ଭୁବନେଶ୍ବର: ଯୁବବର୍ଗଙ୍କୁ କର୍ମ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଛି ନିଯୁକ୍ତି ମେଳା । ଏହାର ଲକ୍ଷ୍ୟ ଓଡ଼ିଶାର ଯୁବବର୍ଗଙ୍କୁ ନିଯୁକ୍ତି ଦେବା । ଆଜି ରାଜ୍ୟ ସରକାରଙ୍କର ୯ଟି ବିଭାଗର ୬ ହଜାର ୩୯୦ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କେଉଁ କେଉଁ ବିଭାଗରେ ମିଳିଲା ନିଯୁକ୍ତିପତ୍ର:
ଆଜି ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୩ ପଡ଼ିଆଠାରେ ନିଯୁକ୍ତି ମେଳାରେ ଆୟୋଜନ କରାଯାଇଥିଲା । ଓଡ଼ିଶା ସରକାରଙ୍କ ପ୍ରମୁଖ ୯ ଟି ବିଭାଗ ଯଥା- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଅର୍ଥ ବିଭାଗ, ଜଳ ସମ୍ପଦ ବିଭାଗ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ସର୍ବମୋଟ୍ ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
Live: ନିଯୁକ୍ତି ମେଳାରେ ନୂତନ ଭାବେ ମନୋନୀତ ହୋଇଥିବା ୬,୩୯୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମ। https://t.co/lJnYkaaTi4
— Mohan Charan Majhi (@MohanMOdisha) February 7, 2025
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ:
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୋଟ ୨ ହଜାର ୮୭୮ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ୧୧୦ ଜଣ ଆୟୁର୍ବେଦିକ ଚିକିତ୍ସକ, ୧୦ ଜଣ ହୋମିଓପାଥି ଅଧ୍ୟାପକ-ଅଧ୍ୟାପିକା, ଆୟୁଷ ନିର୍ଦ୍ଦେଶାଳୟରେ ୫ ଜଣ କନିଷ୍ଠ ସହାୟକ ଏବଂ ୨ ହଜାର ୭୫୩ ଜଣ ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀ ସାମିଲ ଅଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ:
ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମୋଟ ୨ ହଜାର ୭୬୭ ଜଣଙ୍କୁ ନିଯୁକ୍ତପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନିମନ୍ତେ ୮୯୪ ଜଣ ଅଧ୍ଯକ୍ଷ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆୟାଇଚି । ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟର ୧ ହଜାର ୭୯୮ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ, ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦର ୨୮ ଜଣ କନିଷ୍ଠ ସହାୟକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ୨୭ ଜଣ କନିଷ୍ଠ ସହାୟକ, ମାଧ୍ୟମିକ ଶିକ୍ଷା ପରିଷଦର ୧୮ ଜଣ କନିଷ୍ଠ ସହାୟକ ଓ ଉଚ୍ଚ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧୁନରେ ୨ ଜଣ ସମୀକ୍ଷକ ସାମିଲ ରହିଛନ୍ତି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ:
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ମୋଟ୍ ୬୨ ଜଣ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ବିଭାଗର କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ପୌରପାଳିକାମାନଙ୍କରେ ୩୪ ଜଣ ହିସାବରକ୍ଷକ ଓ ଟାଉନ ପ୍ଲାନିଂ ନିର୍ଦ୍ଦେଶାଳୟରେ ମୋଟ ୨୮ ଜଣ କନିଷ୍ଠ ସହାୟକ, କନିଷ୍ଠ ହିସାବରକ୍ଷକ ଓ ଅମିନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ:
ସେହିପରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ୧୦୪ ଜଣ ନବନିଯୁକ୍ତ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।
ଜଳ ସମ୍ପଦ ବିଭାଗ:
ଜଳ ସମ୍ପଦ ବିଭାଗ ଅଧୀନରେ ୫୭ ଜଣ ଅମିନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୩୭ ଜଣ ନବ ନିଯୁକ୍ତ ଯୋଗାଣ ନୀରିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।
ଅର୍ଥ ବିଭାଗ:
ଅର୍ଥ ବିଭାଗ ଅଧୀନରେ ମୋଟ୍ ୧୩୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ୧୧୮ ଜଣ ସ୍ଥାନୀୟ ପାଣ୍ଠି ସମୀକ୍ଷକ ଏବଂ ୧୨ ଜଣ ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ରହିଛନ୍ତି।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ:
ସେହିପରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଶକ୍ତି ବୃଦ୍ଧି କରି ମୋଟ୍ ୨୩୨ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଯେଉଁଥିରେ ୨୦ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ୨୧୨ ଜଣ କନିଷ୍ଠ ବୈଷୟିକ ମତ୍ସ୍ୟ ସହାୟକ ଅଛନ୍ତି ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ:
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମୋଟ୍ ୧୨୩ ଜଣ ସହକାରୀ ତାଲିମ୍ ଅଧୁକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ।
ନିଯୁକ୍ତି ମେଳା ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର