ଭୁବନେଶ୍ବର:ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭେଟେରାନ ଅଭିନେତାଉତ୍ତମ ମହାନ୍ତିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ହସ୍ପିଟାଲରେ ପହଞ୍ଚି ଉତ୍ତମଙ୍କ ପୁଅ ତଥା ଅଭିନେତା ବାବୁସାନ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରି ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି । ଚିକିତ୍ସା ପାଇଁ ଯାହା ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଅଛନ୍ତି । ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
- ଲିଭର ସିରୋସିସ ରୋଗରେ ପୀଡିତ ଉତ୍ତମ:
ସୂଚନା ଅନୁସାରେ, ଅଭିନେତା ଉତ୍ତମ ମହାନ୍ତି ଏକ ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିଲେ । ସେଠାରେ ହିଁ ତାଙ୍କର ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଥିଲା । ତାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ‘କିମ୍ସ’ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଗତ 8 ତାରିଖରେ ତାଙ୍କୁ ଗୁରୁଗ୍ରାମକୁ ଏୟାରଲିଫ୍ଟ କରାଯାଇଥିଲା । କିମ୍ସ ହସ୍ପିଟାଲରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ୍-କରିଡ଼ରରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ନିଆଯାଇଥିଲା । ସେଠାରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଥିଲା । ଏବେ ସେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।