ଭବାନୀପାଟଣା: ନିର୍ବାଚନ ଯେତିକି ପାଖେଇ ଆସୁଛି କଳାହାଣ୍ଡି ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଆଶାୟୀ ଥିବା ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ଏବେ ଦଳ ଡିଆଁ ପର୍ବରେ ସାମିଲ ହେଉଛନ୍ତି । ପ୍ରତିଦିନ ଏକାଧିକ ନେତା ବିଭିନ୍ନ ଦଳକୁ ଝଟ୍କା ଦେଇ ଅନ୍ୟ ଦଳରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ଆଜି ଏହିକ୍ରମରେ କଳାହାଣ୍ଡି ବିଜେଡିକୁ ଝଟକା ମିଳିଛି । ଦଳ ଛାଡିଛନ୍ତି ଜିଲ୍ଲାର ବରିଷ୍ଠ ନେତା ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ ଓ ତାଙ୍କ ସମର୍ଥକ ।
ସୂଚନା ଅନୁଯାୟୀ ଚିତ୍ତରଞ୍ଜନ ମଣ୍ଡଳ ଓରଫ ବାବୁଲି ମଣ୍ଡଳ ଦୀର୍ଘ ୩୭ ବର୍ଷ ଧରି ଜିଲ୍ଲା ରାଜନୀତିରେ ବେଶ ସକ୍ରିୟ ରହିଥିଲେ । ୨୦୧୯ ନିର୍ବାଚନରେ କଂଗ୍ରେସରୁ ନର୍ଲା ନିର୍ବାଚନ ମଣ୍ଡଳୀରେ ସେ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରେ ଯୋଗଦେଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ରହି ଆସୁଥିଲେ । ଚଳିତ ନିର୍ବାଚନ ପାଇଁ ସେ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ଟିକେଟ ଆଶାୟୀ ଥିଲେ । ହେଲେ ଦଳ ତାଙ୍କୁ ଟିକେଟ ନଦେଇ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଚିତ୍ତରଞ୍ଜନ ମଣ୍ଡଳ ଓ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।