ଭୁବନେଶ୍ୱର:ନୂଆବର୍ଷର ସ୍ୱାଗତ ପାଇଁ ସମସ୍ତଙ୍କ ଭିତରେ ରହିଥାଏ ଏକ ଖାସ ଉତ୍ସାହ ଓ ଆନନ୍ଦ । ଭିନ୍ନ ଭିନ୍ନ ତରିକାରେ ବର୍ଷର ପ୍ରଥମ ଦିନକୁ ସ୍ବାଗତ କରିଥାନ୍ତି ସଭିଏଁ । କିଏ ପରିବାର ସହିତ ତ କିଏ ସାଙ୍ଗସାଥିରେ ମେଳରେ ଏହି ଦିନଟିକୁ କାଟିବାକୁ ପସନ୍ଦ କରିଥାଏ । ହେଲେ ଏକ ନିଆରା ଢଙ୍ଗରେ ନୂଆବର୍ଷ ପାଳନ କରନ୍ତି ରାମ ଚୌଧୁରୀ । ବର୍ଷର ପ୍ରଥମ ଦିନ ଗ୍ରାହକଙ୍କୁ ମାଗଣାରେ ଗୁପଚୁପ ଖୁଆଇ କେବଳ ଆଶୀର୍ବାଦ ଲୋଡିଥାନ୍ତି ।
ନୂଆବର୍ଷରେ ମାଗଣାରେ ଖୁଆନ୍ତି ଗୁପଚୁପ
ରାଜଧାନୀ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ଛୋଟ ଗୁପଚୁପ ଠେଲା ପକାଇଛନ୍ତି ରାମ ଚୌଧୁରୀ । ସଫାରି ଗୁପଚୁପ ବାଲା ଭାବେ ସେ ବେଶ ପରିଚିତ । ବର୍ଷ ବର୍ଷ ହେଲା ସେଠାରେ ହିଁ ଗୁପଚୁପ ବ୍ୟବସାୟ କରିଥାନ୍ତି । ହେଲେ ବର୍ଷର ପ୍ରଥମ ଦିନରେ ଗୁପଚୁପ ଖୁଆଇ ପଇସା ନିଅନ୍ତିନି ବରଂ କୁହନ୍ତି ବର୍ଷସାରା ଭଲରେ ବ୍ୟବସାୟ ଚାଲିବାକୁ କେବଳ ଆଶୀର୍ବାଦ ଲୋଡା । ମାଗଣା ଗୁପଚୁପ ଖାଇବାକୁ ଗ୍ରାହକମାନଙ୍କର ବି ଭିଡ ଜମେ । ସେହିଦିନ ପାଖାପାଖି ୭ରୁ ୮ହଜାର ଟଙ୍କାର ଗୁପଚୁପ ମାଗଣାରେ ଖୁଆଇଥାନ୍ତି ରାମ ଭାଇ ।
୨୭ ବର୍ଷ ହେଲା ମାଗଣାରେ ଗୁପଚୁପ ଖୁଆଉଛନ୍ତି ରାମ ଭାଇ
ଚଳିତ ବର୍ଷକୁ ମିଶାଇ ୨୭ ବର୍ଷ ହେଲା ନୂଆବର୍ଷରେ ଏହିଭଳି ମାଗଣାରେ ଗୁପଚୁପ ଖୁଆଇ ଆସୁଛନ୍ତି ରାମ ଚୌଧୁରୀ । ବ୍ୟବସାୟୀ ବନ୍ଧୁମାନଙ୍କୁ କଥାରେ କଥା ଦେଇଥିବା ପ୍ରତିଶ୍ରୁତିକୁ ଆଜିଯାଏ ପାଳୁଛନ୍ତି ରାମ ଭାଇ । ଗୋଟିଏ ଦିନ ମାଗଣାରେ ଖୁଆଇ ବେଶ ଖୁସି ବି ହୁଅନ୍ତି ସେ । କେବଳ ସେ ନୁହଁନ୍ତି ବରଂ ତାଙ୍କ ପତ୍ନୀ ବିମଳା ଦେବୀ ଚୌଧୁରୀ ମଧ୍ୟ ଏହି କାର୍ଯ୍ୟରେ ବେଶ ଖୁସି ହୋଇଥାନ୍ତି ଓ ଗୁପଚୁପ ପ୍ରସ୍ତୁତିରେ ତାଙ୍କୁ ସାହାଯ୍ୟ ସହଯୋଗ କରିଥାନ୍ତି ।
କଣ କୁହନ୍ତି ରାମ ଚୌଧୁରୀ
ଏନେଇ ରାମ ଚୌଧୁରୀ କୁହନ୍ତି, "ମୋର ରୋଜଗାର ପାଇଁ ସବୁବେଳେ ଗୁପଚୁପ ବିକ୍ରି କରୁଛି । ଗୋଟିଏ ଦିନ କେବଳ ଅନ୍ୟମାନଙ୍କ ଖୁସି ପାଇଁ ମାଗଣାରେ ବିକ୍ରି କରେ । ଟଙ୍କା ନୁହେଁ ଆଶୀର୍ବାଦ ପାଇଁ ସବୁ ବର୍ଷ ଦୀର୍ଘ 26ବର୍ଷ ହେବ ଏଭଳି ମାଗଣାରେ ଗୁପଚୁପ ବଣ୍ଟନ କରିଥାଏ ।"
କାହିଁକି ମାଗଣାରେ ଗୁପଚୁପ ଦିଅନ୍ତୁ ରାମ ଚୌଧୁରୀ
କାହିଁକି ମାଗଣାରେ ଗୁପଚୁପ ଦିଅନ୍ତି ପ୍ରଶ୍ନର ଉତ୍ତରରେ ରାମ ଚୌଧୁରୀ କହିଥିଲେ,"୨୬ ବର୍ଷ ତଳେ ମୋ ସହ ଯେଉଁମାନେ ଏଠାରେ ଅନ୍ୟ ଖାଦ୍ୟ ବ୍ୟବସାୟ କରୁଥିଲେ, ଗୋଟିଏ ଦିନ ବିଳମ୍ବରେ ଆସିବାରୁ ସେମାନେ ଥଟ୍ଟାରେ ମାଗଣାରେ ଦେବା ପାଇଁ କହିଥିଲେ । ସେହିଦିନ ସତରେ ମାଗଣାରେ ଗୁପଚୁପ ଦେଇଥିଲି । ମାଗଣାରେ ଗୁପଚୁପ ଖୁଆଇ ଏକପ୍ରକାର ଆନନ୍ଦ ଲାଗିଥିଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ନୂଆବର୍ଷରେ ମାଗଣାରେ ଗୁପଚୁପ ଦେଇଆସୁଛି ।