତ୍ରା କମିଟି ର ପ୍ରମୁଖ ସଦସ୍ୟ ସୁଧୀର ମିଶ୍ର କୁହନ୍ତି, " ପୂର୍ବରୁ କେବଳ ସମ୍ବଲପୁର ରେ ବଡ଼ ଧରଣ ରେ ଶୀତଳଷଷ୍ଠୀ ହେଉଥିଲା l ଏବେ ରାଜ୍ୟ ର ବିଭିନ୍ନ ସ୍ଥାନରେ ଶୀତଳ ଷଷ୍ଠୀ ହେଉଛି l ଫଳରେ ସେହି ସ୍ଥାନ ଗୁଡିକୁ ମଧ୍ୟ କିନ୍ନର ମାନେ ଯାଉଛନ୍ତି l ଅନ୍ୟପଟେ ବିଗତ ବର୍ଷ ଗୁଡିକ ରେ କରୋନା କାଳ ରେ ଯାତ୍ରା ନିରାଡ଼ମ୍ବର ଭାବରେ ହେବାରୁ କିନ୍ନର ର ଙ୍କ ଆଗମନ କମ ହୋଇଛି l ଏହା ସହ ପ୍ରବଳ ଗ୍ରୀଷ ପ୍ରବାହ ଯୋଗୁଁ କିନ୍ନର ଙ୍କ ସଂଖ୍ୟା ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରା ରେ କମିଛି । ''
ଇଟିଭି ଭାରତ, ସମ୍ବଲପୁର