ଭୁବନେଶ୍ୱର/ପୁରୀ:ବିଜେଡିର ରାଜ୍ୟସଭା ପ୍ରାର୍ଥୀକୁ ନେଇ ଚର୍ଚ୍ଚା । ଅନେକ ଚର୍ଚ୍ଚା ହେଉଥିଲା ଅନେକ ଆଲୋଚନା ହେଉଥିଲା । ହେଲେ ନବୀନ ପୁଣିଥରେ ଚମକାଇ ଦେଲେ । ଚର୍ଚ୍ଚାରେ ନଥିବା ଚେହେରାଙ୍କୁ ରାଜ୍ୟସଭା ପାଇଁ ଘୋଷଣା କଲେ । ଦେବାଶିଷ ଓ ଶୁଭାଶିଷଙ୍କ ନାଁ ଘୋଷଣା ପରେ ଏବେ ଅନେକ ପ୍ରଶ୍ନ । ଦଳରେ ବହୁ ବରିଷ୍ଠ ନେତା ଥିବାବେଳେ ନବାଗତ ଶୁଭାଶିଷଙ୍କୁ କାହିଁକି ବାଛିଲେ ନବୀନ ? କେଉଁ ରାଜନୈତିକ ସମୀକରଣକୁ ସାଧିବା ପାଇଁ ଶୁଭାଶିଷଙ୍କ ଭଳି ଯୁବନେତାଙ୍କୁ ପଠାଉଛି ଦଳ ? ଶୁଭାଶିଷଙ୍କ ଜରିଆରେ ଦଳ ପୁରା ପୁରୀ ସଂସଦୀୟ କ୍ଷେତ୍ରକୁ ଫୋକସ କରିଛି କି ? ଗତ ନିର୍ବାଚନରେ ହାତରୁ ଖସି ଯାଇଥିବା ପୁରୀ ସଦର ଆସନ ଫେରାଇ ଆଣିବାକୁ ରଣନୀତି କରିଛି କି ବିଜେଡି ? ଦଳରେ ଏକାଧିକ ଦାବିଦାର ଥିଲେ ସୁଦ୍ଧା ଶୁଭାଶିଷ ବାଜି ମାରିନେବାର କାରଣ କ'ଣ ହୋଇପାରେ ? ସେହିପରି ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପଠାଇ ବିଜେଡି ମୁଖିଆ ଆହୁରି ଚମକାଇ ଦେଇଛନ୍ତି । ପ୍ରଶ୍ନ ଉଠୁଛି ଶୁଭାଶିଷଙ୍କୁ ଯେଉଁ ଲକ୍ଷ୍ୟ ନେଇ ବିଜେଡି ମୁଖିଆ ଉଚ୍ଚ ସଦନକୁ ପଠାଇଛନ୍ତି ତାହା ସଫଳ ହେବ ତ ?
ଅଧିକ ପଢନ୍ତୁ- ରାଜ୍ୟସଭା ନିର୍ବାଚନ: ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଦେବାଶିଷ ଏବଂ ଶୁଭାଶିଷ
ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ପରେ ରାଜନୀତି ମହଲରେ ସରଗରମ ଆଲୋଚନା ଚାଲିଛି । ଏନେଇ ବିଜେଡି ନେତା ଗୌରହରି ପ୍ରଧାନ କହିଛନ୍ତି, "ବିଜେଡି ଫୋକସରେ ସବୁବେଳେ ରହିଆସିଛି ପୁରୀ । ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ଏତେ ଅର୍ଥ ଖର୍ଚ୍ଚ ହେବା ଏକ ଉଦାହରଣ । ଶ୍ରୀସେତୁ, ଶ୍ରୀଦାଣ୍ଡ, ଅନ୍ତର୍ଜାତୀୟ ବିମାନ ବନ୍ଦର ଏସବୁ ହେଉଛି ବିକାଶର ଲକ୍ଷଣ । ବିଶ୍ୱ ଦରବାରରେ ଜଗନ୍ନାଥଙ୍କୁ ନେଇ ପୁରୀର ଭିନ୍ନ ପରିଚୟ ରହିଛି । ଶୁଭାଶିଷଙ୍କୁ ପ୍ରାର୍ଥୀ କରିବା ମହାପ୍ରଭୁଙ୍କ ଆଶୀର୍ବାଦ । ଆଗାମୀ ନିର୍ବାଚନରେ ଶଙ୍ଖ ବାଜିବ । ପୁରା ପୁରୀ ସଂସଦୀୟ କ୍ଷେତ୍ରରେ ବିଜେଡି ଭଲ ପ୍ରଦର୍ଶନ କରିବ ।"