ଓଡିଶା

odisha

ETV Bharat / state

ପରାଜୟର କାରଣ କହିଲେ ନବୀନ, ‘ଶହେ ବର୍ଷ ପର୍ଯ୍ୟନ୍ତ ସେବା କରିବ ବିଜେଡି’ - NAVEEN PATNAIK

ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ । 100 ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବେ କହିଲେ ନବୀନ । ବିଜେଡି କାହିଁକି ହାରିଲା କାରଣ କହିଲେ ।

NAVEEN PATNAIK
NAVEEN PATNAIK (ETV Bharat Odisha)

By ETV Bharat Odisha Team

Published : Dec 26, 2024, 2:30 PM IST

ଭୁବନେଶ୍ବର: ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ଶଙ୍ଖ ଭବନ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି । ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟର ସଫଳତାକୁ ନେଇ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶା ବାସୀଙ୍କ ସେବା କରି ଚାଲିବ ବୋଲି ନବୀନ କହିଛନ୍ତି । ଏଥିସହ କାହିଁକି ନିର୍ବାଚନରେ ଦଳ ହାରିଲା ତାହାର କାରଣ କହିଛନ୍ତି ବିଜେଡି ସୁପ୍ରିମୋ ।

କର୍ମୀଙ୍କ ପରିଶ୍ରମ ଓ ଓଡିଶାବାସୀଙ୍କ ଆଶୀର୍ବାଦରୁ ଦଳ ଜିତିଛି ପାଞ୍ଚ ନିର୍ବାଚନ:

ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, "୧୯୯୭ ଡିସେମ୍ବର ୨୬ ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ଧରି ବିଜୁ ପ୍ରେମୀ ମାନେ ଏକାଠି ହୋଇ ବିଜେଡି ଗଠନ କରିଥିଲେ । ସେତେବେଳେ ବହୁ ଲୋକ କହୁଥିଲେ ଏ ଦଳ ବଞ୍ଚିବ ନାହିଁ । କିଛି ଲୋକ କହୁଥିଲେ ଏ ଦଳ ଆଗକୁ ବଢି ପାରିବ ନାହିଁ । ଏ ଦଳ କେବେ ସଫଳ ହେବ ନାହିଁ । ଆଉ ମତେ ମଧ୍ୟ କହୁଥିଲେ ମୁଁ ରାଜନୀତି ଜାଣେ ନାହିଁ । କିନ୍ତୁ ଆପଣମାନଙ୍କ ପରିଶ୍ରମ ଓ ଓଡିଶା ବାସୀଙ୍କ ଆଶୀର୍ବାଦ ଯୋଗୁ ବିଜୁ ଜନତା ଦଳ ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତି ଓଡିଶାବାସୀଙ୍କୁ ସେବା ଯୋଗାଇବାର ସୁଯୋଗ ପାଇଛି । ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଆପଣମାନଙ୍କ ସେବା କରିବାର ସୌଭାଗ୍ୟ ପାଇଛି ।"

NAVEEN PATNAIK (ETV Bharat Odisha)

ବିଜେଡି ସରକାର ଓଡ଼ିଶାକୁ ଦେଇଛି ସଶକ୍ତ ଓ ସମୃଦ୍ଧ ରାଜ୍ୟର ପରିଚୟ:

ସେ ଆହୁରି ମଧ୍ୟ କହିଛନ୍ତି, "ଗତ ୨୪ ବର୍ଷ ଭିତରେ ବିଜେଡି ସରକାର ଓଡିଶାକୁ ଏକ ସଶକ୍ତ ଓ ସମୃଦ୍ଧ ରାଜ୍ୟର ପରିଚୟ ଦେଇପାରିଛି । ଅନ୍ୟ ରାଜ୍ୟର ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି । ଓଡିଶାରେ ଗରିବୀ କମିଛି । ମୁଣ୍ଡ ପିଛା ଆୟ ବଢିଛି । ବିପର୍ଯୟ ପରିଚାଳନାରେ ଆଦର୍ଶ ରାଜ୍ୟ ହୋଇପାରିଛି । ପୁଞ୍ଜି ବିନିଯୋଗ ବଢିଛି । ୨୦୦୦ ମସିହାରେ ଆର୍ଥିକ ଅଭାବୀ ରାଜ୍ୟ ଆଜି Budget Surplus State ହୋଇପାରିଛି । ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ । ସାରା ବିଶ୍ୱରେ ଓଡ଼ିଶା କ୍ରୀଡା ହବର ପରିଚୟ ପାଇଛି । ଓଡିଶାବାସୀଙ୍କ ଭଲ ପାଇବା ଓ କର୍ମୀ ଭାଇ ଭଉଣୀ ମାନଙ୍କ ପରିଶ୍ରମ ଯୋଗୁ ବିଜେଡି ଆଜି ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ପ୍ରତିଷ୍ଠା ପାଇଛି ।

ନକରାତ୍ମକ ପ୍ରଚାର, ମିଛ ପ୍ରତିଶ୍ରୁତିର ଜବାବ ଦେଇ ନପାରିବା ପରାଜୟର କାରଣ:

ନିର୍ବାଚନ ପରାଜୟ ସମ୍ପର୍କରେ ନବୀନ କହିଛନ୍ତି, "ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ । ମୁଁ ଆଜି ତାର ଉତ୍ତର ଦେବି । ମୁଁ କହିବି ଆମେ ହାରି ନାହୁଁ । ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ । ବିଜେପି ମିଛ କଥା କହି, ମିଛ ପ୍ରତିଶୃତି ଦେଇ, ଲୋକଙ୍କୁ ଭୂଆଁ ବୁଲାଇ ସରକାରକୁ ଆସିଛି । ଏତେ ମିଛ କହି ମଧ୍ୟ୍ୟ ବିଜେପି ଆମ ଠାରୁ କମ ଭୋଟ ପାଇଛି । ଆମର ଭୁଲ ହେଲା ଆମେ ସେମାନଙ୍କ ମିଛର ଠିକ ଭାବରେ ଜବାବ ଦେଇ କରିପାରିଲୁ ନାହିଁ । ସେମାନଙ୍କ ନକରାତ୍ମକ ପ୍ରଚାର ଓ ସାମାଜିକ ଗଣମାଧ୍ୟମରେ False narrativesର ଠିକ ଭାବରେ ଆମେ ଜବାବ ଦେଇ ପାରିଲୁ ନାହିଁ । ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି । କର୍ମୀ ଭାଇ ଭଉଣୀଙ୍କୁ ସାମାଜିକ ମିଡ଼ିଆରେ ସକ୍ରିୟ ରହି ବିଜେପିର False narrativeର ଉଚିତ ଜବାବ ଦେବା ଦରକାର ।

କାହିଁକି ହାରିଲା ବିଜେଡି ଏହି କାରଣ କହିଲେ ନବୀନ

  • ମିଛ କଥା କହିଁ ଭୂଆଁ ବୁଲାଇଲା ବିଜେପି
  • ବିଜେପିର ମିଛର ଜବାବ ଦେଇପାରିଲୁନି
  • ନକରାତ୍ମକ ପ୍ରଚାର ଜବାବ ଦେଇପାରିଲୁନି
  • ସୋସିଆଲ ମିଡିଆରେ ମିଛ ପ୍ରଚାର



ଅହେତୁକ ଦରବୃଦ୍ଧି ଓଡ଼ିଶାବାସୀଙ୍କୁ ବିଜେପି ସରକାରର ଶ୍ରେଷ୍ଠ ଉପହାର:

ବର୍ତ୍ତମାନ ଓଡିଶାରେ ଚାଲିଥିବା ସରକାରକୁ ନେଇ ନବୀନ କହିଛନ୍ତି, "ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡିଶାବାସୀଙ୍କ ପାଇଁ ସବୁଠାରୁ ବଡ ଉପହାର ହେଉଛି ଦରଦାମ ବୃଦ୍ଧି । ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ, ପନିପରିବା ସବୁ ଦର ଆଜି ଆକାଶ ଛୁଆଁ । ଦରବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି । ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ କାନ୍ଦୁଛି । ମିଶନ ଶକ୍ତି ମା' ମାନେ ଦୁଃଖରେ ଅଛନ୍ତି । ଲୋକଙ୍କ ଏତେ କଷ୍ଟ ପରେ ଏ ସରକାରର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିନାହିଁ ।’

ଏହା ମଧ୍ୟ ପଢନ୍ତୁ:

ECIଙ୍କୁ ଭେଟିବା ପରେ ୨୦୨୪ ନିର୍ବାଚନ ଭୋଟ୍ ଅସଙ୍ଗତି ଅଭିଯୋଗ ଦୋହରାଇଲା ବିଜେଡି

ନବୀନଙ୍କ ଜୀବନୀ ପୁସ୍ତକ: ରୁବେନଙ୍କୁ ଅରୁଣଙ୍କ ଟାର୍ଗେଟ୍, ବିଜେପି କହିଲା ସତକୁ ଗ୍ରହଣ କର

ନବୀନଙ୍କ ହାତ ଛାଡୁଛନ୍ତି ନେତା, BJDକୁ ବଳ ଦେବ କି ସାଙ୍ଗଠନିକ ନିର୍ବାଚନ ?

୭ BJD ରାଜ୍ୟସଭା ସାଂସଦଙ୍କ ଦମ୍ଭୋକ୍ତି 'ଆମେ ନବୀନଙ୍କ ସହ ଅଛୁ, ଛାଡିବୁନି ଦଳ’



"୧୯୯୭ରେ ଆମ ଦଳ ଗଠନ ବେଳେ ଯେମିତି କିଛି ଲୋକ କହୁଥିଲେ ଏ ଦଳର ଭବିଷ୍ୟତ ନାହିଁ । ଏବେ ବି କିଛି ନିନ୍ଦୁକ କହୁଛନ୍ତି ବିଜେଡିର ଭବିଷ୍ୟତ ନାହିଁ । ମୁଁ ଦୃଢତାର ସହ କହିବାକୁ ଚାହେଁ ଯେ ବିଜୁ ଜନତା ଦଳର ଉଜ୍ଜଳ ଭବିଷ୍ୟତ ରହିଛି । ଓଡିଶାବାସୀଙ୍କ ଭାବାବେଗ ସହ ବିଜେଡି ଯୋଡି ହୋଇ ରହିଛି । ଶଙ୍ଖ ଚିହ୍ନ ଯୋଡି ହୋଇ ରହିଛି । ଓଡିଶାର ପରିଚୟକୁ ଉଜ୍ଜଳ କରିଛି ବିଜେଡି । ଓଡିଶାର ହକ ପାଇଁ ଲଢୁଥିବା ଦଳ ହେଉଛି ବିଜେଡି । ଏକ ସଶକ୍ତ ଓ ସମୃଦ୍ଧ ଓଡିଶାର ଭିତ୍ତି ପକାଇଛି ବିଜେଡି । ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହି ଯାଇଛି ବିଜେଡି ଓ ଶଙ୍ଖ ଚିହ୍ନ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details