କଟକ: ଜିଲ୍ଲାର ନୂତନ ଡିସିପି ଭାବରେ ଡ଼ଃ କନଓ୍ୱର ବିଶାଲ ସିଂ କାର୍ଯ୍ୟଭାର ସମ୍ଭାଳିଛନ୍ତି । କଟକ ଡିସିପି ଭାବରେ ସେ ଆଜି ତାଙ୍କ ଦାୟିତ୍ବ ଗ୍ରହଣ କରିଛନ୍ତି । କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ଡିସିପି ସମସ୍ତ ଥାନାଧିକାରୀ ଓ ସମସ୍ତ କର୍ମଚାରୀଙ୍କ ସହ ସାକ୍ଷାତ କରିଥିଲେ । ସହରରେ କ୍ରାଇମ ନିୟନ୍ତ୍ରଣ କରିବାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ଡ଼ିସିପି ବିଶାଲ ସିଂ ।
ନୂତନ ଡ଼ିସିପି ବିଶାଲ ସିଂ କହିଛନ୍ତି , ‘‘ କଟକ ସହର ହେଉଛି ଭାଇଚାରାର ସହର । ଏହି ଭାଇଚାରା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । କ୍ରାଇମ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ।’’ ସେ ସମସ୍ତ ଥାନାକୁ ଯାଇ ସ୍ଥିତି ସମୀକ୍ଷା କରିବେ । ସେହିପରି କଟକ ସହରର ସମସ୍ତ ପୂଜା କମିଟି,ଶାନ୍ତି କମିଟିର କର୍ମକର୍ତ୍ତାଙ୍କୁ ଭେଟିବେ । ତେବେ ଡିସିପି ବିଶାଲ ସହର ପାଇଁ ନୂଆ ହେବା ସଙ୍ଗେ ସଙ୍ଗେ ତାଙ୍କ ଟିମ ମଧ୍ୟ ନୂଆ। ପୁରୁଣା ଥାନାଧିକାରୀ ମାନଙ୍କର ବଦଳି ହୋଇଯାଇଥିବା ବେଳେ ସେ ଏବେ ନୂତନ ଟିମକୁ ନେଇ କାର୍ଯ୍ୟ କରିବେ । ସହରରେ ଶାନ୍ତି ବଜାଇ ରଖିବା ପାଇଁ ସେ ସହରବାସୀଙ୍କ ସାହାଯ୍ୟ ଲୋଡ଼ିଛନ୍ତି । ସେହିପରି ଆଗକୁ ନିର୍ବାଚନ ଆସୁଥିବାରୁ ତାଙ୍କ ପାଇଁ ଏହା ଚ୍ୟାଲେଞ୍ଜିଙ୍ଗ ହେବ ବୋଲି ସୋ କହିଛନ୍ତି । ତାହା ପାଇଁ ସେ ସ୍ୱତନ୍ତ୍ର ରଣନୀତି ଖୁବଶୀଘ୍ର ପ୍ରସ୍ତୁତ କରିବେ ବୋଲି କହିଛନ୍ତି । ଅପରାଧ ପାଇଁ ଜିରୋ ଟଲରାନ୍ସ ନୀତି ପାଳନ କରାଯିବ ବୋଲି ଅପରାଧୀ ମାନଙ୍କୁ ଚେତାବନୀ ଦେଇଛନ୍ତି ବିଶାଲ ।