ନବରଙ୍ଗପୁର:ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ପ୍ରଥମ ଦିବସରେ ନବରଙ୍ଗପୁର ଜିଲ୍ଲାକୁ ଆସିବା ରାସ୍ତାରେ ସେ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଗ୍ରାମଠାରେ ଏକ ଖଲି ପ୍ରକ୍ରିୟା କରଣ କେନ୍ଦ୍ର ପରିଦର୍ଶନ କରି ସ୍ୱୟଂ ସହାୟିକା ଦଳ ସହ ଆଲୋଚନା କରିଥିଲେ । ଏହାସହ ଧାନ କ୍ଷେତରେ ଧାନ କାଟୁଥିବା ମହିଳାମାନଙ୍କ ସହ କୃଷି ସମସ୍ୟାକୁ ନେଇ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।
ବିଭିନ୍ନ ଯୋଜନାର ସମୀକ୍ଷା:
ଏହାପରେ ନବରଙ୍ଗପୁର ସ୍ଥିତ ସର୍କିଟ ହାଉସରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର l ସେଠାରେ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ପ୍ରଥମ ଦିନରେ ସେ ଡିଆରଡିଏ ସମ୍ମିଳନୀ କକ୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହିତ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ସହିତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ବାବଦରେ ଆଲୋଚନା କରିଥିଲେ । ଜିଲ୍ଲାରେ ବେଟି ବଚାଓ ବେଟି ପଢ଼ାଓ, ବାଲ୍ୟ ବିବାହ, ଡ୍ରପ ଆଉଟ ରୋକିବା ପାଇଁ ପଦକ୍ଷେପ, ଜନଧନ ଯୋଜନାରେ କେତେ ହିତାଧିକାରୀ ଯୋଡି ହୋଇଛନ୍ତି ସେନେଇ ପଚାରି ବୁଝିଥିଲେ । ସେହିଭଳି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କୃଷକ କିଭଳି ଯୋଡି ହୋଇପାରିବେ ଓ ହିତାଧିକାରୀ କିଭଳି ଲାଭ ପାଇବେ ସେନେଇ ପଦକ୍ଷେପ ନେବା ପାଇଁ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।