ଦେବଗଡ:ଜିଲ୍ଲାର ରେଙ୍ଗାଲି ଜଳଭଣ୍ଡାର ତଟବର୍ତ୍ତୀ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି। ଏଥିସହ ଭୂମିହୀନ ପରିବାରଙ୍କୁ 4 ଡିସମିଲ ଲେଖାଏଁ ଘର ଡିହ ପଟ୍ଟା ପ୍ରଦାନ କରାଯିବା ଦାବିରେ ଆଜି ସାତଖଣ୍ଡ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି । ସରକାର ତଥା ସ୍ଥାନୀୟ ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନ ନେଲେ ଆଗାମୀ ନିର୍ବାଚନରେ ଅଞ୍ଚଳବାସୀ ସମୂହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିସହ ଏହି ଅଞ୍ଚଳକୁ କୌଣସି ରାଜନେତା କିମ୍ବା ନିର୍ବାଚନ ଅଧିକାରୀଙ୍କୁ ପ୍ରବେଶ ପାଇଁ ବାରଣ କରାଯିବାକୁ ଦେଲେ ଚେତାବନୀ ।
ତେବେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ରାଇତାବାହାଳ ପଞ୍ଚାୟତର ରେଙ୍ଗାଲି ଜଳଭଣ୍ଡାର ତଟବର୍ତ୍ତୀ ଅଞ୍ଚଳରେ ରହିଛି ଚାରିମଞ୍ଚା , ଗୋଠମଡା , କଦଳିପାଳ , ସୁନାମୁଣ୍ଡା , ହରିହରପୁର , ଗଣନାଥପୁର ଓ ଭରତପୁର ଆଦି ସାତଖଣ୍ଡ ଗ୍ରାମ । ଏହି ସାତଖଣ୍ଡ ଗ୍ରାମରେ ବସବାସ କରି ଆସୁଛନ୍ତି 400 ରୁ ଉର୍ଦ୍ଧ୍ବ ପରିବାର । 1984 ମସିହା ଠାରୁ ରେଙ୍ଗାଳି ନଦୀବନ୍ଧ ଯୋଜନା କାର୍ଯ୍ୟ ସମାପ୍ତ ହେବା ପରେ ଦୀର୍ଘ 40 ବର୍ଷ ହେଲା ଏହି ଅଞ୍ଚଳରେ ବସବାସ କରି ଆସୁଛନ୍ତି ଉକ୍ତ ଗ୍ରାମବାସୀ । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ ଏହି ସାତଖଣ୍ଡ ଗ୍ରାମକୁ ଏଯାଏଁ ମିଳିପାରିନି ରାଜସ୍ୱ ଗ୍ରାମର ମାନ୍ୟତା । ଫଳରେ ପଞ୍ଚାୟତକୁ ଆସୁଥିବା ବିଭିନ୍ନ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ । ଏପରିକି ଏହି ସମସ୍ତ ପରିବାରଙ୍କ ପାଖରେ ରେକର୍ଡ ଜାଗା ନାହିଁ । ରେକର୍ଡ ଜାଗା ନଥିବାରୁ ସରକାରଙ୍କ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରୁନାହାନ୍ତି ଲୋକେ । ଅଧିକାଂଶ ଗରିବ ଶ୍ରେଣୀ ଲୋକେ ଘର ଖଣ୍ଡିଏ ନ ପାଇ ବହୁ ଅସୁବିଧା ଭୋଗ କରୁଛନ୍ତି ।