ମାଲକାନଗିରି:୪ ଦଫା ଦାବି ନେଇ ୧୪ ଦିନରେ ପହଞ୍ଚିଛି ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ । ଫଳରେ ରାଜ୍ୟରେ ପ୍ରାଣୀ ସେବା ବ୍ୟବସ୍ଥା ଏକ ପ୍ରକାରେ ଠପ୍ ହୋଇଯାଇଛି । ଏନେଇ ମାଲକାନଗିରି ସହର ସମେତ ଜିଲ୍ଲା ଗ୍ରାମାଞ୍ଚଳର ବହୁ ପ୍ରାଣୀ ଚିକିତ୍ସା ଅଭାବରୁ ଛଟପଟ ହୋଇ ମୃତ୍ୟୁବରଣ କରୁଛନ୍ତି । ଏହାକୁ ନେଇ ସହରର ସାମାଜସେବୀମାନେ ଆସି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଭେଟି ଏହାର ସମାଧାନ ପାଇଁ ଅନୁରୋଧ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଗତକାଲି ମଧ୍ୟ ଚିକିତ୍ସା ଅଭାବରୁ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିବା ବେଳେ ଏକ ଛେଳି ଗତ 3 ଦିନ ଧରି ଛଟପଟ ହେଉଥିବା ଦେଖାଯାଇଛି । ତେବେ ଛେଳିର ଚିକିତ୍ସା କରାଯାଉ ନ ଥିବାରୁ ମାଲିକ ଅସନ୍ତୋଷ ପ୍ରକାଶ କରିବା ସହ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଭେଟି ଏହାର ସମାଧାନର ବାଟ ବାହାର କରିବାକୁ ଦାବି କରିଛନ୍ତି । ଏଥିସହ ନୂତନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ଏନେଇ ଜିଲ୍ଲାପାଳ ତିନିଦିନ ମଧ୍ୟରେ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ତେବେ ଯଦି ଆଗାମୀ ତିନି ଦିନ ମଧ୍ୟରେ ଏହାର ସମାଧାନ ନ ହୁଏ ଜିଲ୍ଲା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ପ୍ରାଣୀଙ୍କ ମୃତ୍ୟୁକୁ ଆନ୍ଦୋଳନରତ ପ୍ରାଣୀ ଚିକିତ୍ସକ ଦୁଃଖ ପ୍ରକାଶ କରିବା ସହ ସରକାର ଦାବି ପ୍ରତି ଦୃଷ୍ଟି ଦେଲେ, କାର୍ଯ୍ୟରେ ଯୋଗ ଦେବୁ ବୋଲି କହିଛନ୍ତି ।