ବୌଦ୍ଧ: ଅଦିନିଆ ବର୍ଷା ସାଙ୍ଗକୁ ଧାନ ମଣ୍ଡିରେ ଅବ୍ୟବସ୍ଥା କରୁଛି ଚାଷୀଙ୍କୁ ହନ୍ତସନ୍ତ । ଧାନ ମଣ୍ଡିରେ ଅବ୍ୟବସ୍ଥା କାରଣରୁ ବର୍ଷାରେ ଭିଜୁଛି ଧାନ । ଅନେକ ଧାନ ମଣ୍ଡିରେ ଧାନ ରଖିବା ସୁବିଧା ନଥିବାରୁ ଚାଷୀ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଜଳସେଚନ ବ୍ୟବସ୍ଥାକୁ ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି ।
ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ଦୁଃଖ ଆଣି ଦେଇଛି । ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ବର୍ଷା ଯୋଗୁଁ ଧାନ ଭିଜି ଯାଇଥିବା ବେଳେ ଏନେଇ ଚାଷୀ ମାନେ ବିଭାଗୀୟ ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି । ଗୋଟିଏ ପଟରେ ଗତକାଲି ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ ହୋଇଥିବା ବେଳେ ଅନ୍ୟ ପଟରେ ଜିଲ୍ଲାରେ ଜଳସେଚନ ପ୍ରକଳ୍ପକୁ ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି । ଅବ୍ୟବସ୍ଥା ଘେରରେ ରହିଥିବା ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଅଦିନିଆ ବର୍ଷା ଚାଷୀଙ୍କ ଦୁଃଖ ବେଶ ବଢାଇ ଦେଇଛି । ଗତ ମଙ୍ଗଳବାର ଠାରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଏହା ଦ୍ବାରା ଚାଷୀ କୂଳ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ସମୁଦାୟ ଷାଠିଏ ଗୋଟି ଧାନକ୍ରୟ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଚାଷୀ ବାରମ୍ବାର ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି ।