କେନ୍ଦ୍ରାପଡା:ଘରେ ଲାଗିଲା ନିଆଁ । ଜଳିଗଲେ ଦୁଇ କୁନି କୁନି ଭାଇ-ଭଉଣୀ । ଆଜି ସ୍ୱାଧୀନତା ଦିବସ ପାଇଁ ଗାଁଠାରୁ ସହର ଉତ୍ସବମୁଖର ଥିବାବେଳେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କୁରୁଣ୍ଟି ପଞ୍ଚାୟତର ବଳରାମପୁର ଗାଁରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି । ନିଆଁରେ ପୋଡି ହୋଇ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି । ଭଉଣୀର ବୟସ 11 ବର୍ଷ ହୋଇଥିବାବେଳେ ଭାଇର ବୟସ 9 ବର୍ଷ ହୋଇଥିବା ଜଣାପଡିଛି । ଦୁହିଁଙ୍କ ନାମ ଅନୁପମା ସାହାଣୀ ଓ ଋଷି ସାହାଣୀ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ନିଆଁ ଲାଗି ଫାଟିଲା ସିଲିଣ୍ଡର:
ଯାହା ସୂଚନା ମିଳିଛି, ଆଜି (ଗୁରୁବାର) ସକାଳ ସମୟରେ ଏହି ଅଘଟଣ ଘଟିଥିଲା । ବଳରାମପୁର ଗାଁର ସୁକାନ୍ତ ସାହାଣୀଙ୍କ ଦୁଇ ବଖରା ଚାଳ ଘରେ କୌଣସି କାରଣରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିମିଷକରେ ହୁତୁ ହୁତୁ ହୋଇ ଜଳି ଯାଇଥିଲା ପୁରା ଘର । ନିଆଁ ଲାଗିବା ଯୋଗୁଁ ଘରେ ଥିଲା ଗ୍ୟାସ୍ ସିଲିଣ୍ଡର ମଧ୍ୟ ଫାଟି ଯାଇଥିଲା । ଦୁର୍ଭାଗ୍ୟବଶତଃ ଏହି ସମୟରେ ଘର ଭିତରେ ଦୁଇ ଶିଶୁ ରହିଥିଲେ । ଫଳରେ ଦୁହେଁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୁକାନ୍ତ ସାହାଣୀ ଗରୀବ ଶ୍ରେଣୀର ହୋଇଥିବାବେଳେ ବାହାର ରାଜ୍ୟରେ ଦାଦନ ଖଟୁଥିବା ଜଣାପଡିଛି । ଏହି ଅଘଟଣ ବେଳେ ଦୁଇ ଭାଇ-ଭଉଣୀ ଅନୁପମା ଓ ଋଷି ଆଜି ସ୍ବାଧୀନତା ଦିବସରେ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ । ନିଆଁ ଲାଗିବା ପରେ ଦୁହେଁ ଆଉ ଘରୁ ବାହାରି ପାରିନଥିଲେ ।