ସମ୍ବଲପୁର: ମାତ୍ର 101 ଟଙ୍କାରେ କୁମ୍ଭମେଳା ଯିବି । ତିନି ଟାଇମ୍ ମାଗଣାରେ ଟିଫିନ ଖାଇବି । ଆଉ ମହାକୁମ୍ଭ ମେଳାରେ ବୁଡ ପକାଇ ସବୁ ପାପ ଧୋଇଆସିବି । ମହାକୁମ୍ଭ ମେଳାରେ ବୁଡ ପକାଇବାକୁ ସତେଯେମିତି ଚାତକ ପରି ଚାହିଁ ବସିଛନ୍ତି ହରିଶ୍ଚନ୍ଦ୍ର ସାହୁ । ବୟୟ ପାଖାପାଖି 65 ବର୍ଷ ହେବ । ଆଖିରେ ଅନେକ ଆଶା ଉଙ୍କି ମାରୁଛି । ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟଙ୍କ ସମ୍ମୁଖରେ ରହିଛି ହରିଶ୍ଚନ୍ଦ୍ର ସାହୁଙ୍କ ଛୋଟିଆ ଚା’ ଜଳଖିଆ ଦୋକାନ ଟିଏ । ଏଥିରେ ଦିନ ତମାମ ଜଳଖିଆ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ସେ ଜଣେ ଆଧ୍ୟାତ୍ମିକ ଓ ଭଗବାନ ବିଶ୍ୱାସୀ ଲୋକ । ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ବୁଡ ପକାଇବାକୁ ପ୍ରବଳ ଇଚ୍ଛା ଥିଲା । କିନ୍ତୁ ସେଠାକୁ ଯିବାକୁ ହେଲେ ଅତି କମରେ 1000 ଟଙ୍କା ଆବଶ୍ୟକ । ଏତେ ଟଙ୍କା ଆସିବ କେଉଁଠୁ ?
କିନ୍ତୁ ଏବେ ସେ ବହୁତ ଖୁସି । ପ୍ରଥମ ଥର ତାଙ୍କୁ କୁମ୍ଭମେଳାକୁ ଯିବା ପାଇଁ ସୁଯୋଗଟେ ମିଳିଛି । ତାହାବି ମାତ୍ର 101 ଟଙ୍କାରେ । ଏକଥା ନିଶ୍ଚିତ ହେବା ପରେ ହରିଶ୍ଚନ୍ଦ୍ର ବାବୁ ବହୁତ ଖୁସି । ସେ କେବେ ଭାବି ନଥିଲେ ମାତ୍ର 101 ଟଙ୍କାରେ ସେ ରାଜ୍ୟ ବାହାରକୁ ଯାଇପାରିବେ । ଆଉ ତାଙ୍କ ଖୁସିର କାରଣ ହେଉଛି ସାଥି ଚେରିଟେବୁଲ ଟ୍ରଷ୍ଟର ଏକ ଭିନ୍ନ ପଦକ୍ଷେପ ।
- 101 ଟଙ୍କାରେ ମହାକୁମ୍ଭ ମେଳା ବୁଲା
ମାତ୍ର 101 ଟଙ୍କାରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ମହାକୁମ୍ଭ ସ୍ନାନ । ସମ୍ବଲପୁର ସହର, ହୀରାକୁଦ ଓ ବୁର୍ଲା ର 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କ ପାଇଁ ଏହି ଅବସର ଆଣି ଦେଇଛି ସମ୍ବଲପୁର ସାଥି ଚେରିଟେବୁଲ ଟ୍ରଷ୍ଟ । ଏହି ବରିଷ୍ଠ ଲୋକମାନେ ନିଜର କିଛି କାଗଜ ପତ୍ର ସହ ସାଥି ଚେରଟେବୁଲ ଟ୍ରଷ୍ଟରେ ପଞ୍ଜିକରଣ କରିବାକୁ ହେବ । ସେଠାରେ ଥିବା ସ୍କ୍ରିନିଂ କମିଟି ସେମାନଙ୍କ ମଧ୍ୟରୁ 100 ଜଣଙ୍କୁ ଚୟନ କରିବ । ସେହି ଚୟନ ହୋଇଥିବା ବ୍ୟକ୍ତି ମାନେ ମାତ୍ର 101 ଟଙ୍କା ଦେଇ ସମ୍ବଲପୁରରୁ ପ୍ରୟାଗରାଜ ଯାଇ ମହାକୁମ୍ଭରେ ମହାସ୍ନାନ କରି ପାରିବେ । ଏମାନଙ୍କ ପାଇଁ ସମ୍ବଲପୁରରୁ 2ଟି ସ୍ୱତନ୍ତ୍ର ବସ ବାହାରିବ । ଏହି ବସରେ ତୀର୍ଥଯାତ୍ରୀଙ୍କ ପାଇଁ ଗାଇଡ଼ ସହ ଜଣେ ଡାକ୍ତର ମଧ୍ୟ ରହିବେ । ଏହା ସହ ସମସ୍ତ ଯାତ୍ରୀଙ୍କ ଖାଇବା, ପିଇବା, ରହିବାର ବ୍ୟବସ୍ଥା ସବୁ 101 ଟଙ୍କା ରେ ହୋଇଯିବ । ଏପରିକି ଏହି ସବୁ ସୁବିଧା ପାଇଁ ଟ୍ରଷ୍ଟ ପୂର୍ବରୁ ସବୁ ବ୍ୟବସ୍ଥା କରି ସାରିଛି । ସବୁ ଯାତ୍ରୀଙ୍କ ଟ୍ରାଭେଲ ଇନସ୍ୟୁରାନ୍ସ ମଧ୍ୟ କରାଯିବ ।
ଏହି ମହାକୁମ୍ଭ ମେଳା ଯିବା ପାଇଁ ପଞ୍ଜିକରଣ କରିଥିବା ସମ୍ବଲପୁର ସହରର ଜଳଖିଆ ଦୋକାନୀ ହରିଶ୍ଚନ୍ଦ୍ର ସାହୁ ବହୁତ ଆଶାବାଦୀ ଥିବା ସହ ଖୁସି ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ‘‘ଏହା ବହୁତ ଭଲ ପଦକ୍ଷେପ। ଆଜିକାଲି ତ 100 ଟଙ୍କାରେ 2 ଜଣଙ୍କୁ ଜଳଖିଆ ମିଳିବା କଷ୍ଟକର ତେବେ 100 ଟଙ୍କାରେ ମହାକୁମ୍ଭ ଭ୍ରମଣ କରି ଆସିବା ଏହା ବହୁତ ବଡ଼ ଜିନିଷ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମହାକୁମ୍ଭରେ ବୁଡ଼ ପକେଇଲେ ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି ଏହି ଆଶାରେ ଆମେ ଯିବାକୁ ଚାହୁଁଛୁ ’’।
ସେହିପରି ସମ୍ବଲପୁରର ଆଉ ଜଣେ ବରିଷ୍ଠ ନାଗରିକ ପ୍ରହଲ୍ଲାଦ ଗୁରୁ କହିଛନ୍ତି ଯେ ‘‘101 ଟଙ୍କାରେ ସାଥି ଚେରିଟେବୁଲ ଟ୍ରଷ୍ଟ ତୀର୍ଥ ପାଇଁ ପ୍ରୟାଗରାଜ ନେଉଛନ୍ତି ଆଉ ଏହାକୁ ଆୟୋଜନ କରୁଛନ୍ତି ସିଦ୍ଧାର୍ଥ ସାହା । ବର୍ତ୍ତମାନ 100 ଟଙ୍କାରେ ଭଲ ଚା ଜଳଖିଆ ମିଳିବ ନାହିଁ କିନ୍ତୁ 100 ଟଙ୍କାରେ ସବୁ ଖର୍ଚ୍ଚ ବହନ କରି ପ୍ରୟାଗରାଜ ନେବା ବହୁତ ବଡ଼ କଥା ଅଟେ ’’।
ଏହା ମଧ୍ୟ ପଢନ୍ତୁ ମହାକୁମ୍ଭ ମେଳାରେ ବଢୁଛି ରୁଦ୍ରାକ୍ଷ ବିକ୍ରି, କେମିତି ଚିହ୍ନିବେ କେଉଁଟା ଅସଲି ?
ଏହା ମଧ୍ୟ ପଢନ୍ତୁ ମହାକୁମ୍ଭ ମେଳାରେ ବିଦେଶୀ ସାଧୁସନ୍ଥଙ୍କ ଶିବିର, ବିଦେଶରୁ ଆସି ଆପଣାଇଛନ୍ତି ସନାତନ ଧର୍ମ
- କେମିତି କରିବେ ଆବେଦନ
ଆସନ୍ତା 12 ତାରିଖ ଭିତରେ ସମ୍ବଲପୁର ସହରର ସାଥି ଚେରିଟେବୁଲ ଟ୍ରଷ୍ଟର କାର୍ଯ୍ୟାଳୟରେ ପଞ୍ଜିକରଣ କରିବାକୁ ହେବ ।
ଯାତ୍ରୀ ମାନଙ୍କ ମଧ୍ୟରେ ବିଧବା ମହିଳା ମାନଙ୍କ ପାଇଁ ବୟସ ସୀମା ରେ କୋହଳ କରାଯିବ ।
ବିଧବା ମହିଳା ଜଣକ 60 ବର୍ଷ ହୋଇନଥିଲେ ମଧ୍ୟ ସେ ଏହି ଯାତ୍ରାରେ ସାମିଲ ହୋଇପାରିବେ ।
ତୀର୍ଥଯାତ୍ରାରେ ଯିବା ପାଇଁ 2ଟି ପାସପୋର୍ଟ ସାଇଜ ଫଟୋ, ଆଧାର କାର୍ଡର 2 ଟି ଜେରକ୍ସ କପି ଆବଶ୍ୟକ ।
ଏହା ସହ କୌଣସି ସହାୟତା ପାଇଁ 9937200000,7978184282 ମୋବାଇଲ ନମ୍ବରରେ ଯୋଗାଯୋଗ କରି ପାରିବେ ।
ଏହି ଯାତ୍ରା ଆସନ୍ତା 16 ତାରିଖ ଦିନ 11 ଟାରେ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରରୁ ଆରମ୍ଭ ହେବ । 17 ତାରିଖରେ ସେଠାରେ ପହଞ୍ଚି ତୀର୍ଥଯାତ୍ରୀ ମାନେ ସ୍ନାନ କରିବେ । ପରେ 17 ତାରିଖ ସନ୍ଧ୍ୟାରେ ସେଠାରୁ ଯାତ୍ରୀ ମାନେ ଫେରି 18 ତାରିଖ ରେ ସମ୍ବଲପୁରରେ ପହଞ୍ଚିବେ ।
- ପ୍ରଥମ ପର୍ଯ୍ୟାୟରେ 50 ଜଣ ଯିବେ
ସାଥି ଚେରିଟେବୁଲ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ସିଦ୍ଧାର୍ଥ ସାହା କହିଛନ୍ତି ଯେ ‘‘ଆମର ଏହି ଯାତ୍ରାରେ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବରିଷ୍ଠ ନାଗରିକଙ୍କୁ ନେଇକି ଯିବୁ । ବର୍ତ୍ତମାନ 50 ଜଣଙ୍କୁ ନେଇକି ଯିବୁ କିନ୍ତୁ ଅଧିକ ପଞ୍ଜିକରଣ ହେଲେ 100 ଜଣଙ୍କୁ ନେଇକି ଯିବୁ । ସେଥିରେ ଆମେ ଡାକ୍ତର ଟିମ ନେଇକି ଯିବୁ, ସମସ୍ତ ଯାତ୍ରୀଙ୍କ ଟ୍ରାଭେଲ ବୀମା ମଧ୍ୟ କରେଇଦେବୁ । ସମ୍ବଲପୁରରୁ ନେଇକି ପୁଣି ସମ୍ବଲପୁରରେ ଛାଡ଼ିବା ପାଇଁ ଆମେ ମାତ୍ର 101 ଟଙ୍କା ନେବୁ । ସମ୍ବଲପୁର, ବୁର୍ଲା ଓ ହୀରାକୁଦର ବ୍ୟକ୍ତି ଏହି ଯାତ୍ରାର ସୁଯୋଗ ପାଇ ପାରିବେ । ଆସନ୍ତା ଫେବୃଆରୀ 16 ତାରିଖ ଦିନ 11 ଟା ରେ ସେମାନେ ସମଲେଶ୍ୱରୀ ମନ୍ଦିରରୁ ଯାତ୍ରା ଆରମ୍ଭ କରିବେ। 17 ତାରିଖ ରେ ସେଠାରେ ପହଞ୍ଚି ସ୍ନାନ କରିବେ ଓ ପୁଣି 17 ତାରିଖ ସନ୍ଧ୍ୟାରେ ସେଠାରୁ ବାହାରି 18 ତାରିଖ ରେ ସମ୍ବଲପୁର ପହଞ୍ଚିବେ। ଏଠାରେ ସେମାନଙ୍କୁ ସ୍ୱାଗତ କରାଯିବ । ଆଗକୁ ପ୍ରତ୍ୟେକ 6 ମାସରେ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରା ରେ ନିଆଯିବ ’’।