ବୌଦ୍ଧ:ବର୍ତ୍ତମାନ ଜିଲ୍ଲାରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିଛି । ମୌସୁମୀର ପ୍ରଭାବରେ ବର୍ଷା ଆସିଲେ ମହାନଦୀ କୂଳିଆ ଅଧିବାସୀଙ୍କ ଚିନ୍ତା ବଢିଯାଉଛି । ଏବେ କୂଳ ଲଙ୍ଘୁଛି ମହାନଦୀ, ତେଲନଦୀ ସମେତ ଜିଲ୍ଲାର ବିଭିନ୍ନ ନଦୀନାଳ । ଫଳରେ ବର୍ଷା ଋତୁ ଆସିଗଲେ ଆତଙ୍କିତ ହୋଇ ପଡନ୍ତି ନଦୀ କୂଳିଆ ଗ୍ରାମବାସୀ । ବର୍ଷା ଋତୁରେ ନଦୀରେ ବନ୍ୟାଜଳ ଆସି ନଦୀ କୂଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଉ ଥିବାରୁ ଚିନ୍ତାରେ ଗ୍ରାମବାସୀ । ସେପଟେ ନଦୀ ତଟ ସୁରକ୍ଷା ଦିଗରେ ଠୋସ ପଦକ୍ଷେପ ଗ୍ରହଣ ପାଇଁ ଦାବି କରାଯିବ ବୋଲି ନବ ନିର୍ବାଚିତ ବିଧାୟକ ସୂଚନା ଦେଇଛନ୍ତି ।
ପ୍ରତ୍ୟେକ ବର୍ଷ ମହାନଦୀ ଓ ତେଲନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ନଦୀ କୂଳ ଖାଇ ଖାଇଯାଉଛି । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ତେଲନଦୀ, ବାଘନଦୀ, ସାଲୁଙ୍କି ନଦୀ ଭଳି ଅନେକ ନଦୀ ନାଳ ବର୍ଷା ଋତୁରେ ବନ୍ୟାଜଳ ଯୋଗୁଁ କୂଳ ଖାଉ ଯାଉଛି । ଫଳରେ ଏଭଳି ନଦୀ କୂଳରେ ବସବାସ କରୁଥିବା ଅଧିବାସୀ ମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।
ଏପରିକି ଜିଲ୍ଲାର ମହାନଦୀ ଓ ତେଲନଦୀ କୂଳରେ ଅବସ୍ଥିତ ଅନେକ ପ୍ରାଚୀନ ଜନବସତି ନଦୀ ଗର୍ଭରେ ଲୀନ ହୋଇ ସାରିଛି । ବର୍ତ୍ତମାନ ମଧ୍ୟ ଜିଲ୍ଲାର ମନମୁଣ୍ଡା, ବାଉଁଶୁଣୀ, ତେନ୍ତୁଳି ପାଲି,କମ୍ପରା,ଜଗତୀ, ଗୋବିନ୍ଦପୁର, କରଡ଼ି, ଖଣ୍ଡିଧଳପୁର,ଝରାସାହି,ସାକୁସିଙ୍ଗା, ହରଭଙ୍ଗା, ତିରଡ, କୁମାରୀ,ପାଣିଘରା ଭଳି ଅନେକ ନଦୀ କୁଳିଆ ଗ୍ରାମ ମହାନଦୀ କୂଳ ଲଙ୍ଘୁ ଥିବା ଯୋଗୁଁ ବିପଦରେ ରହିଛି । ମହାନଦୀ କୂଳରେ ଅବସ୍ଥିତ ମନମୁଣ୍ଡା ଓ ବାଉଁଶୁଣୀ ଭଳି ପ୍ରାଚୀନ ଜନପଦ ଗୁଡ଼ିକ ବର୍ତ୍ତମାନ ନଦୀ କୁଳରେ ଥିବା ହେତୁ ତାହା ବିପଦ ସଙ୍କୁଳ ହୋଇ ପଡ଼ିଛି ।