ଗଜପତି:ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ ସଜଡ଼ା ହୋଇପାରୁନି ରାସ୍ତାଘାଟ । ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ପଦକ୍ଷେପ ନେଉଥିବା କଥା ବାରମ୍ବାର କହୁଥିବା ବେଲେ ସତ୍ୟତା କିଛି ଅଲଗା । ଗୁମ୍ମା ବ୍ଲକକୁ ନାହିଁ ପକ୍କା ରାସ୍ତା ! ଅନେକ ଥର ସରକାରଙ୍କୁ ନିଜ ଗାଁ ରାସ୍ତା ସମସ୍ୟା କଥା ଶୁଣାଇଛନ୍ତି ଗୁମ୍ମା ବ୍ଲକବାସୀ । ହେଲେ ଫଳପ୍ରଦ ହୋଇପାରି ନାହିଁ । ସେନେଇ ନିଜେ ଅଣ୍ଟା ଭିଡ଼ିଛନ୍ତି ଆବାଡା ଗ୍ରାମବାସୀ ମାନେ । ମାଟି ପକାଇ ଚଲପଥ ନିର୍ମାଣରେ ଲାଗି ପଡ଼ିଛନ୍ତି । ପକ୍କାରାସ୍ତା ନିର୍ମାଣ ନକରାଗଲେ ଆଗକୁ ଆସୁଥିବା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି ।
ଆଦିବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିବା ସହ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି ସରକାର । ହେଲେ କଣ ସତରେ ଆଦିବାସୀ ଅଞ୍ଚଳରେ ଉନ୍ନତି ହୋଇପାରିଛି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ୧୨ଟି ଗାଁର ଲୋକ ଯେଉଁ ରାସ୍ତା ଉପରେ ନିର୍ଭର କରୁଛନ୍ତି ବର୍ଷା ହେବା ମାତ୍ରେ ତାହା ଧୋଇ ହୋଇଯାଉଛି । ରାସ୍ତା ଖରାପ କାରଣରୁ ଅନେକ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ । କେବଳ ସେତିକି ନୁହେଁ । ପାହାଡ଼ିଆ ଅଞ୍ଚଳରେ ରାସ୍ତା ଖରାପ କାରଣରୁ ଗମନାଗମନରେ ଅନେକ ବାଧା ଦେଖାଯାଉଛି । ଏ ବିଷୟରେ ଅନେକ ଥର ସରକାରଙ୍କୁ ଜଣାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇପାରୁ ନାହିଁ । ଶେଷରେ ନିଜେ ଅଣ୍ଟା ଭିଡ଼ି ଗାଁ ରାସ୍ତାକୁ ସଜାଡ଼ୁଛନ୍ତି ଆବାଡା ଗ୍ରାମବାସୀ ।